ରାଜସ୍ଥାନ ରୟାଲ୍ସ ତା’ର ଅଷ୍ଟମ ପରାଜୟ ବରଣ କରି ପ୍ଲେଅଫ୍ ଦୌଡ଼ରୁ ବାଦ୍ ପଡ଼ିଛି

ଶାରଜାହ: ଚଳିତ ଆଇପିଏଲ୍‌ର ଚତୁର୍ଦ୍ଦଶ ସଂସ୍କରଣର ଦ୍ୱିତୀୟ ଚରଣ ୟୁଏଇରେ ଜାରି ରହିଥିବା ବେଳେ ମଙ୍ଗଳବାର ୫୧ତମ ମ୍ୟାଚ୍ ଖେଳାଯାଇଛି । ଏଥିରେ ଡିଫେଣ୍ଡିଙ୍ଗ୍ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ପ୍ରତିପକ୍ଷ ରାଜସ୍ଥାନ ରୟାଲ୍ସକୁ ବୃହତ୍ ୮ ୱିକେଟ୍‌ରେ ଓ ହାତରେ ୭୦ଟି ବଲ୍ ବାକି ଥିବା ବେଳେ ପରାସ୍ତ କରି ଷଷ୍ଠ ବିଜୟ ସହ ପଏଣ୍ଟ୍ ଟେବଲ୍‌ରେ ପଞ୍ଚମ ସ୍ଥାନରେ ବଳବତ୍ତର ରହିଛି । ଅନ୍ୟପକ୍ଷରେ ରାଜସ୍ଥାନ ରୟାଲ୍ସ ତା’ର ଅଷ୍ଟମ ପରାଜୟ ବରଣ କରି ପ୍ଲେଅଫ୍ ଦୌଡ଼ରୁ ବାଦ୍ ପଡ଼ିଛି । ଏହି ମ୍ୟାଚ୍‌ରେ ମୁମ୍ବାଇ ପକ୍ଷରୁ ପେସର୍ ନାଥନ୍ କୁଲଟର୍‌-ନାଇଲ୍ ଚମତ୍କାର ବୋଲିଂ କରି ତାଙ୍କର ୪ ଓଭର୍‌ରେ ମାତ୍ର ୧୪ ରନ୍ ଦେଇ ୪ ଜଣ ବ୍ୟାଟ୍ସମ୍ୟାନ୍‌ଙ୍କୁ ଆଉଟ୍ କରି ଦଳର ବିଜୟରେ ମୁଖ୍ୟ ଭୂମିକା ନେଇଥିବାରୁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି । ସେହିପରି ବ୍ୟାଟିଂରେ ଓପନର ଈଶାନ୍ କିଶନ୍ ଦଳକୁ ପ୍ରତ୍ୟାବର୍ତ୍ତନ କରି ଅପରାଜିତ ୫୦ ରନ୍ କରି ଦଳକୁ ବିଜୟ ଲକ୍ଷ୍ୟରେ ପହଞ୍ଚାଇଥିଲେ ।

ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ରାଜସ୍ଥାନ ୯ ୱିକେଟ୍‌ରେ ମାତ୍ର ୯୦ ରନ୍ କରିଥିଲା । ଦଳ କୁଲ୍‌ଟର୍‌-ନାଇଲ୍ ଓ ଜେମ୍ସ ନିଶାମ୍ ଏବଂ ଜସପ୍ରୀତ୍ ବୁମରାଙ୍କ ପେସ୍ ବୋଲିଂର ସାମ୍ନା କରିବାରେ ବିଫଳ ହୋଇଥିଲା । ତେଣୁ ମାତ୍ର ୪ ଜଣ ବ୍ୟାଟ୍ସମ୍ୟାନ୍ ୨ ଅଙ୍କରେ ପହଞ୍ଚିଥିଲେ । ସେମାନଙ୍କ ମଧ୍ୟରୁ ଓପନର ଏଭିନ୍ ଲୁଇସ୍ ୩ଟି ଚୌକା ଓ ଗୋଟିଏ ଛକା ସହ ୨୪ ରନ୍ କରିଥିବା ବେଳେ ଡେଭିଡ୍ ମିଲର୍ ୧୫ ଏବଂ ୩ଟି ଚୌକା ସହ ଅନ୍ୟତମ ଓପନର ଯଶସ୍ୱୀ ଜୈସ୍ୱାଲ୍ ଏବଂ ରାହୁଲ୍ ଟେୱଟିଆ ୧୨ ରନ୍ ଲେଖାଏଁ କରିଥିଲେ । କୁଲ୍‌ଟର୍‌-ନାଇଲ୍‌ଙ୍କ ବ୍ୟତୀତ ନିଶାମ୍ ୩ଟି ଓ ବୁମ୍‌ରା ୨ଟି ୱିକେଟ୍ ନେଇଥିଲେ । ମାତ୍ର ୯୧ ରନ୍‌ର ବିଜୟ ଲକ୍ଷ୍ୟର ପିଛା କରି ବ୍ୟାଟିଂ ଆରମ୍ଭ କରିଥିବା ମୁମ୍ବାଇ ଓପନର ତଥା ଅଧିନାୟକ ରୋହିତ ଶର୍ମାଙ୍କୁ ସଅଳ ହରାଇଥିଲା । ରୋହିତ ଗୋଟିଏ ଚୌକା ଓ ୨ଟି ଛକା ସହ ୨୨ ରନ୍ କରିଥିଲେ । ପରେ ଫର୍ମହୀନ ଥିବା ସୂର୍ଯ୍ୟକୁମାର ଯାଦବ ୩ଟି ଚୌକା ସହ ୧୩ ରନ୍ କରି ଆଉଟ୍ ହୋଇଥିଲେ । କିନ୍ତୁ କିଶନ୍ ଚମତ୍କାର ବ୍ୟାଟିଂ କରି ମାତ୍ର ୨୫ ବଲ୍‌ରେ ୫ଟି ଚୌକା ଓ ୩ଟି ଛକା ସହାୟତାରେ ୫୦ ରନ୍ କରି ଅପରାଜିତ ରହିବା ସହ ୮.୨ ଓଭର୍‌ରେ ଦଳୀୟ ସ୍କୋର୍‌କୁ ୯୪/୨ରେ ପହଞ୍ଚାଇଥିଲେ । ତାଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟା ୫ ରନ୍ କରି ଅପରାଜିତ ଥିଲେ । ଉଭୟଙ୍କ ମଧ୍ୟରେ ତୃତୀୟ ୱିକେଟ୍‌ରେ ଅବିଭାଜିତ ୩୮ ରନ୍‌ର ଭାଗୀଦାରୀ ହୋଇଥିଲା । ରାଜସ୍ଥାନ ପକ୍ଷରୁ ମୁସ୍ତାଫିଜୁର୍ ରହମାନ୍ ଓ ଚେତନ୍ ସାକାରିୟା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

LEAVE A REPLY

Please enter your comment!
Please enter your name here