39.4 C
Bhubaneswar
Thursday, April 18, 2024
Homeରଥଯାତ୍ରାମୁଖ୍ୟ ଶାସନସଚିବଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା : ଯାତ୍ରୀଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ...

ମୁଖ୍ୟ ଶାସନସଚିବଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା : ଯାତ୍ରୀଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ

ପୁରୀ: ମହାମାରୀ କରୋନା ପାଇଁ ଦୁଇ ବର୍ଷ ବିନା ଭକ୍ତରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ତେବେ ଚଳିତ ବର୍ଷ କରୋନାର ପ୍ରକୋପ ହ୍ରାସ ପାଇଥିବାରୁ ଭକ୍ତଙ୍କ ମେଳରେ ରଥଯାତ୍ରା ଅନୁଷ୍ଠିତ ହେବ । ପୂର୍ବାପେକ୍ଷା ଅଧିକ ଜନସମାଗମର ଆକଳନ କରାଯାଉଛି । ତେଣୁ ଶାନ୍ତି ଶୃଙ୍ଖଳା ରକ୍ଷା ସହ ଯାତ୍ରୀମାନଙ୍କ ସୁରକ୍ଷା ଓ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଗୁରୁବାର ଅପରାହ୍ଣରେ ରଥଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି ।  ସର୍କିଟ ହାଉସ ଠାରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ପ୍ରତ୍ୟେକ ବିଭାଗ ଉତ୍ତରଦାୟୀ ଓ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।

ବିଶେଷ କରି ରାସ୍ତା ଘାଟ ମରାମତି, ଡ୍ରେନ ସଫା ଓ ମରାମତି, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଓ ବିକଳ୍ପ ବିଦ୍ୟୁତ ବ୍ୟବସ୍ଥା, ସୁନାବେଶରେ ଅତିରିକ୍ତ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା, ଜଳ ଯୋଗାଣ, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପନ, ରଥଯାତ୍ରା ପାଇଁ ଆସୁଥିବା ଯାତ୍ରୀମାନଙ୍କ ନିମନ୍ତେ ଆଶ୍ରୟ ସ୍ଥଳ ବ୍ୟବସ୍ଥା, ରଥଯାତ୍ରା ପୂର୍ବରୁ ବଡ଼ଦାଣ୍ଡରୁ ସମସ୍ତ ଅବରୋଧ ଓ କ୍ୟାବିନ ଅପସାରଣ, ବର୍ଷା ହେଲେ ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା, ରାସ୍ତା ଅବରୋଧ କରି ଗାଡି ପାର୍କିଂ କରୁଥିଲେ ତୁରନ୍ତ ହଟେଇବା ବ୍ୟବସ୍ଥା କରିବାକୁ ସେ ପରାମର୍ଶ ଦେଇଥିଲେ । ସେହିପରି ପ୍ରତିଟି ରଥ ଟଣା ପରେ ତୁରନ୍ତ ବଡ଼ଦାଣ୍ଡରୁ ଚପଲ, ପାଣି ବୋତଲ ଇତ୍ୟାଦି ଅଳିଆକୁ ହଟେଇବା ସହ ରୌଦ୍ର ତାପରୁ ଶ୍ରଦ୍ଧାଳୁଙ୍କୁ ରକ୍ଷା ପାଇଁ ଜଳ ସିଞ୍ଚନ କରିବାକୁ ସେ ପରାମର୍ଶ ଦେଇଥିଲେ ।

ପ୍ରାରମ୍ଭରେ ଜିଲ୍ଲାପାଳ ସମର୍ଥ ବର୍ମା ପ୍ରଶାସନ ଗ୍ରହଣ କରିଥିବା ବିବିଧ ପଦକ୍ଷେପ ଓ ଆରକ୍ଷୀ ଅଧୀକ୍ଷକ ଡଃ କନୱର ବିଶାଲ ସିଂ ଆଇନ ଶୃଙ୍ଖଳା ରକ୍ଷା ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଦିଲ୍ଲୀପ କୁମାର ମହାପାତ୍ର, କୈଳାସ ଚନ୍ଦ୍ର ନାୟକ, ଉପଜିଲ୍ଲାପାଳ ଭବତାରଣ ସାହୁ, ନିତୀ ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଓ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ଯୋଗ ଦେଇ ବିଭିନ୍ନ ସୂଚନା ପ୍ରଦାନ କରିଥିଲେ । ସମୀକ୍ଷା ପରେ ପରେ ମୁଖ୍ୟ ଶାସନ ସଚିବ ସେବାୟତମାନଙ୍କ ସହ ଚଳିତ ରଥଯାତ୍ରାକୁ ସୁଚାରୁଭାବେ ଓ ନିର୍ଦ୍ଧାରିତ ସମୟ ନିର୍ଘଣ୍ଟରେ ସମାପନ କରିବା ନିମନ୍ତେ ସହଯୋଗ କାମନା କରିଥିଲେ । ପରେ ଶ୍ରୀ ମହାପାତ୍ର ଶ୍ରୀମନ୍ଦିର ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରିଦର୍ଶନ କରିବା ସହ କାର୍ଯ୍ୟ ଅଗ୍ରଗତିକୁ ଅନୁଧ୍ୟାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking