24.1 C
Bhubaneswar
Tuesday, May 24, 2022
Homeଓଡିଶାରାଜ୍ୟସଭା ଭୋଟ: ବିଜେଡି ଉପରେ ନଜର

ରାଜ୍ୟସଭା ଭୋଟ: ବିଜେଡି ଉପରେ ନଜର

ଭୁବନେଶ୍ୱର (ଓଡ଼ିଶା ନ୍ୟୁଜ ଏଜେନ୍ସି): ରାଜ୍ୟସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି । ଏଣୁ ରାଜ୍ୟସଭାକୁ କିଏ ପ୍ରାର୍ଥୀ ହେବେ ତାକୁ ନେଇ ଏବେଠାରୁ ବେଶ ତତ୍ପରତା ଦେଖାଦେଇଛି । ବିଶେଷ କରି ବିଜେଡି ଉପରେ ସମସ୍ତଙ୍କର ନଜର ରହିଛି । ବିଜେଡିର ୩ ଆସନ ଖାଲି ହେଉଛି । ଦଳର ବିଧାୟକଙ୍କ ସଂଖ୍ୟା ଅନୁସାରେ ୩ଟି ଯାକ ଆସନ ଅକ୍ତିଆର କରିପାରିବ । କଂଗ୍ରେସର ଗୋଟିଏ ଆସନ ଖାଲି ହେଉଛି । ଏଥିରେ କିଏ ଯିବେ ତାହା ଅନିଶ୍ଚିତତା ଭିତରେ ରହିଛି । ବିଜେପି ଗୋଟିଏ ନେବ ବୋଲି ସମସ୍ତେ ଆଶଙ୍କା କରୁଛନ୍ତି । ହେଲେ ଦଳର ସଂଖ୍ୟା ନାହିଁ । କାହାକୁ ଆଶ୍ରା କରି ଦଳ ଆସନ ହାତୋଉଛି ତାହା ଦେଖିବାକୁ ବାକି । କିନ୍ତୁ ବିଜେଡିର ଯେଉଁ ୩ ଆସନ ଖାଲି ହେଉଛି ସେଥିରେ ଦଳ କାହାକୁ ପଠାଉଛି ତାକୁ ନେଇ କଳ୍ପନା ଜଳ୍ପନା ଜାରିରହିଛି ।
ସବୁବେଳେ ଦେଖାଯାଇଛି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚର୍ଚ୍ଚା ବାହାରୁ ପ୍ରାର୍ଥୀଙ୍କୁ ରାଜ୍ୟସଭା ପଠାଇ ଥାନ୍ତି । କଦବା କ୍ୱଚିତ ଚର୍ଚ୍ଚା ଭିତରର ପ୍ରାର୍ଥୀଙ୍କୁ ସୁଯୋଗ ମିଳିଥାଏ । ଯାହା ରାଜନୈତିକ ଚର୍ଚ୍ଚା ହେଉଛି ସେଥିରେ ବିଜେଡି ସୁପ୍ରିମୋ ପୂର୍ବରୁ ୨ ଦଳୀୟ ନେତାଙ୍କୁ ରାଜ୍ୟସଭାକୁ ପଠାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଜଣେ ହେଲେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ଅନ୍ୟ ଜଣେ ହେଲେ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ । ପାଟ୍ଟଶାଣିଙ୍କୁ ଯେତେବେଳେ ଲୋକସଭା ନିର୍ବାଚନରୁ ଟିକେଟରୁ ବଂଚିତ କରାଗଲା ସେତେବେଳେ ନବୀନ ତାଙ୍କୁ ରାଜ୍ୟସଭାକୁ ପଠାଇବା ପାଇଁ ନିଷ୍ପତି ନିଆଯାଇଛି ବୋଲି କହିଥିଲେ । ସେହିପରି ଚ୍ୟାଉପଟ୍ଟନାୟକଙ୍କୁ ଯେତେବେଳେ ଟିକେଟରୁ ବଂଚିତ କରାଗଲା ସେ ସମୟରେ ନବୀନ ଘୋଷଣା କରିଥିଲେ ସେ ରାଜ୍ୟସଭାକୁ ଯିବେ । ଏଣୁ ଗତବର୍ଷ ଯେତେବେଳେ ରାଜ୍ୟସଭା ନିର୍ବାଚନ ହେଲା ସେ ସମୟରେ ଏ ଦୁଇଜଣଙ୍କ ଭିତରୁ କାହାରି ଭାଗ ପଡ଼ିଲା ନାହିଁ । ସଂଖ୍ୟା ନ ଥିଲେ ବି ବିଜେପି ଗୋଟିଏ ଆସନ ବିଜେଡିଠାରୁ ନେଇଗଲା । ଯେହେତୁ ଏଥର ସୁଯୋଗ ଆସିଛି ଓ ୩ ଆସନ ଦଳର ଖାଲି ହେଉଛି ସେତେବେଳେ ପାଟ୍ଟଶାଣୀ ଓ ଚ୍ୟାଉ ପଟ୍ଟନାୟକ ଆଶାୟୀ ହେବା ସ୍ୱଭାବିକ । ନବୀନ ଉଭୟଙ୍କୁ ନିରାଶ କରୁଛନ୍ତି କି କାହାକୁ ସୁଯୋଗ ଦେଉଛନ୍ତି ତାହା ପ୍ରାର୍ଥୀପତ୍ର ଦାଖଲ ପରେ ଜଣାପଡ଼ିବ । କିନ୍ତୁ ଜଣକର ପାଳି ପଡ଼ିପାରେ ବୋଲି ଆଲୋଚନା ହେଉଛି । ଅନ୍ୟପଟେ ନବୀନଙ୍କ ବନ୍ଧୁ ଅନଙ୍ଗ ଉଦୟ ସିଂହଦେଓ ତାଙ୍କ ପୁଅ ପାଇଁ ଗୋଟିଏ ଆସନ ପାଇବାକୁ ଆଶା ରଖିଛନ୍ତି । ଗତଥର ମଧ୍ୟ ଉଦ୍ୟମ କରିଥିଲେ ବି ନବୀନ ତାଙ୍କୁ ନିରାଶ କରିଥିଲେ । ଏଥର ଲୋକସଭା ଓ ବିଧାନସଭା ଉଭୟ ଆସନରେ ଅନଙ୍ଗଙ୍କ ଦୁଇ ପୁଅଙ୍କୁ ଦଳ ପ୍ରାର୍ଥୀ କରିଥିଲେ ମଧ୍ୟ ସଫଳ ହେଲେ ନାହିଁ । ଏଣୁ ବଲାଙ୍ଗୀର ଜିଲ୍ଲାରେ ନିର୍ବାଚନୀ ରାଜନୀତିରୁ ଅନଙ୍ଗଙ୍କ ପରିବାର ଦୂରେଇ ଯାଇଛନ୍ତି । ଏଣୁ ଜଣେ ପୁଅକୁ ରାଜ୍ୟସଭା ପଠାଇ ରାଜନୀତିରେ ଦବଦବା ରଖିବାକୁ ଅନଙ୍ଗ ଢ଼େର ଦିନ ହେଲା ଲବି ଚଳାଇଛନ୍ତି ।
ରାଜନୈତିକ ମହଲରେ ଆଉ ଏକ ବଡ଼ ଆଲୋଚନା ହେଉଛି ଦିଲ୍ଲୀପ ରାୟ ଏଥର ବିଜେଡିରୁ ରାଜ୍ୟସଭାକୁ ଯାଇପାରନ୍ତି । ଦିଲ୍ଲୀପ ଓ ବିଜୟ ମହାପାତ୍ର ଏକ ସଙ୍ଗରେ ବିଜେପି ଛାଡ଼ିଥିଲେ । ବିଜେଡିରେ ଯୋଗ ଦେବେ ବୋଲି ବହୁ ଚର୍ଚ୍ଚା ହୋଇଥିଲା । କିନ୍ତୁ ତାହା ସମ୍ଭବ ହେଲାନାହିଁ । ଏଣୁ ବିଜୟ ବିଜେପିକୁ ଫେରିଯାଇଥିଲା ବେଳେ ଦିଲ୍ଲୀପ ଆଉ ଫେରି ନ ଥିଲେ । ହେଲେ ବିଜେଡି ସହ ତାଙ୍କର ଯୋଗାଯୋଗ ରହି ଆସିଛି ବୋଲି ଅନେକ ସମୟରେ ଚର୍ଚ୍ଚା ହେଉଛି । ଏଣୁ ଏଥର ୩ଟି ଆସନ ଖାଲି ହେଉଥିବାରୁ ଦିଲ୍ଲୀପ ବିଜେଡି ମିଶି ରାଜ୍ୟସଭାକୁ ଯାଇପାରନ୍ତି ବୋଲି କୁହାଯାଉଛି । ବିଜେଡି ଆଶାରେ ଦିଲ୍ଲୀପ ଏପର୍ଯ୍ୟନ୍ତ ବିଜେପିରେ ମିଶି ନାହାଁନ୍ତି ବୋଲି ଆଲୋଚନା ହେଉଛି ।
ସରୋଜିନୀ ହେମ୍ବ୍ରମଙ୍କ ସ୍ଥାନରେ ଦଳ ଜଣେ ମହିଳାଙ୍କୁ ପଠାଇବାର ଯଥେଷ୍ଟ ସମ୍ଭାବନା ରହିଛି । ସରୋଜିନୀଙ୍କୁ ପୁଣି ଥରେ ସୁଯୋଗ ନ ମିଳିପାରେ ବୋଲି କୁହାଯାଉଛି । ଏଣୁ ଯଦି ସରୋଜିନୀ ନ ଯାଆନ୍ତି ତେବେ ତାଙ୍କ ସ୍ଥାନରେ କାହାକୁ ନବୀନ ପଠାଇବେ ତାହା ଉପରେ ନଜର ରହିଛି । ଦଳର ଅନେକ ମହିଳା ଏବେ ଆଶାବନ୍ଧି ବସିଛନ୍ତି । କାହା ମୁଣ୍ଡରେ ନବୀନ ସୁନା କଳସ ଢ଼ାଳୁଛନ୍ତି ଦେଖିବା କଥା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking