ସ୍ୱାମୀ ପାଇଁ ସଜ୍ଜା କାଟୁଥିଲେ ବନିତା

ନୟାଗଡ଼ : ସ୍ୱାମୀଙ୍କ ପାଇଁ ତ୍ୟାଗ କରି ଜେଲରେ ସଜ୍ଜା କାଟୁଥିବା ଜଣେ ପତ୍ନୀ ଏବେ ମୁକୁଳିଛନ୍ତି । ସେ ହେଲେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅଞ୍ଚଳର ବନିତା ସେଠୀ । ବନିତା ତାଙ୍କ ବାପା ମାଆଙ୍କ ସହ ଗୁଜୁରାଟର ସୁରଟରେ ରହୁଥିବାବେଳେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଉଦୟପୁର ପଞ୍ଚାୟତ ଶିଖରଗୋଛା ହରିପୁର ଗ୍ରାମର ଦୁଃଶାସନ ସେଠୀଙ୍କୁ ୨୦୧୩ରେ ପ୍ରେମ ବିବାହ କରିଥିଲେ । ବିବାହ ପରେ ସେ ଶାଶୂଘରେ ଆସି ରହୁଥିଲେ । ତାଙ୍କ ବିବାହର ଦୁଇବର୍ଷ ପରେ ତାଙ୍କ ବଡ଼ଯାଆଙ୍କ ମୃତ୍ୟୁ ଘଟିଥିଲା । ତାଙ୍କୁ ଯୌତୁକ ନିର୍ଯାତନା ଦେଇ ମାରିଦିଆଯାଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ନୂଆଗାଁ ପୁଲିସ ବନିତା ଓ ତାଙ୍କ ଶାଶୂଙ୍କୁ ୧୩ ନଭେମ୍ବର ୨୦୧୫ରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ୨୯ ମାର୍ଚ୍ଚ ୨୦୧୭ରେ ବନିତାଙ୍କୁ ନୟାଗଡ଼ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଥିଲେ । ଫଳରେ ବନିତା ଏହି ସଜ୍ଜା ଅବଧି ମଧ୍ୟରେ ଜୁଭେନାଇଲ ଜଷ୍ଟିସ୍ କେୟାର ଆଣ୍ଡ ପ୍ରୋଟେକ୍ସନ୍ ଅଫ୍ ଚିଲ୍ଡେନ (ଜେଜେସିପିସି) ୨୦୧୫ ଆକ୍ଟର ଧାରା ୮ରେ ଥିବା ନିୟମ ଅନୁସାରେ ଜଷ୍ଟିସ୍ ବୋର୍ଡ ପରିଭ୍ରମଣ ସମୟରେ ନୟାଗଡ଼ ଜେଲରେ ବନିତା ଆଜୀବନ କାରଦଣ୍ଡ ଭୋଗୁଥିବା ଜାଣିବାକୁ ପାଇଥିଲେ । ଏହା ପରେ ବନିତାଙ୍କୁ କାଉନସେଲିଂ କରିଥିଲେ । ସେତେବେଳେ ଜଣାପଡ଼ିଥିଲା ଯେ ସେ ନାବାଳିକା ଥିବାବେଳେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି । ନଗର ପ୍ରାଥମିକ ଶିକ୍ଷାସନ ସମିତି, ସୁରଟ ଅଧୀନରେ ଥିବା ଅମ୍ବାନଗର ପ୍ରାଥମିକ ବିଦ୍ୟାଳୟରୁ ବନିତାର ସାର୍ଟିଫିକେଟ ମିଳିଲା ପରେ ଜଣାପଡ଼ିଲା ଯେ ତାଙ୍କୁ ୧୭ବର୍ଷ ବୟସରେ ସଜ୍ଜା ଦିଆଯାଇଛି । ତେଣୁ ବୋର୍ଡ ଏହାର ପୁର୍ନବିଚାର ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ । ହାଇକୋର୍ଟରୁ ବନିତାଙ୍କ ଜାମିନ ମଞ୍ଜୁୂର ହେବା ପରେ ମଙ୍ଗଳବାର ସେ ଜେଲରୁ ମୁକୁଳିଥିବା ଜଣାପଡ଼ିଛି ।