29.1 C
Bhubaneswar
Wednesday, November 29, 2023
Homeଓଡିଶାରାଜସ୍ଥାନ, ଗୁଜରାଟ ଓ ମଧ୍ୟପ୍ରଦେଶରେ ବର୍ଷା ବିତ୍ପାତ

ରାଜସ୍ଥାନ, ଗୁଜରାଟ ଓ ମଧ୍ୟପ୍ରଦେଶରେ ବର୍ଷା ବିତ୍ପାତ

ନୂଆଦିଲ୍ଲୀ: ରାଜସ୍ଥାନ, ଗୁଜରାଟ ଓ ମଧ୍ୟପ୍ରଦେଶରେ ବିଗତ ଚବିଶ ଘଣ୍ଟା ଧରି ପ୍ରବଳ ବର୍ଷା ଲାଗି ରହିଛି । ଏହି ପରିପ୍ରେକ୍ଷୀରେ ଜୟପୁର ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଏହି ତିନି ରାଜ୍ୟକୁ ଆଲର୍ଟ ଜାରି କରାଯାଇଛି । ରାଜସ୍ଥାନର ବନ୍‌ସୱାଡା, ଡୁଙ୍ଗରପୁର, ପ୍ରତାପଗଡ ଓ ସିରୋହୀ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଥିବାବେଳେ ରାଜସମନ୍ଦ, ଉଦୟପୁର, ବାଡମେର, ଜାଲୋର ଓ ପାଲି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ବିଗତ ଚବିଶ ଘଣ୍ଟାରେ ପାଞ୍ଚଟି ଜିଲ୍ଲାରେ ୧୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ପୁଣି ସକ୍ରିୟ ହୋଇଥିବାରୁ ରାଜ୍ୟର ୫ଟି ବୃହତ୍ ଜଳଭଣ୍ଡାର ଯଥା ମାହି ବଜାଜ୍‌, କୋଟା, ଜୱାଇ, କାଲିସିନ୍ଧ୍ ଓ ସୋମ କମଳା ଡ୍ୟାମ୍‌ର ଜଳସ୍ତର ବୃଦ୍ଧି ପାଇଛି । ଏହି ଡ୍ୟାମ୍‌ଗୁଡିକରୁ ଜଳ ନିଷ୍କାସନ ନିମନ୍ତେ ଫାଟକ ଖୋଲାଯାଇଥିବାରୁ ତଳୁଆ ଅଞ୍ଚଳଗୁଡିକ ଜଳମଗ୍ନ ହୋଇପଡିଥିବା କୁହାଯାଇଛି । ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅପରପକ୍ଷରେ ଭାରତୀୟ ପାଣିପାଗ କାର୍ଯ୍ୟାଳୟ (ଆଇଏମ୍‌ଡି) ପକ୍ଷରୁ ଗୁଜରାଟ ପାଇଁ ଦୁଇଦିନ ରେଡ୍ ଆଲର୍ଟ ଜାରି କରାଯାଇଥିବାବେଳେ ମଙ୍ଗଳବାର ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

୧୭ ଓ ୧୮ ଦୁଇଦିନ ଗୁଜରାଟରେ ୨୦୪.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ସର୍ଦ୍ଦାର ସରୋବର ଡ୍ୟାମ୍ ଜଳସ୍ତର ସର୍ବାଧିକ ୧୩୮.୬୮ ମିଟର ଛୁଇଁଥିବା କୁହାଯାଇଛି । ବଳକା ଜଳ ନିଷ୍କାସନ କରିବାକୁ ଏହି ଡ୍ୟାମ୍‌ର ୩୦ ମଧ୍ୟରୁ ୨୩ଟି ଗେଟ୍‌କୁ ଖୋଲାଯାଇଛି । ଭଦୋଦରା ଓ ବାରୁଚ୍ ଜିଲ୍ଲାରୁ ଶତାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ନର୍ମଦା ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ମଙ୍ଗଳବାର ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି । ଆଗାମୀ ଦୁଇଦିନ ମଧ୍ୟରେ ମଧ୍ୟପ୍ରଦେଶରେ ସୃଷ୍ଟି ହୋଇଥିବା ବାତ୍ୟା ପରିସ୍ଥିତି ଗୁଜରାଟ ଓ ରାଜସ୍ଥାନ ଆଡକୁ ମୁହାଁଇବାର ଆଶଙ୍କା ରହିଛି ବୋଲି ଆଇଏମ୍‌ଡି ପକ୍ଷରୁ ସତର୍କବାଣୀ ଜାରି କରାଯାଇଛି । ରାଜସ୍ଥାନ ଓ ଗୁଜରାଟ ବ୍ୟତୀତ ପଡୋଣୀ ମଧ୍ୟପ୍ରଦେଶରେ ମଧ୍ୟ ବର୍ଷାର ପ୍ରକୋପ ପରିଲକ୍ଷିତ ହୋଇଛି ।

ବିଗତ ଚବିଶ ଘଣ୍ଟା ମଧ୍ୟରେ ଅଲିରାଜପୁର, ଝାବୁଆ ଏବଂ ଧର୍ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବା ଜଣାପଡିଛି । ଅଲିରାଜପୁରରେ ୩୪୧ ମିଲିମିଟର, ଝାବୁଆରେ ୩୧୬ ମିଲିମିଟର ଏବଂ ଧର୍ ସିଟିରେ ୩୦୧.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ୧୯୫୮ ପରେ ମଧ୍ୟପ୍ରଦେଶରେ ପ୍ରଥମ ଥର ଏତେ ପରିମାଣର ବର୍ଷା ହୋଇଥିବା ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ରବିବାର ଉଚ୍ଚସ୍ତରୀୟ ବୈଠକରେ ବର୍ଷା ସ୍ଥିତି ସମୀକ୍ଷା କରିଛନ୍ତି । ଯଦି ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ, ତେବେ ସ୍ଥଳସେନା ଓ ବାୟୁସେନାର ସହାୟତା ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି । ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ଏନ୍‌ଡିଆରଏଫ୍ ଓ ଏସ୍‌ଡିଆର୍‌ଏଫ୍ ବାହିନୀକୁ ସଜାଗ ରଖାଯାଇଛି । ପ୍ରବଳ ବର୍ଷାରେ ରାଜ୍ୟର ଏକାଧିକ ସ୍ଥାନରେ ଗମନା ଗମନ ବ୍ୟବସ୍ଥା ମଧ୍ୟ ବାଧାପ୍ରାପ୍ତ ହୋଇଛି । ରେଳଧାରଣା ଉପରେ ପାଣି ଚାଲୁଥିବାରୁ କେତେକ ଟ୍ରେନ୍‌କୁ ମଧ୍ୟ ବାତିଲ କରାଯାଇଥିବା କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking