33.1 C
Bhubaneswar
Wednesday, April 24, 2024
Homeଓଡିଶାବିଲରୁ ଯୁବକଙ୍କ ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ, ରାସ୍ତା ଅବରୋଧ

ବିଲରୁ ଯୁବକଙ୍କ ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ, ରାସ୍ତା ଅବରୋଧ

ଡେରାବିଶ: କଟକ-ଚାନ୍ଦବାଲି ରାଜ୍ୟ ରାଜପଥର ଚଣ୍ଡୀ ବଜାର ନିକଟ ଏକ ବିଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ସ୍ଥାନୀୟ ଶ୍ୟାମସୁନ୍ଦରପୁର (ମେଳକସାହି) ଗ୍ରାମର ଭ୍ରମରବର ରାଉତ (୪୦) । ଗୁରୁବାର ସକାଳେ ସ୍ଥାନୀୟ ଲୋକେ ଭ୍ରମରଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ମୃତଦେହ ପଡ଼ିଥିବା ସ୍ଥାନରେ ବିଦ୍ୟୁତ୍ ତାର ପଡ଼ିଥିବାରୁ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ତେବେ ଭ୍ରମରବରଙ୍କ ପତ୍ନୀ ମମତା ରାଉତ ଏନେଇ ସଦର ଥାନାରେ ଲିଖିତ ଅଭିଯୋଗ କରି ତାଙ୍କ ସ୍ୱାମୀଙ୍କୁ ଯୋଜନାବଦ୍ଧଭାବେ ହତ୍ୟା କରାଯାଇଥିବା କହିଛନ୍ତି । ମୃତକ ଘର କରୁଥିବା ସ୍ଥାନରୁ ଅନତି ଦୂରରେ ଏକ ବିଦେଶୀ ମଦ ଦୋକାନ ଖୋଲିଛି । ଏହି ଦୋକାନ ଖୋଲିବାକୁ ଭ୍ରମରବର ବିରୋଧ କରି ଆସୁଥିଲେ । ସେହି କାରଣକୁ ନେଇ ବୁଧବାର ରାତିରେ ମଦ ଦୋକାନ ମାଲିକ ପ୍ରକାଶ କୁମାର କର ଓ ପରିଚାଳକ ମହେଶ ନାୟକ ଭ୍ରମରବରଙ୍କୁ ଡାକି ଯୋଜନାବଦ୍ଧଭାବେ ବିଦ୍ୟୁତ୍ ଆଘାତ ଦେଇ ହତ୍ୟା କରିଥିବା ମମତା ଏତଲାରେ ଦର୍ଶାଇଛନ୍ତି । ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ସ୍ଥାନୀୟ ଅଞ୍ଚଳବାସୀ ଉତ୍ତ୍ୟକ୍ତ ହୋଇ କଟକ-ଚାନ୍ଦବାଲି ରାସ୍ତା ଅବରୋଧ କରିଥିଲେ । ଫଳରେ ଦୀର୍ଘ ୨ ଘଣ୍ଟା ପର୍ଯ୍ୟନ୍ତ ଯାନବାହନ ଚଳାଚଳ ବନ୍ଦ ରହିଥିଲା । ଖବରପାଇ କେନ୍ଦ୍ରାପଡ଼ା ଏଡିଏମ୍ ବସନ୍ତ ରାଉତ, ଏସ୍‌ଡିପିଓ ରାଜୀବଲୋଚନ ପଣ୍ଡା ଓ ସଦର ଥାନା ଏସ୍‌ଆଇ ଭାଗବତ ମାହାଳୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା । ମମତାଙ୍କ ଏତଲାକୁ ଆଧାର କରି ସଦର ଥାନାରେ ଏକ ମାମଲା ରୁଜୁ ହୋଇଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଅନୁସନ୍ଧାନ କରି ଫେରିଛନ୍ତି ।  ତହସିଲଦାର ହେମଲତା ବାହାଲିଆ ମୃତକଙ୍କ ପତ୍ନୀଙ୍କୁ ଶବସତ୍କାର ପାଇଁ ରେଡ୍‌କ୍ରସ୍ ପାଣ୍ଠିଦ୍ୱାରା ପ୍ରଦତ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଏସ୍‌ଡିପିଓ ଶ୍ରୀ ପଣ୍ଡା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking