33.1 C
Bhubaneswar
Thursday, April 25, 2024
Homeଓଡିଶାରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ ମାମଲା : ଗୌତମ କୁଣ୍ଡୁଙ୍କ ସ୍ତ୍ରୀ ଶୁଭ୍ରା କୁଣ୍ଡୁଙ୍କୁ ଜାମିନ

ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ ମାମଲା : ଗୌତମ କୁଣ୍ଡୁଙ୍କ ସ୍ତ୍ରୀ ଶୁଭ୍ରା କୁଣ୍ଡୁଙ୍କୁ ଜାମିନ

କଟକ: ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ ମାମଲାରେ ହାଇକୋର୍ଟ ମାମଲାର ମୁଖ୍ୟ ଅଭିଯୁକ୍ତ ଗୌତମ କୁଣ୍ଡୁଙ୍କ ସ୍ତ୍ରୀ ଶୁଭ୍ରା କୁଣ୍ଡୁଙ୍କୁ ଦୁଇ ସପ୍ତାହର ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଆବେଦନକାରୀ ଶୁଭ୍ରା କୁଣ୍ଡୁଙ୍କ ପକ୍ଷରୁ ରୁଜୁ ଆବେଦନର ଶୁଣାଣି କରି ହାଇକୋର୍ଟର ବିଚାରପତି ସଙ୍ଗମ ସାହୁ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ୫ ଲକ୍ଷ ଟଙ୍କାର ଦୁଇ ଜଣ ଜାମିନଦାର ଆଧାରରେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ତେବେ ନିମ୍ନ ଅଦାଲତ ଚାହିଁଲେ ଏହି ମାମଲାରେ ଅଧିକ ଜାମିନ ସର୍ତ୍ତ ରଖିପାରିବେ ବୋଲି ହାଇକୋର୍ଟ କହିଛନ୍ତି । ଶୁଭ୍ରା କୁଣ୍ଡୁ ରୋଜ୍ ଭ୍ୟାଲି ଚିଟ୍‌ଫଣ୍ଡ ମାମଲାରେ ଗତ ଜାନୁୟାରୀ ୧୫ ତାରିଖରେ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ । ତେବେ ଜେଲ୍‌ରେ ରହି ସେ ଜାମିନ ଆବେଦନ କରିଥିଲେ । ସେ ଦର୍ଶାଇଥିଲେ ଯେ ତାଙ୍କ ଶାଶୁ କର୍କଟ ରୋଗରେ ପିଡିତ ହୋଇଥିବାବେଳେ ତାଙ୍କର ୮ ବର୍ଷର ଏକ ଛୋଟ ଝିଅ ରହିଛି । ତାଙ୍କ ସ୍ୱାମୀ ମଧ୍ୟ ଗତ ୬ ବର୍ଷ ହେବ ଜେଲ୍‌ରେ ଅଛନ୍ତି ।

ସିବିଆଇ ପକ୍ଷରୁ ହାଇକୋର୍ଟରେ ଏହି ମାମଲାକୁ ସ୍ୱତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର ସାର୍ଥକ ନାୟକ ପରିଚାଳନା କରୁଥିଲେ । ସୂଚନା ଥାଉକି ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡସଂସ୍ଥା ବିରୋଧରେ ୧୭ ହଜାର କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି । ଏହି  ସଂସ୍ଥା ଦେଶର ପୂର୍ବାଞ୍ଚଳ ରାଜ୍ୟରେ ଏକାଧିକ ଶାଖାମାନ ଖୋଲି ୧୦ ହଜାର କୋଟି ଟଙ୍କା ଆଦାୟ କରିଥିଲା ।  ସଂସ୍ଥା ସ୍ୱଳ୍ପ ସମୟରେ ଲୋକଙ୍କ ଜମାରାଶିକୁ ଦୁଇଗୁଣା କରିବାର ଲୋଭନୀୟ ପ୍ରତିଶୃତି ଦେଇ ପଶ୍ଚିମବଙ୍ଗ, ଓଡିଶା, ଆସାମ, ତ୍ରିପୁରା, ଝାଡଖଣ୍ଡ, ମହାରାଷ୍ଟ୍ର ଓ ଅନ୍ୟାନ୍ୟ ସ୍ଥାନରେ ଏହାର ଶାଖା କାର୍ଯ୍ୟାଳୟମାନ ଖୋଲି କୋଟି କୋଟି ଟଙ୍କା ଆଦାୟ କରିଥିଲା । ତେବେ ପରବର୍ତ୍ତୀ ସମୟରେ ସଂସ୍ଥା ଜମାକାରୀଙ୍କ ଅର୍ଥ ନ ଫେରାଇବାରୁ ଏକାଧିକ ଅଭିଯୋଗ ହୋଇଥିଲା । ଏହା ପରେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ସିବିଆଇ ମାମଲାର ତଦନ୍ତ କରିଥିଲା । ତେବେ ସିବିଆଇ ତଦନ୍ତ ପାଇଁ ଚିହ୍ନଟ ହୋଇଥିବା ଚିଟ୍‌ଫଣ୍ଡ ସଂସ୍ଥାମାନଙ୍କ  ମଧ୍ୟରେ ରୋଜ୍‌ଭ୍ୟାଲି  ପ୍ରମୁଖ ସଂସ୍ଥା ଥିଲା । ଏହି ମାମଲାରେ  ସିବିଆଇ ରୋଜଭ୍ୟାଲିର ନିର୍ଦ୍ଦେଶକ ଗୌତମ କୁଣ୍ଡୁଙ୍କୁ  ଗତ ୨୦୧୫ ମାର୍ଚ୍ଚ ମାସରେ ଗିରଫ କରିଥିଲା । ଏହା ପରେ ତଦନ୍ତବେଳେ ସଂସ୍ଥା ୧୭ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକି  ନେଇଥିବା ଜଣା ପଡିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking