39.4 C
Bhubaneswar
Thursday, April 18, 2024
Homeଓଡିଶାନିଜର ସ୍ଥାୟିତ୍ୱ ପାଇଁ ଗୁମୁରି କାନ୍ଦୁଛି ‘ରାଇବଣିଆ ଦୂର୍ଗ’

ନିଜର ସ୍ଥାୟିତ୍ୱ ପାଇଁ ଗୁମୁରି କାନ୍ଦୁଛି ‘ରାଇବଣିଆ ଦୂର୍ଗ’

ଭୁବନେଶ୍ୱର: ନିଜର ସ୍ଥାୟୀତ୍ୱ ପାଇଁ ଗୁମୁରି କାନ୍ଦୁଛି ଐତିହାସିକ ‘ରାଇବଣିଆ ଦୂର୍ଗ’ । ବାହାର ଶତୃଙ୍କ କବଳରୁ ଓଡ଼ିଶାକୁ ଦିନେ ରକ୍ଷା କରିଥିବା ଦେଶର ଅନ୍ୟତମ ବୃହତ୍ତ ଓ ପ୍ରାଚୀନ ଦୁର୍ଗ ଏବେ ନିଜ ସୁରକ୍ଷା ପାଇଁ ବି ସଂଘର୍ଷ କରୁଛି । ଗଡ଼ରେ ମୋଟ୍ ୧୮୦ ଏକର ଜମିରୁ ରାଜ୍ୟ ସରକାର ମାତ୍ର ୨ ଏକର ୩୪ ଡିସିମିଲିି ଜମିି ଜବରଦଖଲରେ ଅଛି ବୋଲି ସ୍ୱୀକାର କରିଥିଲେ ହେଁ ତା’ଠାରୁ ବହୁ ଅଧିକ ଜମି ଏବେ ଜବରଦଖଲରେ ଥିବା ଜଣାପଡ଼ିଛି । ଯଦି ଗଡ଼କୁ ଯଥାଶୀଘ୍ର ସୁରକ୍ଷା ଦିଆ ନଯାଏ ତାହାଲେ ଇତିହାସ ଆଦୌ କ୍ଷମା ଦେବନି । କ୍ରମଶଃ ଲୋପ୍ ପାଇଯିବ । ଭବିଷ୍ୟତ ବଂଶଧରଙ୍କ ଗବେଷଣା ପାଇଁ କିଛି ଆଉ ସୁଯୋଗ ନଥିବ ।

ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ତହସିଲ ଅଧୀନରେ ଲକ୍ଷ୍ମଣନାଥଙ୍କ ସନ୍ନିକଟରେ ରହିଛି ଏହି ରାଇବଣିଆ ଦୁର୍ଗ । ଜିଲ୍ଲାର ସଦର ମହକୁମା ଠାରୁ ୬୫ କିମି ଓ ଜଳେଶ୍ୱର ସହର ଠାରୁ ମାତ୍ର ୧୪ କିଲୋମିଟର ଦୁରରେ ତାହା ଅବସ୍ଥିତ । ଦୁର୍ଗର ତିନି ପାର୍ଶ୍ୱରେ ଥିଲା ସୁବର୍ଣ୍ଣରେଖା ନଦୀ । ଏବେ ବି ସେହି ପୂର୍ଣ୍ଣତୋୟା ନଦୀ ପ୍ରବାହିତ । ତାହା ଗଡ଼କୁ ସୁରକ୍ଷା ଦେବା ସହ ଶତ୍ରୁ କବଳରୁ ଓଡ଼ିଶାକୁ ରକ୍ଷା କରିବାରେ ସହାୟକ ହେଉଥିଲା । ଏହି ପ୍ରଚୀନ କୀର୍ତ୍ତିରାଜି ରାଇବଣିଆ ଦୁର୍ଗ ପ୍ରକୃତ ସମୟକାଳ କେବେ ସେନେଇ ଦ୍ୱନ୍ଦ୍ୱ ଥିଲେ ହେଁ ଉତ୍କଳର ନରପତି ଲାଙ୍ଗୁଳା ନରସିଂହ ଦେବଙ୍କ ଦ୍ୱାରା ତାହା ନିର୍ମିତ ହୋଇଥିବାର ଐତିହାସିକମାନେ ମତବ୍ୟକ୍ତ କରନ୍ତି ।

ଇତିହାସ ଓ ପୌରାଣିକ କିମ୍ବଦନ୍ତୀରେ ଫେଣ୍ଟାଫେଣ୍ଟି ହୋଇଥିବା ରାଇବଣିଆ ଦୁର୍ଗ ସମୂହ ପୁରାତନ ହାତୀଗଡ଼ ନିକଟରେ ଅବସ୍ଥିତ । କୁହାଯାଏ ରାଇବଣିଆରେ ୪ଟି ମୁଖ୍ୟ ଦୁର୍ଗ ଥିଲା । ଏବେ ବି ତାହା ପ୍ରତୀୟମାନ । ବଡ଼ ଦୁଇଟି ଦୁର୍ଗ ରାଇବଣିଆ ଗାଁ ନିକଟରେ ରହିଥିବାବେଳେ ବାକି ଦୁଇ ଛୋଟ ଦୁର୍ଗ ଫୁଲଟା ବା ଫୁଲହତା ପାଖରେ ରହିଛି । ‘ବାଲେଶ୍ୱର ଗଜେଟିଅର’ ରିପୋର୍ଟ ଅନୁସାରେ କଳାପାହାଡ଼ ଉତ୍କଳ ଆକ୍ରମଣ କରିବା ସମୟରେ ରାଇବଣିଆ ଦୁର୍ଗକୁ ପ୍ରଥମେ ଆକ୍ରମଣ କରି ବିଧ୍ୱସ୍ତ କରି ଦେଇଥିଲା । ତେବେ ଭଗ୍ନ ଦୁର୍ଗର ଅବଶେଷକୁ ସ୍ଥାନୀୟ ଜମିଦାର ଓ ଗାଁ ଲୋକମାନେ ଚୋରି କରି ନେଇଯାଇ ନିଜ ଘର ତୋଳାରେ ବ୍ୟବହାର କରିଥିଲେ । ଏବେ ବି ସର୍ଭେ କଲେ ବହୁ ଲୁକ୍କାୟିତ ତଥ୍ୟ ପଦାକୁ ଆସିପାରିବ । ଅନ୍ୟପକ୍ଷରେ ଦୁର୍ଗରେ ଏବେ ବି ପୂଜା ପାଉଛନ୍ତି ମା’ ଗଡ଼ଚଣ୍ଡି ଠାକୁରାଣୀ ।

ଏଠାରେ ବି ଶତାଧିକ ଦେବୀ ମୂର୍ତ୍ତି ବିଦ୍ୟମାନ । ଏମାନେ ଅସୁରକ୍ଷିତ । ଉକ୍ତ ପୀଠକୁ ରାଜ୍ୟ ସରକାର ପର୍ଯ୍ୟଟନ ସ୍ଥଳିର ମାନ୍ୟତା ଦେଇଥିଲେ ବି ତାହା କେବଳ କାଗଜ କଲମରେ ସୀମିତ । ଦୁର୍ଗର ବିକାଶ ପଇଁ ସରକାରୀ ସ୍ତରରେ ନା’ କିଛି ବି ପଦକ୍ଷେପ ନିଆଯାଇଛି, ନା’ ସୁରକ୍ଷା ପ୍ରଦାନ କରାଯାଇଛି? ଏହାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ସହ ରାଜ୍ୟବ୍ୟାପୀ ଉଠିଛି ପ୍ରଶ୍ନ ।
ରିପୋର୍ଟ ମୁତାବକ ରାଇବଣିଆ ଦୁର୍ଗଟି ପୁରାତନ ଖାତା ଓ ଖତିୟାନରେ ମୋଟ୍ ୧୮୦ ଏକର ୧୨ ଡିସିମିଲି ଜମି ଉପରେ ଦଣ୍ଡ୍ରାୟମାନ । ପ୍ରତ୍ନତାତ୍ତ୍ୱିକ ଗୁରୁତ୍ୱ ଥିବା ଏହି ଜମିରୁ ଏହି ଜମିରୁ ପ୍ରାୟ ଦଶ ଏକର ଜମି ଜବରଦଖଲ ହୋଇଛି ।

ହେଲେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନ ଖାମ ଖିଆଲି ଭାବେ ସର୍ଭେ କରି ମାତ୍ର ୨.୩୪ ଏକର ଜମିି ଜବରଦଖଲରେ ଅଛି ବୋଲି ରିପୋର୍ଟ ଦେଇଛି । ଜବରଦଖଲ ଉଚ୍ଛେଦ ଓ ଦୁର୍ଗର ଜମି ସୁରକ୍ଷା ପାଇଁ ଓପିଏଲ୍‌ଇ-୧୯୭୨, ଓ ଓପିଏଲ୍‌ଇ ରୁଲ୍ସ-୧୯୮୫ରେ ଥିବା ବ୍ୟବସ୍ଥା ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯାଉଅଛି ବୋଲି ରାଜସ୍ୱ ବିଭାଗ ସଂସ୍କୃତି ବିଭାଗ ଜରିଆରେ ରାଜ୍ୟ ସରକାରଙ୍କୁ ଅବଗତ କରିଛି ।  ହେଲେ ବାସ୍ତବରେ ସ୍ଥିତି ସଂପୂର୍ଣ୍ଣ ଉଲଟା । ରକ୍ଷଣାବେକ୍ଷଣ ଅଭାବରୁ ଧ୍ୱଂସ ସ୍ତୁପ ପାଲଟି ଗଲାଣି ପୁର୍ବ ଭାରତର ଏହି ପ୍ରାଚୀନ ବୃହତ୍ତମ ଦୁର୍ଗ । ଦୁର୍ଗ ସୁରକ୍ଷା ପାଇଁ ପ୍ରତ୍ନତତ୍ତ୍ୱ ବିଭାଗର କାର୍ଯ୍ୟ ଶୂନ୍ । ତେଣୁ ରାଇବଣିଆ ଦୁର୍ଗରୁ ତୁରନ୍ତ ଜବରଦଖଲ ହୋଇଥିବା ଜମିସବୁ ଉଦ୍ଧାର କରିବା ସହ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଗଡ଼ଚଣ୍ଡି ମନ୍ଦିରର ସଂରକ୍ଷଣ କରିବା ନିହାତି ଜରୁରୀ । ଦ୍ୱିତୀୟରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ବିଭିନ୍ନ ପଦକ୍ଷେପ ନେବା ଆବଶ୍ୟକ ବୋଲି ସଚେତକ ମହାଲରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking