28.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଋଣ ଆପ ପାଇଁ ଆରବିଆଇର କଡା ନିୟମ

ଋଣ ଆପ ପାଇଁ ଆରବିଆଇର କଡା ନିୟମ

ନୂଆଦିଲ୍ଲୀ : ଡିଜିଟାଲ ଋଣ ଆପ ଗୁଡ଼ିକର ଉତ୍ପାତ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିରେ ସେମାନଙ୍କ ଉପରେ ଶକ୍ତ ଆଭିମୁଖ୍ୟ ପ୍ରକାଶ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) । ଏହି ଆପ୍ ଗୁଡ଼ିକ  ଉପରେ ଏବେ ନଜର ବଢ଼ାଇ ଦିଆଯିବ । ଉକ୍ତ କ୍ରମରେ ଆରବିଆଇ ପ୍ରଥମ ସେଟ୍ ନିୟମ ଜାରି କରିଛି । ଡିଜିଟାଲ ଋଣ ଆପ୍ ଗୁଡ଼ିକ ସହ ସେମାନଙ୍କ ଜରିଆରେ ଋଣ ଯୋଗାଉଥିବା ବିତ୍ତୀୟ ସଂସ୍ଥାଗୁଡ଼ିକ ଉପରେ ମଧ୍ୟ ନଜର ରହିବ ବୋଲି କହିଛି ଆରବିଆଇ । ଡିଜିଟାଲ ଆପ୍ ଗୁଡ଼ିକ ଜରିଆରେ ଅନେକ ପ୍ରକାର ଠକେଇ ଅଭିଯୋଗ ଆସିବା ପରେ ଆରବିଆଇ କଠୋର ହୋଇଛି । ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ଗାଇଡଲାଇନ୍‌ ଅନୁସାରେ, ଋଣ ଯୋଗାଣ ଏବଂ ଏହାକୁ ଆଦାୟ କରିବାର ଅଧିକାର କେବଳ ବ୍ୟାଙ୍କ ଏବଂ ଉକ୍ତ ବିତ୍ତୀୟ ସଂସ୍ଥାଗୁଡ଼ିକୁ ଦିଆଯାଇଛି, ଯେଉଁମାନଙ୍କୁ ବର୍ତ୍ତମାନର ବ୍ୟବସ୍ଥା ଅଧୀନରେ ଠିକ୍ ଭାବେ ନିୟନ୍ତ୍ରିତ କରାଯାଇଥାଏ । ଋଣ ଯୋଗାଣ ଏବଂ ଆଦାୟ କାର‌୍ୟ୍ୟ କୌଣସି ତୃତୀୟ ପକ୍ଷକୁ ଦିଆଯାଇପାରିବ ନାହିଁ ବୋଲି ଗାଇଡଲାଇନ୍ ରେ ଉଲ୍ଲେଖ କରାଯାଇଛି । ରିଜର୍ଭ ବ୍ୟାଙ୍କର ଗାଇଡଲାଇନ୍ ରେ ଉଲ୍ଲେଖ କରାଯାଇଛି ଯେ, ଋଣ ଯୋଗାଣ ଏବଂ ରି-ପେମେଣ୍ଟ କାରବାର କେବଳ ଋଣଗ୍ରହିତା ଓ ନିୟନ୍ତ୍ରିତ ବିତ୍ତୀୟ ସଂସ୍ଥାଗୁଡ଼ିକର ବ୍ୟାଙ୍କ ଖାତା ମଧ୍ୟରେ ହେବା ଦରକାର । କୌଣସି ତୃତୀୟ ପକ୍ଷ ସେବା ପ୍ରଦାନକାରୀ ଅବା କୌଣସି ତୃତୀୟ ପକ୍ଷ ପୁଲ୍ ଆକାଉଣ୍ଟ ଜରିଆରେ କାରବାର ହୋଇପାରିବ ନାହିଁ । ରିଜର୍ଭ ବ୍ୟାଙ୍କର ନୂଆ ଗାଇଡଲାଇନ୍‌ ଉଲ୍ଲେଖ କରାଯାଇଛି ଯେ, ଡିଜିଟାଲ ଋଣ ଆପ୍ ଯଦି କୌଣସି ପ୍ରକାର ଫି’ ନିଅନ୍ତି ଏହାର ପେମେଣ୍ଟ ଋଣ ଦେଉଥିବା ବ୍ୟାଙ୍କ କିମ୍ବା ବିତ୍ତୀୟ ସଂସ୍ଥାଗୁଡ଼ିକୁ କରିବାକୁ ହେବ । ଏଭଳି କୌଣସି ଦେୟ ବା ଫି’ର ବୋଝକୁ ଋଣଗ୍ରହିତାଙ୍କ ମୁଣ୍ଡରେ ପକାଯାଇପାରିବ ନାହିଁ । ଏହାବ୍ୟତୀତ ରିଜର୍ଭ ବ୍ୟାଙ୍କ ନିଜର ମାର୍ଗଦର୍ଶିକାରେ ଡିଜିଟାଲ ଋଣ ଆପ୍ ଜରିଆରେ ଡାଟା ସଂଗ୍ରହ ପ୍ରସଙ୍ଗରେ ମଧ୍ୟ ନିର୍ଦ୍ଦେଶ ଜାରି କରିଛି । ଏହା ଉପରେ ସର୍ବୋଚ୍ଚ ବ୍ୟାଙ୍କ କହିଛି ଯେ, ଡିଜିଟାଲ ଋଣ ଆପ୍ ଗୁଡ଼ିକ ଜରିଆରେ କେବଳ ଉକ୍ତ ଡାଟା ସଂଗ୍ରହ କରାଯିବା ଦରକାର, ଯାହା ଜରୁରୀ ଏବଂ ଏହାର ଅଡିଟ୍ ଟ୍ରେଲ ମଧ୍ୟ ସ୍ପଷ୍ଟ ହୋଇଥିବା ଦରକାର । ଏହାବ୍ୟତୀତ ଡାଟା ବା ତଥ୍ୟ ସଂଗ୍ରହ ପାଇଁ ଋଣଗ୍ରହିତାଙ୍କ ସ୍ୱୀକୃତି ପୂର୍ବରୁ ହାସଲ କରିବାକୁ ପଡ଼ିବ । ସେମାନଙ୍କ ବିନା ଅନୁମତିରେ ତଥ୍ୟ ନିଆଯାଇପାରିବ ନାହିଁ ।ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି ଗାଇଡଲାଇନ୍ ରେ ଆହୁରି କୁହାଯାଇଛି ଯେ, ଋଣଗ୍ରହିତାଙ୍କ ବିନା ଅନୁମତିରେ ସେମାନଙ୍କ କ୍ରେଡିଟ୍ ଲିମିଟ୍କୁ ବଢ଼ାଯାଇପାରିବ ନାହିଁ । ଏହାବ୍ୟତୀତ ଋଣ ଉପରେ ସୁଧହାର ଏବଂ ଅନ୍ୟାନ୍ୟ ଦେୟକୁ ନେଇ ସ୍ପଷ୍ଟ ତଥ୍ୟ ଦେବାକୁ ପଡ଼ିବ । ସୂଚନାଯୋଗ୍ୟ, ରିଜର୍ଭ ବ୍ୟାଙ୍କ ଗତବର୍ଷ ଆରମ୍ଭରେ ଡିଜିଟାଲ ଋଣ ଉପରେ ଆଇନ ଆଣିବା ପାଇଁ ଏକ କମିଟି ଗଠନ କରିଥିଲା । ଡିଜିଟାଲ ଋଣ ଆପଗୁଡ଼ିକ ବେଆଇନ ଭାବେ କାର‌୍ୟ୍ୟ କରୁଥିବା ଅନେକ ଅଭିଯୋଗ ଆସିବା ପରେ ଆର୍ବିଆଇ ଏହା ଉପରେ ଶକ୍ତ ଆଭିମୁଖ୍ୟ ପ୍ରକାଶ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking