28.1 C
Bhubaneswar
Tuesday, June 28, 2022
Homeଓଡିଶାଦଶଚକିଆ ଧକ୍କାରେ ମହିଳା ମୃତ : ପୁଣି ତେଜିଲା ବାଏପାସ୍ ଦାବୀ

ଦଶଚକିଆ ଧକ୍କାରେ ମହିଳା ମୃତ : ପୁଣି ତେଜିଲା ବାଏପାସ୍ ଦାବୀ

 
ବଲାଙ୍ଗିର : ଦଶଚକିଆ ଭାରିଯାନ ଧକ୍କାରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଜଣେ ନିରୀହ ମହିଳାଙ୍କ ପ୍ରାଣହାନୀ ଘଟିଥିବା ବେଳେ ଆଉ କେତେ ଜୀବନ ଗଲେ ବଲାଙ୍ଗିର ବାଏପାସ୍ ରାସ୍ତା ନିର୍ମାଣ ହେବ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି । ସୂଚନାଯୋଗ୍ୟ ଯେ, ବଲାଙ୍ଗିରରେ ଶନିବାର ଓ ରବିବାର ସପ୍ତାହକୁ ଦୁଇ ଦିନ ସଟ୍‌ଡାଉନ୍ ଘୋଷଣା ହୋଇଛି । ଏହି କ୍ରମରେ ଶନିବାର ଦିନ ସଟ୍‌ଡାଉନ୍ ଥିବା ବେଳେ ଦିନ ୧୧ଟା ସମୟରେ ଚନ୍ଦନଭାଟିର ସକି ସାହୁ ନିଜ ସ୍ତ୍ରୀ ରଜନୀ ସାହୁଙ୍କୁ ଚିକିତ୍ସା ପାଇଁ ନିଜ ଦୁଇଚକିଆ ଗାଡ଼ିରେ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍‌କୁ ଆଣିଥିଲେ । ଆସିବା ବେଳେ ସ୍ଥାନୀୟ କଚେରୀ ଛକରେ ପଛପଟୁ ଏକ ଦଶଚକିଆ ଭାରିଯାନ ଧକ୍ମା ଦେବାରୁ ଅସୁସ୍ଥ ଥିବା ରଜନୀ ଗାଡ଼ିରୁ ପଡ଼ି ଯାଇଥିଲେ । ତେବେ ତାଙ୍କ ଉପରେ ଉକ୍ତ ଟ୍ରକ୍‌ଟି ମାଡ଼ି ଯାଇଥିବା ବେଳେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ସଟ୍‌ଡାଉନ୍ ସମୟରେ ରାସ୍ତା ଖାଲି ଥିବା ବେଳେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିବା, ପୁଣି ତାହା ଆଦର୍ଶ ଟାଉନ୍ ଥାନା ନିକଟରେ ଘଟିବା ବିଷୟକୁ ନେଇ ସାଧାରଣରେ ନାନା ପ୍ରକାର ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳୁଛି । ସହରର ସମସ୍ତ ଛକରେ ପୁଲିସ ଛାଉଣି ହୋଇଥିବା ସମୟରେ ଟ୍ରକ୍‌ଟି କିପରି ଏତେ କ୍ଷୀପ୍ର ବେଗରେ ଥାନା ସମ୍ମୁଖରେ ଦୁଇଚକିଆ ଯାନକୁ ପଛପଟୁ ଧକ୍କା ଦେଲା, ତାହା ନେଇ ସହରରେ ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନରୁ ବଲାଙ୍ଗିର ବାଏପାସ୍ ରାସ୍ତା ନିର୍ମାଣ ପାଇଁ ବଲାଙ୍ଗିରବାସୀ ଦାବୀ କରି ଆସୁଥିଲେ ମଧ୍ୟ ବିଭିନ୍ନ କାରଣରୁ ଆଜି ପର୍ଯ୍ୟନ୍ତ ତାହା ନିର୍ମିତ ହୋଇ ପାରିନାହିଁ । କେତେବେଳେ କେନ୍ଦ୍ର ସରକାର ତ ଆଉ କେତେବେଳେ ରାଜ୍ୟ ସରକାର ଜଣେ ଆର ଜଣକ ଉପରେ ଦୋଷ ଲଦାଲଦି ହେଉଥିବା ବେଳେ ଦିନକୁ ଦିନ ସହରରେ ନିରୀହ ମୁଣ୍ଡ ଗଡ଼ିବାରେ ଲାଗିଛି । ତଥାପି ମଧ୍ୟ ସରକାର ତଥା ପ୍ରଶାସନର ଚେତା ପଶୁନାହିଁ ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ଦୁଃଖ ପ୍ରକାଶ କରିଛନ୍ତି । ତେବେ ଯେତେ ଶୀଘ୍ର ବଲାଙ୍ଗିର ବାଏପାସ୍ ନିର୍ମାଣ ହୋଇପାରିବ, ସେତେ ଶୀଘ୍ର ସହରର ଟ୍ରାଫିକ୍ ବୋଝ ଦୂର ହେବା ସଂଗେ ସଂଗେ ଅନେକ ନିରୀହ ଜୀବନ ବଂଚିଯାଇ ପାରିବ ନିଶ୍ଚିତ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking