31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶବିଶାଖାପାଟଣାରେ ରଥଯାତ୍ରା ଆୟୋଜନ

ବିଶାଖାପାଟଣାରେ ରଥଯାତ୍ରା ଆୟୋଜନ

ବିଶାଖାପାଟଣା : ବିଶାଖାପାଟଣାର ଦଶପଲ୍ଲା ପାହାଡ଼ିଠାରେ ଥିବା ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ପର୍ବ ମହାସମାରୋହରେ ପାଳନ କରାଯାଇଛି । ମନ୍ଦିର ପରିଚାଳନା କମିଟି, ଉତ୍କଳ ସାଂସ୍କୃତିକ ସମାଜ ଦ୍ୱାରା ଆୟୋଜିତ ଏହି ମହୋତ୍ସବକୁ କେନ୍ଦ୍ର କରି ଭକ୍ତମାନଙ୍କ ମଧ୍ୟରେ ବେଶ୍‍ ଉତ୍ସୁକତା ଓ ଉତ୍କଣ୍ଠା ପ୍ରକାଶ ପାଇଥିବା ପରିଲକ୍ଷିତ କରାଯାଇଥିଲା । କରୋନା ବାଧକତା ଦୃଷ୍ଟିରୁ ଦୀର୍ଘ ୨ ବର୍ଷର ବ୍ୟବଧାନ ପରେ ବାସ୍ତବିକ ଢଙ୍ଗରେ ଘୋଷଯାତ୍ରା ଉତ୍ସବ ପାଳନ କରାଯାଉଥିବାରୁ ଉପସ୍ଥିତ ପ୍ରାୟ ୩ ହଜାର ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅହେତୁକ ଆନନ୍ଦ, ଉଲ୍ଲାସ ଓ ଉଦ୍ଦୀପନା ଦେଖିବାକୁ ମିଳିଥିଲା । ସକାଳୁ ମୁଖ୍ୟ ମନ୍ଦିରରେ ଠାକୁରମାନଙ୍କର ଯଥାରୀତି ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା ।

ଅପରାହ୍ଣ ୩ଟା ବେଳେ ପହଣ୍ଡି ବିଜେ ଆରମ୍ଭ କରାଯାଇଥିଲା । ପ୍ରଥମେ ପ୍ରଭୁ ସୁଦର୍ଶନ, ତା ପରେ ବଡ଼ ଭାଇ ବଳଭଦ୍ର, ପରେ ପରେ ଦେବୀ ସୁଭଦ୍ରା ଓ ସବା ଶେଷରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ପହଣ୍ଡି କରାଯାଇ ମନ୍ଦିର ସମ୍ମୁଖରେ ଦଣ୍ଡାୟମାନ ସୁନ୍ଦର ଓ ସୁସଜ୍ଜିତ ରଥ ଉପରକୁ ନିଆଯାଇଥିଲା । ପହଣ୍ଡି କାର୍ଯ୍ୟରେ ୱାଲ୍‍ଟିୟର ରେଳବାଇ ଡିଭିଜନ୍‍ର ଡି.ଆର୍‍.ଏମ୍‍ ଅନୁପ କୁମାର ଶତପଥୀ ଓ ଏ.ଡି.ଆର୍‍.ଏମ୍‍ ମନୋଜ କୁମାର ସାହୁ ସହଯୋଗ କରିଥିଲେ । ଉପସ୍ଥିତ ଭକ୍ତମାନଙ୍କ ଦ୍ୱାରା ଶଙ୍ଖ, ଘଣ୍ଟ, କରତାଳ, ମର୍ଦଳ, ଝାଞ୍ଜ ଓ ମୃଦଙ୍ଗର ଗହଗହ ନାଦ ତଥା ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ସମଗ୍ର ଗଗନ ପବନ ପ୍ରକମ୍ପିତ ହେବାର ଦୃଶ୍ୟ ଖୁବ୍‍ ମର୍ମସ୍ପର୍ଶୀ ଥିଲା ।

ଉତ୍ସବର ମୁଖ୍ୟ ଆକର୍ଷଣ ବ୍ରହ୍ମପୁରରୁ ଆସିଥିବା ଘଣ୍ଟବାଦକ ଟ୍ର୍ରୁପ୍‍ଙ୍କ ଦ୍ୱାରା ପରିବେଶିତ ହୃଦୟସ୍ପର୍ଶୀ ଘଣ୍ଟବାଦନ ଥିଲା । ଦଶପଲ୍ଲାର ପୂର୍ବତନ ରାଜା ଲାଲ୍‍ ସାହେବ ପ୍ରମୋଦ ଦେଓଭଞ୍ଜ ପାରମ୍ପରିକ ଛେରାପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ । ସନ୍ଧ୍ୟା ୫ଟା ସମୟରେ ରଥ ଟଣା ଆରମ୍ଭ ହୋଇଥିଲା । ଭକ୍ତମାନେ ରଥଟିକୁ ଟାଣି ଟାଣି ୫ କିଲୋମିଟର ଦୂରବର୍ତ୍ତୀ ‘ଲସନ୍ସ ବେ’ କଲୋନୀ ଠାରେ ଥିବା ମାଉସି ମା’ ମନ୍ଦିରକୁ ନେଇଥିଲେ । ସନ୍ଧ୍ୟା ୭ଟା ସୁଦ୍ଧା ଜୀଉମାନେ ଗୁଣ୍ଡିଚା ମନ୍ଦିରସ୍ଥିତ ସିଂହାସନରେ ବିରାଜମାନ ହୋଇଥିଲେ । ଆସନ୍ତା ୯ ତାରିଖ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ଠାକୁରମାନେ ଗୁଣ୍ଡିଚା ମନ୍ଦିରରେ ଭକ୍ତମାନଙ୍କୁ ଦର୍ଶନ ଦେବେ ବୋଲି ମନ୍ଦିର ପରିଚାଳନା କମିଟିର ସଭାପତି ଜିତେନ୍ଦ୍ର କୁମାର ନାୟକ ପ୍ରକାଶ କରିଛନ୍ତି । ସମଗ୍ର ଆୟୋଜନକୁ ସୁଚାରୁ ରୂପେ ସମ୍ପାଦନା କରିବାରେ ମନ୍ଦିର ପରିଚାଳନା କମିଟିର ସଭାପତି ଜିତେନ୍ଦ୍ର କୁମାର ନାୟକ, ସମ୍ପାଦକ ବିମଳ ମହନ୍ତ, ସଦସ୍ୟ ବିଜୟ ମହାପାତ୍ର ଓ ରାଜେନ୍ଦ୍ର ପ୍ରସାଦ ସାହୁ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking