40.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶବରିଷ୍ଠ ନାଗରିକଙ୍କୁ ପୁଣି ରିହାତି ଦିଆଯାଉ: ରେଳବାଇକୁ ସଂସଦୀୟ କମିଟିର ସୁପାରିସ

ବରିଷ୍ଠ ନାଗରିକଙ୍କୁ ପୁଣି ରିହାତି ଦିଆଯାଉ: ରେଳବାଇକୁ ସଂସଦୀୟ କମିଟିର ସୁପାରିସ

ନୂଆଦିଲ୍ଲୀ : ଟ୍ରେନ୍‌ଯାତ୍ରା ସମୟରେ ବରିଷ୍ଠ ନାଗରିକଙ୍କୁ ପୂର୍ବରୁ ମିଳୁଥିବା ରିହାତି ବ୍ୟବସ୍ଥାର ପୁନଃପ୍ରଚଳନ କରିବାକୁ ସଂସଦୀୟ କମିଟି ପକ୍ଷରୁ ରେଳବାଇ କର୍ତ୍ତୃପକ୍ଷଙ୍କୁ ସୁପାରିସ କରାଯାଇଛି । ଅଗଷ୍ଟ ୪ରେ ମନ୍ତ୍ରଣାଳୟକୁ ପ୍ରଦାନ କରାଯାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ପୂର୍ବରୁ ବରିଷ୍ଠ ନାଗରିକଙ୍କୁ ଟ୍ରେନ୍ ଟିକଟ ଭଡା ବାବଦରେ ୪୦ରୁ ୫୦ ପ୍ରତିଶତ ରିହାତି ପ୍ରଦାନ କରାଯାଉଥିଲା । ତେବେ କୋଭିଡ୍ ସମୟରେ ରେଳବାଇ କର୍ତ୍ତୃପକ୍ଷ ଏହି ବ୍ୟବସ୍ଥାକୁ ବାତିଲ କରିଥିଲେ ।

ବର୍ତ୍ତମାନ ଏହି ବ୍ୟବସ୍ଥାର ପୁନରୁଦ୍ଧାର ସମେତ ‘ଗିଭ୍ ଅପ୍‌’ ଅର୍ଥାତ୍ ‘ଏହି ସୁବିଧା ନେବାକୁ ଚାହୁଁନୁ’ ଯୋଜନାର ବ୍ୟାପକ ପ୍ରଚାର ପ୍ରସାର ଉଦ୍ୟମ କରିବାକୁ ମଧ୍ୟ କମିଟି ମନ୍ତ୍ରଣାଳୟକୁ ସୁପାରିସ କରିଛି । ଏହାଦ୍ୱାରା ବରିଷ୍ଠ ନାଗରିକମାନେ ସ୍ୱେଚ୍ଛାକୃତଭାବେ ରିହାତି ସୁଯୋଗ ନେବାକୁ ଆଗ୍ରହୀ ହେବେ ନାହିଁ ବୋଲି କୁହାଯାଇଛି । କୋଭିଡ୍ ସମୟରେ କେବଳ ଦିବ୍ୟାଙ୍ଗ (୪ଟି ବର୍ଗ) ଏବଂ ରୋଗୀ, ଛାତ୍ରଛାତ୍ରୀଙ୍କ ୧୧ଟି ବର୍ଗ)ର ଯାତ୍ରୀଙ୍କୁ ବାଦ୍‌ଦେଇ ଅନ୍ୟ ସମସ୍ତ ରିହାତି ବ୍ୟବସ୍ଥାକୁ ପ୍ରତ୍ୟାହାର କରାଯାଇଥିଲା ବୋଲି ରେଳବାଇ ପକ୍ଷରୁ ଦାଖଲ କରାଯାଇଥିବା ଏଟିଆର (ଆକ୍ସନ ଟେକେନ୍ ରିପୋର୍ଟ)ରେ ଉଲ୍ଲେଖ କରାଯାଇଥିଲା ।

କୋଭିଡ୍ ପରବର୍ତ୍ତୀ ସମୟରେ ରେଳସେବା ପ୍ରାୟ ସ୍ୱାଭାବିକ ହୋଇଆସିଥିବାରୁ ବରିଷ୍ଠ ନାଗରିକଙ୍କୁ ପୁଣି ରିହାତି ଯୋଗାଇଦେବାକୁ କମିଟି ସୁପାରିସ କରିଛି । ପୂର୍ବରୁ ସବୁ ଶ୍ରେଣୀର ଟ୍ରେନ୍ ଟିକଟ ପାଇଁ ବରିଷ୍ଠ ନାଗରିକଙ୍କୁ ରିହାତି ପ୍ରଦାନ କରାଯାଉଥିଲା । ବର୍ତ୍ତମାନ ସ୍ଥିତି ସମୀକ୍ଷା କରାଯାଇ ଅତିକମରେ ସ୍ଲିପର ଓ ୩ୟ ଏସି ଟିକଟରେ ରିହାତି ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ କମିଟି ଗୁରୁତ୍ୱାରୋପ କରିଥିବା ଜଣାପଡିଛି । ଏହାଫଳରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବରିଷ୍ଠ ନାଗରିକମାନେ ଉପକୃତ ହୋଇପାରିବେ ବୋଲି କୁହାଯାଇଛି । ସୂଚନାଯୋଗ୍ୟ କୋଭିଡ୍ ପୂର୍ବରୁ ବରିଷ୍ଠ ନାଗରିକଙ୍କ ଟ୍ରେନ୍ ଭଡା ରିହାତି ବାବଦରେ ରେଳବାଇକୁ ବାର୍ଷିକ ୨୦୦୦ କୋଟି ଟଙ୍କା ବ୍ୟୟଭାର ବହନ କରିବାକୁ ପଡୁଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking