23.1 C
Bhubaneswar
Tuesday, March 19, 2024
Homeଏକ୍ସକ୍ଲୁସିଭ୍ରାଜ୍ୟସଭା: ଭୋଟ କଂଗ୍ରେସ ଉପରେ ନିର୍ଭର

ରାଜ୍ୟସଭା: ଭୋଟ କଂଗ୍ରେସ ଉପରେ ନିର୍ଭର

ଭୁବନେଶ୍ୱର (ଓଡ଼ିଶା ନ୍ୟୁଜ ଏଜେନ୍ସି): ରାଜ୍ୟସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏବେ ରାଜନୈତିକ ଛକାପଞ୍ଝା ଜୋରଦାର ହୋଇଛି । ଓଡ଼ିଶାର ୪ଟି ରାଜ୍ୟସଭା ସଦସ୍ୟ ପଦରୁ ଖାଲି ହେଉଛି । ଭାରତର ନିର୍ବାଚନ କମିଶନର ମାର୍ଚ୍ଚ ୨୬ରେ ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି । କୁହାଯାଉଛି ଓଡ଼ିଶାରେ ନିର୍ବାଚନ ହେବ କି ନାହିଁ ତାହା କଂଗ୍ରେସ ଉପରେ ନିର୍ଭର କରୁଛି । କଂଗ୍ରେସ ଯଦି ପ୍ରାର୍ଥୀ ଦେବାରେ ସମର୍ଥ ହୁଏ ତେବେ ନିର୍ବାଚନ ଅବସମ୍ଭାବୀ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ କହୁଛନ୍ତି । କଂଗ୍ରେସ ପ୍ରାର୍ଥୀ ନ ଦେଲେ ବିଜେପି-ବିଜେଡି ଭିତରେ ଯେଉଁ ଭିତିରି ବୁଝାମଣା ରହିଛି ସେଥିରେ ଉଭୟ ବୁଝାଶୁଝା ହୋଇ ୪ ପ୍ରାର୍ଥୀ ଦେଲେ ଆଉ ନିର୍ବାଚନ ହେବନାହିଁ ।
ବିଜେଡି ଚାଲ ଚଳାଇଲେ ୪ଟି ଆସନ ନେବାରେ ହୁଏତ ସମର୍ଥ ହୋଇପାରେ । କିନ୍ତୁ ପୂର୍ବରୁ ବିଜେଡି ଆବଶ୍ୟକ ସଂଖ୍ୟା ନ ଥାଇ ମଧ୍ୟ ବିଜେପିକୁ ଗୋଟିଏ ରାଜ୍ୟସଭା ଆସନ ଅଜାଚିତ ଭାବେ ଟେକିଦେଇଥିବାରୁ ଉଭୟଙ୍କ ମଧ୍ୟରେ ସମ୍ପର୍କର ନୀବିଡ଼ତା ଧରାପଡ଼ିଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଫୋନ ପାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୋଟିଏ ରାଜ୍ୟସଭା ଆସନ ଗତଥର ବିଜେପିକୁ ଟେକିଦେଇଥିଲେ । ଏଣୁ ଏଥର ୪ ଆସନ ଖାଲି ହେଉଥିଲେ ବି ବିଜେଡି କେବଳ ୩ଟି ଅକ୍ତିଆର କରିବାରେ ସମର୍ଥ ହେବ । ଏଣୁ ବିଜେପି ଗୋଟିଏ ଆସନ ହାସଲ କରିବାକୁ ଚାହିଁବ । ବିଜେପି ଯଦି ଚାପ ପକାଏ ତେବେ ବିଜେଡି ହୁଏତ ବାଟ ଛାଡ଼ି ଦେବାର ସମ୍ଭାବନା ଅଧିକ ରହିଛି । କାରଣ ରାଜ୍ୟସଭାରେ ବିଜେପିର ସଂଖ୍ୟା ଅଧିକ ନାହିଁ । ଏଣୁ ଦଳର ସର୍ବୋଚ୍ଚ ନେତାମାନେ ଚାହୁଁଛନ୍ତି ରାଜ୍ୟସଭାରେ କିପରି ସଂଖ୍ୟା ଅଧିକ ହେବ । ସେଥିଲାଗି ବିଜେପି ଗୋଟିଏ ଆସନ ନେବାରେ କିଛି ଅସୁବିଧା ହେବନାହିଁ । ଏପରିକି କିଛି ନେତା ମତ ଦେଉଛନ୍ତି ବିଜେପି ଦୁଇଟି ଆସନ ନେଇଯାଇପାରେ । ବିଜେଡି ୩ ବଦଳରେ ୨ଟି ଆସନରେ ପ୍ରାର୍ଥୀ ଦେବ । ଆଉ ବିଜେପି ୨ଟି ଆସନରେ ପ୍ରାର୍ଥୀ ଦେବ । ପ୍ରାର୍ଥୀପତ୍ର ଦାଖଲ ହେବା ପରେ ଏକଥା ସ୍ପଷ୍ଟ ହେବ ।
କିନ୍ତୁ ବର୍ତ୍ତମାନ ପରିସ୍ଥିତି ଯାହା ବିଜେଡି ତାର ପ୍ରଥମ ପସନ୍ଦ ଓ ଦ୍ୱିତୀୟ ପସନ୍ଦ ଭୋଟକୁ ନେଇ ୪ଟି ଆସନ ଅକ୍ତିଆର କରିବାକୁ ଚାହିଁଲେ କିଛିଟା ସଫଳତା ମିଳିପାରେ । କିନ୍ତୁ ବିଜେପି ଯଦି ପ୍ରାର୍ଥୀ ଦେବ ସେ କ୍ଷେତ୍ରରେ ବିଜେଡି ଆଉ ବିଜେପି ବିରୋଧରେ ଯିବ ବୋଲି ଆଶା ଦେଖାଯାଉନାହିଁ । ବିଜେପି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ ଏକଥା ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ ଘୋଷଣା କରିସାରିଛନ୍ତି । ଏପରି କି ସେ ସୂଚନା ଦେଇଛନ୍ତି ଆବଶ୍ୟକ ହେଲେ ଦଳ ବିଜେଡିର ସହଯୋଗ ମଧ୍ୟ ନେଇପାରେ । ଏଣୁ ବିଜେପି-ବିଜେଡି ଭାଗବାଣ୍ଟି ୪ଟି ଆସନ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନେଇ ଯାଇପାରିବେ ।
ହେଲେ କଂଗ୍ରେସ ଚାହିଁଲେ ଉଭୟ ବିଜେପି ଓ ବିଜେଡିକୁ ଦ୍ୱନ୍ଦ୍ୱରେ ପକାଇ ଦେବାରେ ସମର୍ଥ ହେବ । କାରଣ ନିର୍ବାଚନ ହେଲେ କୁଆଡ଼େ ସ୍ଥିତି ଗତିକରିବ ତାହା କହିବା କଷ୍ଟକର । ଅବଶ୍ୟ କଂଗ୍ରେସର ପ୍ରାର୍ଥୀ ଦେବାର କ୍ଷମତା ନାହିଁ । କିନ୍ତୁ ସିପିଏମର ଜଣେ ବିଧାୟକ ନିର୍ବାଚିତ ହୋଇଥିବାରୁ ଏବଂ ବାମପନ୍ଥୀ ଦଳ ପ୍ରାୟ କଂଗ୍ରେସ ସହ ରହିଥିବାରୁ ଏ କ୍ଷେତ୍ରରେ ଦଳ ଚାହିଁଲେ ପ୍ରାର୍ଥୀ ଦେବାରେ ଅସୁବିଧା ହେବନାହିଁ । କଂଗ୍ରେସର ୯ଜଣ ବିଧାୟକ ଅଛନ୍ତି । ଏଣୁ ପ୍ରାର୍ଥୀ ଦେବା ପାଇଁ ଦଳକୁ ଆଉଜଣେ ବିଧାୟକଙ୍କର ସମର୍ଥନ ଦରକାର । ଅବଶ୍ୟ ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ପୂର୍ବରୁ କଂଗ୍ରେସରେ ଥିଲେ । କଂଗ୍ରେସ ଟିକେଟ ନ ପାଇବାରୁ ସେ ସ୍ୱାଧୀନ ଭାବେ ଲଢ଼ି ଜିତିଛନ୍ତି । କିନ୍ତୁ ଇତିମଧ୍ୟରେ ସେ ନବୀନ ନିବାସ ଯାଇ ନବୀନ ପଟ୍ଟନାୟକଙ୍କ ପ୍ରାର୍ଥୀ ତାଙ୍କର ଆନୁଗତ୍ୟ ପ୍ରଦର୍ଶନ କରିଛନ୍ତି । ଏ କ୍ଷେତ୍ରରେ ସେ ଆଉ କଂଗ୍ରେସକୁ ସମର୍ଥନ କରିବେ ତାହା କହିବା କଷ୍ଟକର । ଏଣୁ ସିପିଏମ ସମର୍ଥନ ପାଇଲେ କଂଗ୍ରେସ ପ୍ରାର୍ଥୀ ଦେବାରେ କିଛି ଅସୁବିଧା ହେବ ନାହିଁ । କଂଗ୍ରେସ ପ୍ରାର୍ଥୀ ଦେଲେ ନିର୍ବାଚନ ନିଶ୍ଚିନ୍ତ ହୋଇଯିବ । କାରଣ ମଇଦାନରେ ୫ ଜଣ ପ୍ରାର୍ଥୀ ଆସିବେ । ୪ ଆସନ ପାଇଁ ୫ ପ୍ରାର୍ଥୀ ହେଲେ ନିର୍ବାଚନ ହେବା ସ୍ୱଭାବିକ । କଂଗ୍ରେସ ହାଇକମାଣ୍ଡର ଦଳ । ଏଣୁ ହାଇକମାଣ୍ଡ କଣ ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ସବୁ କିଛି ନିର୍ଭର କରିବ ।
କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି ଯଦି ବାମଦଳ ରାଜି ହୁଏ ତେବେ ଆମେ ପ୍ରାର୍ଥୀପତ୍ର ଦାଖଲ କରିପାରିବୁ । କିନ୍ତୁ ଏ ନେଇ ଦଳ ନିଷ୍ପତ୍ତି ନେ, ଆମେ ପ୍ରାର୍ଥୀ ଦେବୁ କି ନାହିଁ । କାରଣ ଆମେ ପ୍ରାର୍ଥୀ ଦେଲେ ବି ହାରିବା ସୁୁନିଶ୍ଚିତ । ଅନ୍ୟ ଦଳର ପ୍ରାର୍ଥୀଙ୍କୁ କେବଳ ବିରୋଧଭାବ ପ୍ରଦଶର୍ନ କରିବା ପାଇଁ ଦଳ ହୁଏତ ଯଦି ନିଷ୍ପତ୍ତି ନେବ ତାହାହେଲେ ପ୍ରାର୍ଥୀ ଦେଇପାରେ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking