34.1 C
Bhubaneswar
Thursday, April 25, 2024
Homeଓଡିଶାଡଙ୍ଗରିଆଙ୍କୁ ରାସନ୍ ସାମଗ୍ରୀ ବଣ୍ଟନ ଦାବି

ଡଙ୍ଗରିଆଙ୍କୁ ରାସନ୍ ସାମଗ୍ରୀ ବଣ୍ଟନ ଦାବି

ମୁନିଗୁଡ଼ା : ମୁନିଗୁଡା ବ୍ଲକର ନିୟମଗିରି ପାର୍ବତ୍ୟାଞ୍ଚଳରେ ଥିବା ପାହାଡ଼ି ଗାଁ ସେଲେକାପାଡି, କେଶରପାଡି, ବାତୁଡିଜାରପା ଓ ଖମ୍ବସିର ୫ଟି ଗାଁରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ପାଖାପାଖି ୧୦୦ଘରର ୭୦୦ରୁ ଊର୍ଦ୍ଧ୍ୱ ଲୋକମାନଙ୍କ ମଧ୍ୟରୁ ଅନ୍ୟୁନ ୨୦୦ ବୁଢ଼ାବୁଢ଼ୀ ବାର୍ଦ୍ଧକ୍ୟ ଭତ୍ତା ପାଇଁ ପାହାଡ଼ ଉପରୁ ୧୮କିଲୋମିଟର ଖାଲି ପାଦରେ ଚାଲିଚାଲି ପଞ୍ଚାୟତ କାର୍ଯ୍ୟାଳୟ ଶିବପଦର ଓ ଅନ୍ୟାନ୍ୟ ଲୋକେ ମଙ୍ଗଳବାର ଦହିଖାଲ ହାଟକୁ ଆସିଥାନ୍ତି । ସେମାନଙ୍କ ପ୍ରତି ମଙ୍ଗଳବାର ରାସନ୍ ସାମଗ୍ରୀ ଯୋଗାଇଦେବା ଲାଗି ଦାବି ହେଉଛି ।

ପ୍ରତି ମଙ୍ଗଳବାର ହାଟ-ଦହିଖାଲ ଛକରେ ହାଟ ବସିଥାଏ । ଏହି ହାଟ ଡଙ୍ଗରିଆ ମାନଙ୍କ ଆବଶ୍ୟକ ସାମଗ୍ରୀର କ୍ରୟ ବିକ୍ରୟର ଏକମାତ୍ରା ବଜାର । ହାଡ଼ଥରା ଶୀତ ହେଉ ଅବା ମୁଣ୍ଡଫଟା ଖରା କିମ୍ବା ବାଦଲ ଫଟା ବର୍ଷା ଡଙ୍ଗରିଆମାନେ ହାଟକୁ ଆସିବା ନିଶ୍ଚିନ୍ତ । ପାହାଡ଼ରୁ ତଳକୁ ଓହ୍ଲାଇଲା ବେଳେ ସାଧାରଣ ମଣିଷଟି ଭୟରେ ସାହାସ ପାଉନଥିବା ବେଳେ ଡଙ୍ଗରର ଏହି ପାଞ୍ଚଟି ଗାଁର ବୁଢ଼ାବୁଢ଼ୀମାନେ କେଇଟା ଭତ୍ତା ଟଙ୍କା,ଖାଦ୍ୟ ସୁରକ୍ଷା ଯୋଜନାର ମିଳିବାକୁ ଥିବା କେଇକିଲୋ ଚାଉଳ,କିରୋସିନ ପାଇଁ ହାତରେ ଜଙ୍ଗଲୀ ବାଡିଟିଏ ଧରି ଧାଉଁଥିବାର ବିକଳ ଦୃଶ୍ୟ ଦେଖିଲେ ଛାତି ଥରି ଉଠିବ । ଗତ ମଙ୍ଗଳବାର ଦିନ ସେମାନେ ଝିପିଝିପି ବର୍ଷାରେ ଚାଲିଚାଲି ହାଟକୁ ଆସୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ବୁଧବାର ଶିବପଦର ପଞ୍ଚାୟତ କାର୍ଯ୍ୟାଳୟରେ ସେମାନଙ୍କୁ ଚାଉଳ ଓ କିରୋସିନ ମିଳିବାକୁ ତାରିଖ ଧାର୍ଯ୍ୟ ଥିଲା । ଏଣୁ ପୁଣି ସେଦିନ ଆସିବାକୁ ପଡ଼ିଲା । ନ’ ଆସିଲେ ପେଟକୁ ଭାତ ମୁଠେ ମିଳିବନି ଆଉ ବର୍ଷଣମୁଖୀ ରାତିରେ କିରୋସିନ ବିନା ଅନ୍ଧାରରେ କଟେଇବାକୁ ପଡ଼ିବ । ସେହି କାରଣରୁ ଆସିବାକୁ ସେମାନେ ବାଧ୍ୟ । ଆଜି ଗୁରୁବାର ପ୍ରଶାସନ ତରଫରୁ ଭତ୍ତା ବାଣ୍ଟିବାର ଦିନ ଧାର୍ଯ୍ୟ ହୋଇଛି । ଆଜି ପୁଣି ଡଙ୍ଗରରୁ ଲମ୍ବା ଲାଇନ ଲାଗିଛି ପଞ୍ଚାୟତକୁ । ଯଦି ଡଙ୍ଗରିଆମାନେ ପ୍ରତି ମଙ୍ଗଳବାର ହାଟକୁ ଆସିବା ନିଶ୍ଚିତ ତେବେ ସେହି ମଙ୍ଗଳବାର ଦିନ ଚାଉଳ, କିରୋସିନ ଓ ଭତ୍ତା ଦେବାର ବନ୍ଦୋବସ୍ତ କଲେ ସେମାନେ ଉପକୃତ ହୋଇପାରନ୍ତେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ସେମାନଙ୍କ ଗୋଟିଏ ଦିନରେ ତିନୋଟି କାମ ହୋଇଯିବା ସହ ଡଙ୍ଗରିଆ ବୁଢ଼ାବୁଢ଼ୀ ଓ ଅନ୍ୟମାନଙ୍କୁ ଏତେ ଦୌଡ଼ାଦୌଡ଼ି କରିବାକୁ ପଡ଼ନ୍ତା ନାହିଁ । ଏ ବିଷୟ ନେଇ ଜଣେ ଡଙ୍ଗରିଆ ବୃଦ୍ଧା କହିଛନ୍ତି ଯେ, ବେଳେବେଳେ ବର୍ଷାରେ ଗୋଡ଼ ଖସିଯାଇଥାଏ । ବହୁ ତଳକୁ ଖସିପଡ଼ିବା ଫଳରେ ହାତଗୋଡ଼ ଭାଙ୍ଗି ମଧ୍ୟ ଯାଇଥାଏ । ଅନେକ ସମୟରେ ଭତ୍ତା ଓ ଖାଉଟି ସାମଗ୍ରୀ ପାଇଁ ଲମ୍ବା ଲାଇନ୍‌ରେ ଅପେକ୍ଷା କରି ଘରକୁ ଫେରିଲା ବେଳକୁ ଅଧା ରାସ୍ତାରେ ଅନ୍ଧାର ମାଡ଼ିଆସେ । ଅନ୍ଧାର ରାତ୍ରିରେ ସାପ, ଭାଲୁ, ହାତୀ ଓ ଅନ୍ୟାନ୍ୟ ପଶୁମାନଙ୍କ ଭୟରେ ନିଜ ଇଷ୍ଟ ଦେବତା ନିୟମରାଜାଙ୍କୁ ଡାକିଡାକି ଡଙ୍ଗର ଚଢ଼ିବାକୁ ପଡ଼େ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking