ଭାଇଭଉଣୀଙ୍କ ସୀମାହୀନ ଭଲପାଇବା ଓ ସ୍ନେହର ପ୍ରତୀକ ହେଉଛି ରାକ୍ଷୀ । ରାକ୍ଷୀ କେବଳ ରେଶମ ସୂତା ଖଣ୍ଡରେ ସୀମିତ ନୁହେଁ ବରଂ ଏହି ସୂତାଖଣ୍ଡରେ ଭରି ରହିଛି ଅନେକ ସ୍ନେହ, ଶ୍ରଦ୍ଧା ଓ ଆବେଗ । ସାଧାରଣ ଭାବରେ ଭଉଣୀ ଭାଇ ହାତରେ ସ୍ନେହର ରାକ୍ଷୀ ବାନ୍ଧି ଦେଇ ଭାଇର ସୁରକ୍ଷା ଓ ମଙ୍ଗଳ କାମନା କରିଥାଏ । ଆଉ ପ୍ରତି ବଦଳରେ ଭାଇ ମଧ୍ୟ ଭଉଣୀର ଜୀବନବ୍ୟାପୀ ସମ୍ମାନ ଓ ସୁରକ୍ଷା ରକ୍ଷା କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଥାଏ ।
ପୌରାଣିକ ଯୁଗରୁ ରହିଆସିଛି ରାକ୍ଷୀର ମହତ୍ତ୍ୱ । ଏହି ରାକ୍ଷୀ ବନ୍ଧନ ପ୍ରଥା ପ୍ରଥମେ ସ୍ୱର୍ଗର ଦେବତା ମାନଙ୍କ ଠାରୁ ଆରମ୍ଭ ହୋଇଥିଲା । ବୈଦିକ ଯୁଗରୁ ରକ୍ଷାର ପ୍ରତୀକ ଭାବେ ରାକ୍ଷୀକୁ ଗ୍ରହଣ କରାଯାଇଛି । ଦୈତ୍ୟଗୁରୁ ଶୁକ୍ରାଚାର୍ଯ୍ୟ ଶ୍ରାବଣ ପୂର୍ଣ୍ଣିମା ଦିନ ଦୈତରାଜ ବଳି ହାତରେ ରକ୍ଷା କବଚ ବନ୍ଧନ କରିଥିଲେ। ପୌରାଣିକ ତଥ୍ୟ ଅନୁସାରେ ଦେବତା ଓ ଅସୁର ମାନଙ୍କ ମଧ୍ୟରେ ଦୀର୍ଘ ବାର ବର୍ଷ ଯୁଦ୍ଧ ହୋଇଥିଲା। ଶେଷରେ ଅସୁର ମାନେ ଇନ୍ଦ୍ରାଦି ସବୁ ଦେବତାଙ୍କୁ ପରାସ୍ତ କରିଥିଲେ । ଶେଷରେ ଦେବରାଜ ଇନ୍ଦ୍ର ଦେବଗୁରୁ ବୃହସ୍ପତିଙ୍କ ଶରଣାପନ୍ନ ହୋଇ ପରାମର୍ଶ ଲୋଡିଲେ । ଆଉ ସେହି ଅନୁସାରେ ଦେବରାଜ ଇନ୍ଦ୍ର ଓ ଶଚୀ ଅସୁର ସଂହାର ପାଇଁ ରକ୍ଷା ବ୍ରତ ପାଳନ କରିଥିଲେ । ଶ୍ରାବଣ ପୂର୍ଣ୍ଣିମା ଦିନ ଇନ୍ଦ୍ରାଣୀ ବ୍ରତ ସମାପନ କରି ଗାୟତ୍ରୀ ମନ୍ତ୍ର ପାଠ କରି ଇନ୍ଦ୍ରଙ୍କ ହାତରେ ରକ୍ଷା ବ୍ରତ ବାନ୍ଧିଥିଲେ । ଏହା ଦେବଗଣଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଭରି ଦେଲା । ଅସୁର ମାନଙ୍କୁ ଯୁଦ୍ଧରେ ବିନାଶ କରି ଦେବରାଜ ଇନ୍ଦ୍ର ବିଜୟୀ ହୋଇଥିଲେ ।
ଶ୍ରୀମଦ୍ ଭାଗବତରେ ବାମନ ଅବତାର ଅନୁଯାୟୀ ଭଗବାନଙ୍କର ପରମ ଭକ୍ତ ଅସୁର ସମ୍ରାଟ ବଳିର ସ୍ୱର୍ଗ ଅଧିକାର କରିବାର ପ୍ରୟାସ, ଇନ୍ଦ୍ର ବିଷ୍ଣୁଙ୍କ ଶରଣାପନ୍ନ ହେବା, ବିଷ୍ଣୁ ବାମନ ବେଶରେ ବଳିକୁ ତିନି ପାଦ ଭୂମି ମାଗିବା, ତୃତୀୟ ପାଦ ରଖିବାକୁ ସ୍ଥାନାଭାବ ହେତୁ ବଳି ନିଜ ପାଦ ବିଷ୍ଣୁଙ୍କ ପାଦ ତଲେ ସମର୍ପି ଦେବା, ବଳିର ବଚନ ରକ୍ଷାରେ ଖୁସି ହୋଇ ବିଷ୍ଣୁ ତାଙ୍କୁ ବରଦାନ ସ୍ୱରୂପ ବୈକୁଣ୍ଠ ତ୍ୟାଗ କରି ପାତାଳରେ ରହିବା ତଥା ଏଥିରେ ବିଚଳିତ ହୋଇ ଲକ୍ଷ୍ମୀ ବ୍ରାହ୍ମଣୀ ବେଶ ଧାରଣ କରି ବଳି ହାତରେ ଶ୍ରାବଣ ପୂର୍ଣ୍ଣିମା ଦିନ ରାକ୍ଷୀ ବାନ୍ଧିବା ଓ ଉପହାର ବାବଦକୁ ବିଷ୍ଣୁଙ୍କୁ ଫେରିପାଇବା ଭଳି ଅନେକ ପୌରାଣିକ କାହାଣୀ ସମେତ ଐତିହାସିକ କାହାଣୀ ମଧ୍ୟ ରହିଛି । ସେହିପରି ମହାଭାରତରେ କୃଷ୍ଣଙ୍କ ପରାମର୍ଶ କ୍ରମେ ଯୁଧିଷ୍ଠିର ତାଙ୍କ ସେନାବାହିନୀର ରକ୍ଷା ଲାଗି ରାକ୍ଷୀର ପର୍ବ ପାଳନ କରିଥିଲେ ।
ସେହିପରି ଶିଶୁପାଳ ବଦ୍ଧ ବେଳେ ସୁଦର୍ଶନ ଚକ୍ର ବାଜି କଟି ଯାଇଥିବା କୃଷ୍ଣଙ୍କ ତର୍ଜନୀରେ ଦ୍ରୌପଦୀ ନିଜ ଶାଢୀ ଚିରି ବାନ୍ଧି ଦେବା ଦିନଟି ବି ଶ୍ରାବଣ ପୂର୍ଣ୍ଣିମା ଥିଲା।
ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଜନ ଜାଗରଣ ଲାଗି ମଧ୍ୟ ଏହି ପର୍ବର ଆଶ୍ରୟ ନିଆଯାଇଥିଲା ।
ଓଡିଆ ସଂସ୍କୃତିରେ ରାକ୍ଷୀ ପୂର୍ଣ୍ଣିମାର ଅନ୍ୟ ଏକ ମହତ୍ତ୍ୱ ହେଉଛି ଏହି ଦିନ ଶ୍ରୀ ବଳଦେବ ନନ୍ଦରାଜାଙ୍କର ଅନ୍ୟତମ ପତ୍ନୀ ରୋହିଣୀଙ୍କ ଗର୍ଭରୁ ଜନ୍ମ ନେଇଥିଲେ । ରୋହିଣୀଙ୍କୁ ଗାଭୀ ଭାବେ ଅନେକ ସ୍ଥାନରେ ବର୍ଣ୍ଣନା କରାଯାଇଛି । ତେଣୁ ରୋହିଣୀ ବଳରାମଙ୍କୁ ଜନ୍ମ ଦେଇଥିବାରୁ ତାଙ୍କ ଜନ୍ମ ଦିନରେ ଗୋ ପୂଜନ କରିବାର ଏକ ପରମ୍ପରା ରହିଛି । କୃଷି କାର୍ଯ୍ୟରେ କୃଷକର ଏକାନ୍ତ ସହଯୋଗୀ ଓ କୃଷି ସଭ୍ୟତା ସହିତ ନିବିଡ ଭାବେ ସଂପୃକ୍ତ ଗୋ ସମ୍ପଦକୁ ସୁରକ୍ଷା ଦେବା ଏହି ପର୍ବର ମହାନତା ସୂଚାଇ ଦେଇଥାଏ । ଓଡିଶାରେ ଏହାକୁ ଗହ୍ଣାପୂର୍ଣ୍ଣିମା କୁହାଯାଏ । ଏହି ଦିନ ଗାଈଗୋରୁଙ୍କ ଶିଙ୍ଗରେ ରାକ୍ଷୀ ବାନ୍ଧି ସେମାନଙ୍କୁ ଶ୍ରାବଣ ପୂର୍ଣ୍ଣିମାରେ ହୋଇଥିବା ପିଠା ଖାଇବାକୁ ଦିଆଯାଏ ।
ସେହିପରି ଭଗବାନ ବଳରାମ ଗହ୍ଣା ନାମକ କୃଷି ତଥା ଗୋ ଅନିଷ୍ଠକାରୀ ମାୟାବୀ ଅସୁର ସହିତ ଶ୍ରାବଣ ପୂର୍ଣ୍ଣିମା ଦିନ ଯୁଦ୍ଧ କରୁଥିବା ସମୟରେ ସମସ୍ତ ନାଗରିକ କାନ୍ଧରେ ପଇତା ପକାଇ ନିଜ ନିଜ ଜୀବନକୁ ରକ୍ଷା କରି ପାରିଥିଲେ । ସେହି ପ୍ରାଚୀନ ଧାରାକୁ ଉଜ୍ଜିବୀତ କରି ରଖିବାକୁ ଏହି ଦିନ ବ୍ରାହ୍ମଣ ମାନେ ନିଜ ଯଜମାନଙ୍କ ହାତରେ ରାକ୍ଷୀ ବାନ୍ଧି ତିଳକ ପିନ୍ଧାଇ ଥାଆନ୍ତି । କେବଳ ଓଡିଶା କାହିଁକି ମହାରାଷ୍ଟ୍ର ଓ ରାଜସ୍ଥାନରେ ମଧ୍ୟ ରାକ୍ଷୀ ପୂର୍ଣ୍ଣିମା ଖୁବ ଆଡମ୍ବର ସହକାରେ ପାଳନ କରାଯାଇଥାଏ । ଭାରତର ଉତ୍ତରାଞ୍ଚଳରେ ଏହି ପର୍ବ ଶ୍ରାବଣୀ ନାମରେ ପରିଚିତ । ସେହିପରି ନେପାଳର ପାହାଡି ଇଲାକାରେ ବ୍ରାହ୍ମଣ ଓ କ୍ଷତ୍ରିୟ ମାନେ ଏହି ପର୍ବ ଗୁରୁ ଓ ଭାଇଙ୍କ ସହିତ ପାଳନ କରିଥାନ୍ତି । ବିଶ୍ୱବିଖ୍ୟାତ ଅମରନାଥ ଯାତ୍ରା ମଧ୍ୟ ପବିତ୍ର ଗୁରୁପୂର୍ଣ୍ଣିମାରୁ ଆରମ୍ଭ ହୋଇ ରାକ୍ଷୀପୂର୍ଣ୍ଣିମା ଦିନ ଶେଷ ହୋଇଥାଏ ।