ଭଦ୍ରକ : ଭଦ୍ରକ ଜିଲ୍ଲା ତିହିଡି ଥାନା କାଁପଡା ପଞ୍ଚାୟତ ଅଧିନ ମଠସାହି ଗ୍ରାମର ଜଣେ ନାବାଳିକାକୁ ୫ ମାସର ଗର୍ଭବତୀ କରି ଦୀର୍ଘ ଦେଢ଼ ମାସ ହେବ ଫେରାର ହୋଇ ପୁଲିସକୁ ଚକମା ଦେଖାଉଥିବା ବୃଦ୍ଧ ମାୟାଧର ଦାସ ଓରଫ କାର୍ତ୍ତିକ (୬୦)ଙ୍କୁ ଗତକାଲି ରାତିରେ ତିହିଡ଼ି ପୁଲିସ ନୟାଗଡ଼ ଅଞ୍ଚଳରୁ ଗିରଫ କରିବାରେ ସକ୍ଷମ ହୋଇଛି । ଦୀର୍ଘ ଦେଢ଼ମାସ ଧରି ମାୟାଧର ପୁଲିସକୁ ଚକମା ଦେଖାଇ କେତେବେଳେ କୋଲକାତା ତ କେତେବେଳେ ଭୁବନେଶ୍ୱର ପୁଣି କେତେବେଳେ ନୟାଗଡ଼ ଅଞ୍ଚଳକୁ ଚାଲିଯାଉଥିଲା । ଗତକାଲି ମାୟାଧର ନୟାଗଡ଼ ଜିଲ୍ଲାର ଫତେଗଡ଼ ଅଞ୍ଚଳରେ ଥିବା ମୋବାଇଲ ଟ୍ରାକିଂରୁ ପୁଲିସ ଜାଣିବାକୁ ପାଇଥିଲା ।
ପରେ ତିହିଡ଼ି ଥାନା ଆଇଆଇସି ତପନ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଏସ୍ଆଇ ବନମାଳି ବାରିକ ସଦଳବଳେ ଫତେଗଡରେ ପହଞ୍ôଚ ସ୍ଥାନୀୟ ସରପଞ୍ଚ ଓ ଅଞ୍ଚଳବାସୀଙ୍କ ସହଯୋଗରେ ଅଭିଯୁକ୍ତ ମାୟାଧରକୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ଆଜି ସକାଳେ ମାୟାଧରକୁ ତିହିଡ଼ି ଥାନା ଅଣାଯାଇ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯାଇଛି । ସୂଚନା ଅନୁଯାୟୀ, ମଠସାହି ଗ୍ରାମର ଜନୈକ ନାବାଳିକାଙ୍କ ଘରେ କେହି ନଥିବାର ସୁଯୋଗ ନେଇ ମାୟାଧର ଦାସ ଦୀର୍ଘ ଦିନ ଧରି ଜଣେ ନାବାଳିକାଙ୍କ ଘରକୁ ଯାଇ ବିଭିନ୍ନ ଆଳ ଦେଖାଇ ଦୁଷ୍କର୍ମ କରିଆସୁଥିଲା ।
ନାବାଳିକା ଜଣକ ୫ମାସର ଗର୍ଭବତୀ ହେବା ଜାଣିବା ପରେ ବୃଦ୍ଧଙ୍କୁ ଏ ସମ୍ପର୍କରେ କହିଥିଲେ । ଅଭିଯୁକ୍ତ ମାୟାଧର ଏହି ଘଟଣାରେ ତାଙ୍କ ପୁଅ ସମ୍ପୃକ୍ତ କହିଦେବୁ ବୋଲି ନାବାଳିକାକୁ କହିବା ସହ ତାଙ୍କ ନାମ ପ୍ରକାଶ କଲେ ଜୀବନରୁ ମାରିଦେବ ବୋଲି ଧମକ ଦେଇ ଫେରାର ହୋଇଯାଇଥିଲେ । ନାବାଳିକାର ଅଭିଯୋଗକ୍ରମେ ପୁଲିସ ମାୟାଧରଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିଲା ।