28.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଟଳୁନି ରାଜସ୍ଥାନ କଂଗ୍ରେସ ସଙ୍କଟ: ହାଇକମାଣ୍ଡଙ୍କୁ କ୍ଷମାମାଗିଲେ ଗେହଲଟ୍‌

ଟଳୁନି ରାଜସ୍ଥାନ କଂଗ୍ରେସ ସଙ୍କଟ: ହାଇକମାଣ୍ଡଙ୍କୁ କ୍ଷମାମାଗିଲେ ଗେହଲଟ୍‌

ପର୍ଯ୍ୟବେକ୍ଷକଙ୍କୁ ସୋନିଆଙ୍କ ରିପୋର୍ଟ ତଲବ
୧୯ ପରେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପାଇଁ ପ୍ରସ୍ତାବ
ନୂଆଦିଲ୍ଲୀ: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅଶୋକ ଗେହଲଟ୍ ଓ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ସଚିନ ପାଇଲଟ୍‌ଙ୍କ ମଧ୍ୟରେ ଉପୁଜିଥିବା ବିବାଦ ଥମିବାର ନାଁ ଧରୁନାହିଁ । ଫଳରେ ରାଜ୍ୟରେ କ୍ଷମତାସୀନ କଂଗ୍ରେସ ସରକାର ଏବେମଧ୍ୟ ଅନିଶ୍ଚିତତା ମଧ୍ୟରେ ରହିଛି । ରବିବାର ଏହି ପ୍ରସଙ୍ଗକୁ କେନ୍ଦ୍ରକରି ରାଜସ୍ଥାନରେ ଯେଉଁ ଡ୍ରାମା ଘଟିଗଲା, ସେଥିପାଇଁ ମୁଖ୍ୟମନ୍ତ୍ରୀ ଗେହଲଟ୍ ହାଇକମାଣ୍ଡଙ୍କୁ କ୍ଷମାପ୍ରାର୍ଥନା କରିଛନ୍ତି । ବିଧାୟକ ଦଳର ବୈଠକ ପୂର୍ବରୁ ଜଣେ ମନ୍ତ୍ରୀଙ୍କ ବାସଭବନରେ ବିଧାୟକଙ୍କର ସମାନ୍ତରାଳ ବୈଠକ ଆୟୋଜିତ ହୋଇଥିବା ଘଟଣା ପାଇଁ ଗେହଲଟ୍ ନିଜକୁ ଦାୟୀ କରିଥିବାବେଳେ ଏଭଳି ଭୁଲ୍‌ର ପୁନରାବୃତ୍ତି ଘଟିବ ନାହିଁ ବୋଲି ହାଇକମାଣ୍ଡଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । କୌଣସି ପରିସ୍ଥିତିରେ ପାଇଲଟ୍‌ଙ୍କୁ ମୁଖ୍ୟମନ୍ତ୍ରୀ କରାନଯିବା ଦାବିରେ ଅଡିବସିଥିବା କଂଗ୍ରେସ ବିଧାୟକଙ୍କ ଜିଦ୍ ଯୋଗୁଁ ରବିବାର ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇପାରିନଥିଲା ।

ସଂପୃକ୍ତ ବିଧାୟକମାନେ ଦିଲ୍ଲୀରୁ ଆସିଥିବା ଦୁଇଜଣ ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜୁନ ଖାର୍ଗେ ଓ ଅଜୟ ମାକେନ୍‌ଙ୍କୁ ଭେଟିବାକୁ ମଧ୍ୟ ସ୍ପଷ୍ଟ ମନା କରିଦେଇଥିଲେ । ଗେହଲଟ୍‌ଙ୍କ ଇଙ୍ଗିତରେ ବିଧାୟକମାନେ ଏଭଳି ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିଛନ୍ତି ବୋଲି ଅଭିଯୋଗ କରି ଉଭୟ ଖାର୍ଗେ ଓ ମାକେନ୍ ରବିବାର ବିଳମ୍ବିତ ରାତିରେ ଦିଲ୍ଲୀ ଫେରିଯାଇଥିଲେ । ଅପରପକ୍ଷରେ ଗେହଲଟ୍‌ଙ୍କୁ ସମର୍ଥନ ଜଣାଉଥିବା ବିଧାୟକଙ୍କ ଏଭଳି ଆଚରଣରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିବାବେଳେ ଉଭୟ ଗେହଲଟ୍ ଓ ପାଇଲଟ୍‌ଙ୍କୁ ଦିଲ୍ଲୀ ଡକାଇଥିବା ଜଣାପଡିଛି । ପୁନଶ୍ଚ କଂଗ୍ରେସ ସଭାପତି ନିର୍ବାଚନ ପରେ ଅର୍ଥାତ ଅକ୍ଟୋବର ୧୯ ପରେ ନୂଆ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବାକୁ ଗେହଲଟ୍ ଶିବିର ପ୍ରସ୍ତାବ ଦେଇଥିବା ଜଣାପଡିଛି । ଯଦି ସେହି ସମୟରେ ଗେହଲଟ୍ ରାଷ୍ଟ୍ରୀୟ ସଭାପତି ନିର୍ବାଚିତ ହୋଇସାରିଥିବେ, ତେବେ ସେ ନିଜର ପସନ୍ଦ ମୁତାବକ ନୂଆ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବେ, ବୋଲି ଏହି ଗୋଷ୍ଠୀ ଆଶାବ୍ୟକ୍ତ କରିଛନ୍ତି ।

ଜୟପୁରରେ ଯାହା ଘଟିଗଲା, ସେ ସମ୍ପର୍କରେ ରିପୋର୍ଟ ଦାକଲ କରିବାକୁ ସୋନିଆ ଦୁଇ ପର୍ଯ୍ୟବେକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମଙ୍ଗଳବାର ସୁଦ୍ଧା ସେମାନେ ରିପୋର୍ଟ ଦାଖଲ କରିବେ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଅକ୍ଟୋବର ୧୭ରେ ଅନୁଷ୍ଠିତ ହେବାକୁ ଥିବା କଂଗ୍ରେସ ସଭାପତି ନିର୍ବାଚନ ପାଇଁ ଗେହଲଟ୍ ପ୍ରାର୍ଥିପତ୍ର ଦାଖଲ କରିବାକୁ ପ୍ରସ୍ତୁତ ହେଉଛନ୍ତି । ସଭାପତି ନିର୍ବାଚିତ ହେଲେ, ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିବ । ଏହି ସ୍ଥିତି ଉପୁଜିଲେ ପାଇଲଟ୍ ନୂତନ ମୁଖ୍ୟମନ୍ତ୍ରୀ ହେବେ ବୋଲି ତାଙ୍କ ଶିବିର ଏକପ୍ରକାର ନିଶ୍ଚିତ ହୋଇପଡିଥିଲେ । ରବିବାର ଜୟପୁରରେ କଂଗ୍ରେସ ବିଧାୟକ ଦଳର ବୈଠକ ଡକାଯାଇଥିବାବେଳେ ଏଥିରେ ପର୍ଯ୍ୟବେକ୍ଷକଭାବେ ଯୋଗଦେବାକୁ ଦଳର ଦୁଇ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାର୍ଗେ ଓ ଅଜୟ ମାକେନ୍ ଜୟପୁରରେ ପହଞ୍ଚିଥିଲେ ।

ତେବେ ବୈଠକ ପୂର୍ବରୁ ଗେହଲଟ୍‌ଙ୍କ କ୍ୟାବିନେଟ୍‌ର ଅନ୍ୟତମ ମନ୍ତ୍ରୀଙ୍କ ଘରେ ସମାନ୍ତରାଳ ବୈଠକ ଆୟୋଜିତ ହୋଇଥିଲା । ଜୟସାଲମେର ଗସ୍ତରେ ଯାଇଥିବାରୁ ଗେହଲଟ୍ ଅବଶ୍ୟ ବୈଠକରେ ଅନୁପସ୍ଥିତ ଥିଲେ । ତେବେ ବୈଠକରେ ଉପସ୍ଥିତ ଶତାଧିକ ବିଧାୟକ ପାଇଲଟ୍‌ଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ୱକୁ ଦୃଢ ବିରୋଧ କରିଥିଲେ । ହାଇକମାଣ୍ଡ ଯଦି ପାଇଲଟ୍‌ଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରନ୍ତି, ତେବେ ଏହାକୁ ତୀବ୍ର ବିରୋଧ କରାଯିବ ବୋଲି ସଂପୃକ୍ତ ବିଧାୟକମାନେ ଜିଦ୍ ଧରିଥିଲେ । ଏପରିକି ୮୦ରୁ ୯୦ ଜଣ ବିଧାୟକ ସେମାନଙ୍କର ଇସ୍ତଫାପତ୍ର ବାଚସ୍ପତି ଚନ୍ଦ୍ରପ୍ରକାଶ ଜୋଷୀଙ୍କୁ ଦେଇଥିବା ଜଣାପଡିଛି । ଏହି ଘଟଣାରେ ନିଜର ସଂପୃକ୍ତି ନାହିଁ ବୋଲି ଗେହଲଟ୍ ଯେତେ ସଫେଇ ଦେଉଥିଲେ ସୁଦ୍ଧା ଦୁଇ ପର୍ଯ୍ୟବେକ୍ଷକ ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଗୋଚରରେ ବିଧାୟକମାନେ ଏଭଳି ସ୍ଥିତି ସୃଷ୍ଟି କରିବା ଅସମ୍ଭବ ବୋଲି ଖାର୍ଗେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ତେଣୁ ଏହି ଡ୍ରାମା ପଛରେ ଗେହଲଟ୍‌ଙ୍କ ପ୍ରଚ୍ଛନ୍ନ ହାତ ରହିଥିବା ସେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking