40.1 C
Bhubaneswar
Thursday, April 25, 2024
Homeଓଡିଶାକେନ୍ଦ୍ର ତାଲିକାରେ ସାମିଲ ନାହିଁ ରାୟଗଡ଼ା ମେଡ଼ିକାଲ୍ କଲେଜ, ରାଜ୍ୟ ଦେଇନି ଡିପିଆର, ଅବଗତ କଲେ...

କେନ୍ଦ୍ର ତାଲିକାରେ ସାମିଲ ନାହିଁ ରାୟଗଡ଼ା ମେଡ଼ିକାଲ୍ କଲେଜ, ରାଜ୍ୟ ଦେଇନି ଡିପିଆର, ଅବଗତ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ରାୟଗଡ଼ା : ଦେଶର ୧୧୨ ଆକାଂକ୍ଷା ଜିଲ୍ଲାରେ ପର୍ଯ୍ୟାୟକ୍ରମେ ମେଡିକାଲ୍ କଲେଜ ପ୍ରତିଷ୍ଠା ନେଇ କେନ୍ଦ୍ର ସରକାର ପ୍ରସ୍ତୁତ କରିଛନ୍ତି ବ୍ଲୁପ୍ରିଣ୍ଟ୍ । କେନ୍ଦ୍ର ସରକାରଙ୍କ ତୃତୀୟ ପର୍ଯ୍ୟାୟରେ ଦେଶରେ ୭୦ ଟି ମେଡ଼ିକାଲ୍ କଲେଜ ପ୍ରତିଷ୍ଠା ନେଇ ଘୋଷଣା କରିଥିବା ବେଳେ ସେହି ତାଲିକାରୁ ବାଦ୍ ପଡ଼ିଛି ରାୟଗଡ଼ା ଜିଲ୍ଲା । ରାଜ୍ୟ ସରକାର ଏ ନେଇ କୌଣସି ପ୍ରସ୍ତାବ କିମ୍ବା ଡିପିଆର୍ ପଠାଇ ନଥିବା ଯୋଗୁଁ ମେଡିକାଲ୍ କଲେଜ ପ୍ରତିଷ୍ଠା ଶୀତଳ ଭଣ୍ଡାରକୁ ଚାଲିଯାଇଛି । ଏନେଇ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା ସଂସଦରେ ପ୍ରଶ୍ନ ଉଠାଇବା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକାଙ୍କୁ ଚିଠି ଲେଖି ଏହି ପ୍ରଶ୍ନ ରଖିଛନ୍ତି ।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନଙ୍କ ସୂଚନା ପରେ ଜିଲ୍ଲା ସାଧାରଣରେ ଦେଖାଦେଇଛି ଅସନ୍ତୋଷ । ଏନେଇ ଏକ ଭିଡିଓ ବାର୍ତ୍ତାରେ ଜିଲ୍ଲାବାସୀଙ୍କ ଦାବିକୁ ରାଜ୍ୟ ସରକାର ଜାଣିଶୁଣି ଉପେକ୍ଷା କରିଥିବାରୁ ଅବିଭକ୍ତ କୋରାପୁଟର ବିକାଶ ପାଇଁ ସଂସଦରେ ଲଢ଼େଇ ଜାରି ରହିବା ସହ ରାୟଗଡ଼ା ଜିଲ୍ଲାର ବିଧାୟକମାନେ ମଧ୍ୟ ବିଧାନସଭାରେ ଦାବି ଜଣାନ୍ତୁ ବୋଲି ଅନୁରୋଧ କରିଛନ୍ତି ସାଂସଦ ଉଲାକା । ଜିଲ୍ଲାବାସୀଙ୍କୁ ଉନ୍ନତମାନର ଚିକିତ୍ସାସେବା ନମିଳିବାରୁ ଗୁଣାତ୍ମକ ରୋଗୀସେବା ପାଇଁ ପଡ଼ୋଶୀ ଆନ୍ଧ୍ର ଉପରେ ନିର୍ଭରଶୀଳ । ଜିଲ୍ଲା ଚିକିତ୍ସାଳୟରେ ବିଭିନ୍ନ ବିଭାଗରେ ବିଶେଷଜ୍ଞଙ୍କ ନଥିବା ଯୋଗୁଁ ଜଣେ ରୋଗୀ ଆନ୍ଧ୍ର ଯାଇ ଚିକିତ୍ସା ପାଇଁ ଅର୍ଥ ଶ୍ରାଦ୍ଧ କରିବାକୁ ବାଧ୍ୟ ହେଉଛନ୍ତି । ବିଶେଷଜ୍ଞ ଏବଂ ଡାକ୍ତର ନିଯୁକ୍ତି, ରୋଗୀଙ୍କୁ ଉନ୍ନତମାନ ଚିକିତ୍ସାସେବା ଯୋଗାଇ ଦେବାରେ ରାୟଗଡ଼ା ଜିଲ୍ଲା ଚିକିତ୍ସାଳୟ ଅସମର୍ଥ ହୋଇଥିବାରୁ ଦୀର୍ଘଦିନ ହେଲା ରାୟଗଡ଼ାର ବୁଦ୍ଧିଜୀବୀ ସଂଗଠନ ଓ ଜିଲ୍ଲାବାସୀଙ୍କ ତରଫରୁ ଜିଲ୍ଲା ହସ୍‌ପିଟାଲକୁ ସୁପର ସ୍ପେସାଲିଷ୍ଟ ମେଡିକାଲ ସାଙ୍ଗକୁ ରାୟଗଡ଼ାଠାରେ ମେଡିକାଲ୍ କଲେଜ ନିର୍ମାଣ କରି ଉନ୍ନତମାନର ରୋଗୀସେବା ଯୋଗାଇ ଦେବାକୁ ଦାବି ହୋଇଆସୁଛି । ସଂସଦର ବଜେଟ୍ ଅଧିବେଶନ ଶୂନ୍ୟକାଳରେ ସାଂସଦ ଉଲାକାଙ୍କ ପ୍ରଶ୍ନର ଉତ୍ତର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଚିଠି ମାଧ୍ୟମରେ ଜଣାଇ କହିଛନ୍ତି ଯେ, କେବଳ କଳାହାଣ୍ଡି ଜିଲ୍ଲାରେ ମେଡିକାଲ୍ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଡିପିଆର ସବମିଟ୍ କରିଛନ୍ତି । ଏଭଳିକି ରାୟଗଡ଼ାରେ ମେଡିକାଲ୍ କଲେଜ ପ୍ରତିଷ୍ଠା ଲାଗି ରାଜ୍ୟ ସରକାର କୌଣସି ସୁପାରିସ କିମ୍ବା ପ୍ରସ୍ତାବ ଅବା ଡିପିଆର୍ କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ସମୟ ସୀମା ମଧ୍ୟରେ ଦେଇନଥିବା ଚିଠିରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି । କେନ୍ଦ୍ର ସରକାରଙ୍କ ଘୋଷିତ ସାରା ଦେଶରେ ତୃତୀୟ ପର୍ଯ୍ୟାୟ ହେବାକୁ ଥିବା ୭୦ଟି ମେଡିକାଲ କଲେଜ ପାଇଁ ପଡ଼ୋଶୀ ରାଜ୍ୟର ସରକାରମାନେ ନିଜ ରାଜ୍ୟରେ ୫ରୁ ୬ଟି ମେଡିକାଲ୍ କଲେଜ ପ୍ରତିଷ୍ଠା ପାଇଁ ଡିପିଆର୍ ଦାଖଲ କରିଥିବାବେଳେ ଓଡ଼ିଶା ସରକାର ଜାଣିଶୁଣି ଅବିଭକ୍ତ କୋରାପୁଟକୁ ଉପେକ୍ଷା କରିଛନ୍ତି ବୋଲି ସାଂସଦ ଉଲାକା ଅଭିଯୋଗ କରିଛନ୍ତି । ଏପରିକି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ରାୟଗଡ଼ାର ମେଡିକାଲ କଲେଜର ଆବଶ୍ୟକତା ଥିବା ଦର୍ଶାଇ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ଜଣାଇଥିଲେ । ଏହା ସତ୍ତ୍ୱେ ଓଡ଼ିଶା ସରକାର ଡିପିଆର୍ ନ ଦେବା ଓ ରାୟଗଡ଼ା ମେଡିକାଲ କଲେଜ ପାଇଁ ସୁପାରିସ ନ କରିବା ଜିଲ୍ଲାର ସ୍ୱାସ୍ଥ୍ୟ ସେବା ପ୍ରତି ସରକାରଙ୍କ ଥିବା ଆନ୍ତରିକତା ପଦାରେ ପଡ଼ିଛି । ଏଠାରେ ସୂଚନାଯୋଗ୍ୟ, ୨୦୧୪ ରେ ୩୨୭.୪୦କୋଟି ଟଙ୍କା ବ୍ୟୟରେ ପିପିପି ମୋଡ୍‌ରେ ମେଡିକାଲ୍ କଲେଜ ପ୍ରତିଷ୍ଠା ପାଇଁ ବିଧାନସଭାରେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଘୋଷଣା କରିଥିଲେ । କିନ୍ତୁ ଆନ୍ଧ୍ର ସରକାରଙ୍କ ଚକ୍ରାନ୍ତ ସାଙ୍ଗକୁ ରାଜ୍ୟ ସରକାରଙ୍କ ଅବହେଳା କାରଣରୁ ରାୟଗଡ଼ାରେ ମେଡିକାଲ୍ କଲେଜ ବାସ୍ତବ ରୂପ ନେଇପାରି ନଥିଲା । ତେବେ କେନ୍ଦ୍ରର ଆକାଂକ୍ଷା ଜିଲ୍ଲା ଘୋଷଣା ପରେ ପୁଣି ଥରେ ଆଶା ଦେଖା ଦେଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ସୁପାରିସ ନ ହେବା ଜିଲ୍ଲାରେ ଆଲୋଚନାର ବିଷୟ ପାଲଟିଛି । ପଡ଼ୋଶୀ ଜିଲ୍ଲା ଫୁଲବାଣୀରେ ମେଡିକାଲ୍ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଘୋଷଣା କରିବା ପରେ ରାୟଗଡ଼ାବାସୀଙ୍କ ପକ୍ଷରୁ ଜୋରଦାର୍ ଦାବି ଉପସ୍ଥାପନ କରାଯିବା ସହ ୧୨ ଜଣିଆ କମିଟି ୫-ଟି ସଚିବ ଓ ଉନ୍ନୟନ ସଚିବଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ । ସେତେବେଳେ ରାୟଗଡ଼ାରେ ତୁରନ୍ତ ସୁପର୍ ସ୍ପେଶିଆଲିଷ୍ଟ୍ ହସପିଟାଲ୍ ସାଙ୍ଗକୁ ଅବିଭକ୍ତ କୋରାପୁଟର ଚାରୋଟି ଜିଲ୍ଲା ପାଇଁ ଏୟାରବେସ୍ ମେଡିକାଲ ସୁବିଧା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ମିଳିଥିଲା । ଇତି ମଧ୍ୟରେ ଦେଢ଼ ବର୍ଷ ବିତିବାକୁ ବସିଲାଣି । ମାତ୍ର ମିଳିନି ସୁପର୍ ସ୍ପେଶିଆଲିଷ୍ଟ୍ ହସପିଟାଲ୍ । ଅନ୍ୟ ହସ୍ପିଟାଲ୍ ଗୁଡ଼ିକରେ ଏକ ହେଲିକପ୍ଟର ମାଧ୍ୟମରେ ବିଶେଷଜ୍ଞ ଓ ଡାକ୍ତରମାନଙ୍କୁ ଅଣାଯାଇ ଚିକିତ୍ସା ଆରମ୍ଭ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking