40.1 C
Bhubaneswar
Thursday, April 25, 2024
Homeଓଡିଶାରାଜ୍ୟସଭା ନିର୍ବାଚନ: ଚତୁର୍ଥ ଆସନ ପାଇଁ ଛକାପଞ୍ଝା

ରାଜ୍ୟସଭା ନିର୍ବାଚନ: ଚତୁର୍ଥ ଆସନ ପାଇଁ ଛକାପଞ୍ଝା

ଭୁବନେଶ୍ୱର (ଓଡ଼ିଶା ନ୍ୟୁଜ ଏଜେନ୍ସି): ରାଜ୍ୟସଭା ନିର୍ବାଚନ ପାଇଁ ଭାରତର ନିର୍ବାଚନ କମିଶନର ଆଜି ତାରିଖ ଘୋଷଣା କରିବା ପରେ ଏ ନେଇ ରାଜନୈତିକ ଚଳଚଞ୍ଚଳତା ଦେଖାଦେଇଛି । ଓଡ଼ିଶାର ୪ଟି ଆସନ ଖାଲି ହେଉଛି । ଏଥିରେ ବିଜେଡିର ୩ଟି ଓ ଗୋଟିଏ କଂଗ୍ରେସର । ରାଜ୍ୟସଭା ନିର୍ବାଚନ ପାଇଁ କେବଳ ବିଧାନସଭାର ସଦସ୍ୟମାନେ ଭୋଟି ଦେବେ । ବିଧାୟକମାନଙ୍କ ଭୋଟରେ ରାଜ୍ୟସଭା ସଦସ୍ୟ ନିର୍ବାଚିତ ହେବେ । ଏଣୁ କଂଗ୍ରେସ ଆଉ ପ୍ରାର୍ଥୀଦେବା ସ୍ଥିତିରେ ନାହିଁ, ଜିତାଇବାତ ଦୂରର କଥା । କାରଣ ରାଜ୍ୟସଭା ନିୟମ ଅନୁସାରେ ଜଣେ ପ୍ରାର୍ଥୀ ଛିଡ଼ା ହେବା ପାଇଁ ସର୍ବନିମ୍ନ ୧୦ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ହେଲେ କଂଗ୍ରେସର ଏଥର ମାତ୍ର ୯ ଜଣ ବିଧାୟକ ଜିତିକି ଆସିଛନ୍ତି । ଏଣୁ ବିଜେଡି ଏକାକୀ ୩ଟି ଆସନ ନିଦ୍ୱନ୍ଦ୍ୱରେ ଜିତିବ । ଆଉ ଗୋଟିଏ ଆସନ ପାଇଁ ରାଜନୈତିକ ଛକାପଞ୍ଝା ଦେଖାଦେବ । ବିଜେପିର ବିଧାୟକ ସଂଖ୍ୟା ଯାହା ସେଥିରେ ଦଳ ପ୍ରାର୍ଥୀ ଛିଡ଼ା କରାଇବାରେ ଅସୁବିଧା ହେବନାହିଁ କିନ୍ତୁ ଏକାକି ଜିତିବା ସମ୍ଭବ ନୁହେଁ । ବିଧାନସଭାରେ ଦଳର ୨୩ଜଣ ବିଧାୟକ ଅଛନ୍ତି ।
ଓଡ଼ିଶା ବିଧାନସଭାର ୧୪୭ ଆସନ ମଧ୍ୟରୁ ୪ ରାଜ୍ୟସଭା ଆସନ ପାଇଁ ହାରାହାରି ଜଣେ ପ୍ରାର୍ଥୀଙ୍କ ଲାଗି ବିଜୟ ହେବା ପାଇଁ ଅନ୍ୟୂନ ୩୭ ଜଣ ବିଧାୟକଙ୍କ ପ୍ରଥମ ପସନ୍ଦର ଭୋଟ ଆବଶ୍ୟକ ପଡ଼ିବ । ବିଧାନସଭାରେ ରାଜନୈତିକ ଦଳମାନଙ୍କ ସ୍ଥିତି ଯାହା ସେଥିରେ ବିଜେଡିର ସର୍ବାଧିକ ୧୧୪ ଜଣ ବିଧାୟକ ଥିଲା ବେଳେ ବିଜେପିର ୨୩ଜଣ, କଂଗ୍ରେସର ୯ଜଣ ଏବଂ ସିପିଏମର ଜଣେ ଓ ଜଣେ ସ୍ୱାଧୀନ ବିଧାୟକ ଅଛନ୍ତି । ଏ କ୍ଷେତ୍ରରେ ବିଜେଡି ତାର ୩ଟି ଆସନ ସହଜରେ ଅକ୍ତିଆର କରିନେବ । ଏହା ପରେ ବିଜେଡି ଚତୁର୍ଥ ଆସନ ପାଇବାକୁ ହେଲେ ଦଳ ପାଖରେ ଆବଶ୍ୟକ ସଂଖ୍ୟକ ବିଧାୟକ ନାହାଁନ୍ତି । ୩ ଆସ ପାଇଁ ୧୧୧ ଜଣ ବିଧାୟକଙ୍କ ପ୍ରଥମ ପସନ୍ଦ ଗଲେ ଦଳ ହାତରେ ଆଉ ମାତ୍ର ୩ ଜଣ ବିଧାୟକଙ୍କ ପ୍ରଥମ ପସନ୍ଦ ଭୋଟ ରହୁଛି । ଏଣୁ ବିଜେଡି କୌଣସି ପରିସ୍ଥିତିରେ ଚତୁର୍ଥ ଆସନ ପାଇପାରିବ ନାହିଁ । କାରଣ ବିଜେଡିକୁ ଆଉ ୩୪ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ପଡ଼ିବ ।
ଏକ୍ଷେତ୍ରରେ ବିଜେପି ହାତରେ ୨୩ ଆସନ ଥିବାରୁ ଦଳକୁ ଜିତିବା ପାଇଁ ଆଉ ୧୪ ବିଧାୟକଙ୍କ ସମର୍ଥନ ଦରକାର । ଏ କ୍ଷେତ୍ରରେ ବିଜେଡି ପୂର୍ବରୁ ବିଜେପିକୁ ରାଜ୍ୟସଭା ନିର୍ବାଚନରେ ସମର୍ଥନ ଦେଇଥିବାରୁ ଯଦି ପୁଣି ସମର୍ଥନ ଦିଏ ତେବେ ଦଳର ବଳକା ହୋଇଥିବା ୩ ବିଧାୟକଙ୍କ ପ୍ରଥମ ପସନ୍ଦ ସମର୍ଥନ ପାଇପାରିବେ । କିନ୍ତୁ ଜିତିବା ଲାଗି ପ୍ରଥମ ପସନ୍ଦ ସମର୍ଥନ ହେବ ନାହିଁ । ବିଜେପିକୁ ଆଉ ୧୧ଜଣଙ୍କ ସମର୍ଥନ ଦରକାର । କଂଗ୍ରେସ କି ବାମପନ୍ଥୀ ବିଜେପିକୁ ସମର୍ଥନ ଦେବା ସମ୍ଭବ ନୁହେଁ । ଏ କ୍ଷେତ୍ରରେ ବିଜେଡିର ଯଦି ଦ୍ୱିତୀୟ ପସନ୍ଦ ଭୋଟ ଉପରେ ଅନେକ କିଛି ନିର୍ଭର କରିବ । ଗଣିତ ଖେଳରେ କିଏ ଆଗୋଉଛି ତାହା ଦେଖିବା କଥା । ଏଣୁ ଚତୁର୍ଥ ଆସନ ପାଇଁ ରାଜନୈତିକ ଛକାପଞ୍ଝା ଦେଖାଦେବ ବୋଲି ଏବେଠାରୁ ସ୍ପଷ୍ଟ ସୂଚନା ମିଳୁଛି ।
ଏବେ ରାଜ୍ୟସଭାର ଯେଉଁ ୪ ଆସନ ଖାଲି ହେଉଛି ସେଥିରେ ବିଜେଡିର ରାଜ୍ୟସଭା ସଦସ୍ୟ ସରୋଜିନୀ ହେମ୍ବ୍ରମ, ନରେନ୍ଦ୍ର ସ୍ୱାଇଁ ଓ ପୂର୍ବରୁ ଇସ୍ତଫା ଦେଇଥିବା ଅନୁଭବ ମହାନ୍ତି ଏବଂ କଂଗ୍ରେସର ରଞ୍ଜିବ ବିଶ୍ୱାଳଙ୍କ କାର୍ଯ୍ୟକାଳ ଶେଷ ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking