ସମ୍ବଲପୁର: ସମ୍ବଲପୁରର ଟାଉନ ଥାନାରୁ ମାତ୍ର ୧୦୦ ମିଟର ଦୂରରେ ସ୍ଥିତ ଲକ୍ଷ୍ମୀ ଟକିଜ ପେଟ୍ରୋଲ ପମ୍ପରୁ ଗତ ମଙ୍ଗଳବାର ରାତ୍ରିରେ ଛୁରା ମାଡ କରି ଟଙ୍କା ଲୁଟ କରିଥିବା ଘଟଣାର ଲୁଟିଆ ତଥା କାଳିବାଡି ଦଲାଇପଡ଼ା ନିବାସୀ ସାହିଲ ଡୁଙ୍ଗୁରୀ (୨୩) କୁ ପୁଲିସ ଗିରଫ କରି ଅଦାଲତକୁ ଚାଲାଣ କରିଛି। ପୁଲିସ ଅଭିଯୁକ୍ତଙ୍କ ନିକଟରୁ ଲୁଟ ସମୟରେ ବ୍ୟବହୃତ ହୋଇଥିବା ଛୁରା ଜବତ କରିଥିବା ବେଳେ ଲୁଟ ଟଙ୍କା ମଧ୍ୟରୁ ମାତ୍ର ୩ ହଜାର ଟଙ୍କା ଜବତ କରିଛି।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ରାତ୍ର ପ୍ରାୟ ୧୦ଟା ସମୟରେ ପେଟ୍ରୋଲ ପମ୍ପରେ ସନ୍ଦିଗ୍ଧ ଭାବରେ ବୁଲୁଥିବା ଲୁଟିଆ ପମ୍ପରେ କାର୍ଯ୍ୟରତ କ୍ରିଶ କୁମ୍ଭାରଙ୍କୁ ଏକ ଛୁରୀରେ ଆକ୍ରମଣ କରି ୨୭ ହଜାର ୯ ଶହ ଟଙ୍କା ଭର୍ତ୍ତି ବ୍ୟାଗ ଲୁଟ କରି ଫେରାର ମାରିଥିଲା। ଫଳରେ ପେଟ୍ରୋଲ ପମ୍ପର କର୍ମଚାରୀ ଆହତ ହୋଇଥିବା ବେଳେ ଏ ନେଇ ପମ୍ପର ମ୍ୟାନେଜର ଘର୍ଷଣ ଦେହୁରୀ ଟାଉନ ଥାନାରେ ଅଭିଯୋଗ କରିବା ପରେ ମାମଲା ସଂଖ୍ୟା ୨୬୨/୨୦୨୩ ଅନୁଯାୟୀ ରୁଜୁ କରି ଘଟଣାର ତଦନ୍ତ ଟାଉନ ପୁଲିସ କରୁଥିଲା।