ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ଜଣେ ମୃତ : ୧୧ ଆହତ

ଝାରସୁଗୁଡ଼ା/ନୟାଗଡ଼ : ରାଜ୍ୟର ଦୁଇଟି ପୃଥକ ପୃଥକ ସ୍ଥାନରେ ସଡ଼କ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଥିବା ରବିବାର ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଝାରସୁଗୁଡ଼ା ଜିଲା ବେଲପାହାଡ଼ ଥାନା ମହିମା ଛକ ନିକଟରେ ଏକ ଟ୍ରକ କାରକୁ ପଛପଟୁ ଧକ୍କା ଦେବାରୁ କାର ଭିତରେ ପଛରେ ବସିଥିବା ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଚାଳକ ଗୁରୁତର ହୋଇଛନ୍ତି। କାରଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଚୁରମାର ହୋଇଯାଇଛି।
ସେହିପରି ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ପଞ୍ଚୁପାଣ୍ଡବ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଏକ ଯାତ୍ରୀବାହୀ ବସ ଓଲଟି ପଡ଼ିବାରୁ ୧୦ ଜଣ ଆହତ ହୋଇଛନ୍ତି। ବସଟି ଫୁଲବାଣୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା ବୋଲି ଜଣାପଡ଼ିଛି। ଖବର ପାଇ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର‌୍ୟ୍ୟ ଆରମ୍ଭ କରିଛନ୍ତି।