33.1 C
Bhubaneswar
Thursday, April 25, 2024
Homeଓଡିଶା୯ମ ଓ ୧୦ମ ପାଠ୍ୟପୁସ୍ତକରେ କ୍ୟୁଆର୍ କୋଡ୍ ବାଧ୍ୟତାମୂଳକ

୯ମ ଓ ୧୦ମ ପାଠ୍ୟପୁସ୍ତକରେ କ୍ୟୁଆର୍ କୋଡ୍ ବାଧ୍ୟତାମୂଳକ

ଭୁବନେଶ୍ୱର:  ରାଜ୍ୟରେ ପ୍ରଥମରୁ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ ମାଗଣା ପାଠ୍ୟପୁସ୍ତକର କଳାବଜାର ରୋକିବା ଲାଗି ସବୁ ବହିକୁ ଡିଜିଟାଲ୍ କରାଯାଇଥିଲା । ଆସନ୍ତା ଶିକ୍ଷାବର୍ଷରୁ ଦଶମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପୁସ୍ତକକୁ ଡିଜିଟାଲ କରିବାକୁ ନିଷ୍ପତ୍ତି ହୋଇଛି । ଫଳରେ ଏହି ବ୍ୟବସ୍ଥାରେ ସବୁ ପାଠ୍ୟପୁସ୍ତକରେ କ୍ୟୁଆର୍ କୋଡ୍ ରହିବ । ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ ଦେବା ସହ ଘରୋଇ ପ୍ରକାଶକଙ୍କ ଉପରେ ଅଙ୍କୁଶ ଲଗାଇବା ଲାଗି ଏପରି ଅଭିନବ ପ୍ରୟାସ ହୋଇଛି ବୋଲି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ବ୍ୟବସ୍ଥାରେ ପ୍ରାୟ ୨୨କୋଟିରୁ ଅଧିକ ପୁସ୍ତକ ଛପାଯିବ । ଦଶମ, ଏକାଦଶ ଏବଂ ଦ୍ୱାଦଶ  ପାଠ୍ୟପୁସ୍ତକରେ ସ୍ୱତନ୍ତ୍ର ୩ଟି କ୍ୟୁଆର୍ କୋଡ୍ ରହିବ । ପ୍ରଥମ କ୍ୟୁଆର୍ ମାଧ୍ୟମରେ ରାଜ୍ୟ ସରକାରଙ୍କ ପାଠ୍ୟପୁସ୍ତକ ସୁବିଧା ସମ୍ପର୍କରେ, ୨ୟରେ ବହି ଭିତରେ ଥିବା  ପ୍ରତ୍ୟେକ ବିଷୟ ସମ୍ପର୍କରେ ଏବଂ ୩ୟ କ୍ୟୁଆର୍ କୋଡ୍‌ରେ ପୁସ୍ତକ ରିଭାଇଜ୍ ଉପରେ ସମ୍ପୂର୍ଣ୍ଣ ତଥ୍ୟ ରହିବ ।

ଯାହାକୁ ଛାତ୍ରଛାତ୍ରୀମାନେ ମୋବାଇଲ ମାଧ୍ୟମରେ ପଢ଼ିପାରିବେ । ଗତ କିଛି ବର୍ଷ ହେବ ମାଗଣା ପୁସ୍ତକର କଳାବଜାର ଯୋଗୁଁ ରାଜ୍ୟର ଅନେକ ଜିଲ୍ଲାରେ ପିଲାମାନେ ବହି ପାଇପାରୁନଥିଲେ । ଅଭିଭାବକମାନେ ବାଧ୍ୟ ହୋଇ ଚଢ଼ା ଦାମ୍‌ରେ ଅସାଧୁ ବ୍ୟବସାୟୀଙ୍କ ଠାରୁ ପୁସ୍ତକ କ୍ରୟ କରୁଥିଲେ । ଏପରି ଅଭିଯୋଗ ହେବା ପରେ କଳାବଜାର ହେଉଥିବା ପୁସ୍ତକ କେଉଁଠୁ ଆସୁଛି ତାହା ସ୍ପଷ୍ଟ ହୋଇପାରୁନଥିଲା । ଅପରପକ୍ଷେ +୨ ବା ଦ୍ୱାଦଶ ଶ୍ରେଣୀ ଲାଗି ପୁସ୍ତକ ଭବନ ପରିସରରେ ଶସ୍ତାରେ ପାଠ୍ୟପୁସ୍ତକ ଉପଲବ୍ଧ ହେଉଥିଲେ ହେଁ ଜୁନିୟର କଲେଜଗୁଡ଼ିକରେ ବହୁ ଅଧ୍ୟାପକ ଘରୋଇ ପ୍ରକାଶକଙ୍କ ଠାରୁ କମିଶନି ନେଇ ସେମାନଙ୍କ ପୁସ୍ତକ କ୍ରୟ କରିବାକୁ ବାଧ୍ୟ କରୁଥିବା ଜଣାପଡ଼ିଛି । ରାଜ୍ୟରେ ଘରୋଇ ପ୍ରକାଶକଙ୍କ ପାଠ୍ୟପୁସ୍ତକକୁ ନେଇ ବହୁ ଅଭିଯୋଗ ହେଉଛି ।

ସମ୍ପୃକ୍ତ ପାଠ୍ୟପୁସ୍ତକର ନିର୍ଦ୍ଦିଷ୍ଟ ଦାମ୍ ମଧ୍ୟ ଧାର୍ଯ୍ୟ ହୋଇପାରୁନି । ଏହାବ୍ୟତୀତ ସମ୍ପୃକ୍ତ ପାଠ୍ୟପୁସ୍ତକ କେଉଁମାନଙ୍କ ଦ୍ୱାରା ରିଭାଇଜ୍ ହୋଇଛି ତା’ର ମଧ୍ୟ କୌଣସି ତଥ୍ୟ ରହୁନାହିଁ । ଫଳରେ ପୁସ୍ତକ ପ୍ରକାଶ କରି ବହୁ ଘରୋଇ ପ୍ରକାଶକ ପ୍ରଚୁର ଅର୍ଥ ଉପାର୍ଜନ କରୁଥିବା ବେଳେ ପିଲାଙ୍କୁ ମିଳୁନି ଗୁଣାତ୍ମକ ଶିକ୍ଷା । ଏପରି ବ୍ୟବସ୍ଥାକୁ ରୋକିବାକୁ ସରକାର ଏହି ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ଡିଜିଟାଲ ବ୍ୟବସ୍ଥା ଲାଗି କେଉଁ ଆଇଟି କମ୍ପାନୀକୁ ଦାୟିତ୍ୱ ଦିଆଯିବ ତାହା ସ୍ପଷ୍ଟ ହୋଇନାହିଁ । ତଥାପି ଆସନ୍ତା ଏପ୍ରିଲ ଶେଷ ସୁଦ୍ଧା ଏହି ପ୍ରକ୍ରିୟା ଶେଷ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

ଏନେଇ ଏକ ବୈଷୟିକ କମିଟି ଗଠନ କରାଯିବ । ଏହାର ଦାୟିତ୍ୱ ଓକାକ୍‌କୁ ଦିଆଯିବ । ଡିଜିଟାଲ ବ୍ୟବସ୍ଥା ମାଧ୍ୟମରେ ପିଲାମାନେ ଅନ୍‌ଲାଇନ୍‌ରେ ପାଠପଢ଼ିବା ଅତ୍ୟନ୍ତ ସହଜ ହେବ ବୋଲି ଜଣାପଡ଼ିଛି । ଏପରିକି ଯଦି ପାଠ୍ୟପୁସ୍ତକ ଉପଲବ୍ଧ ନହୁଏ ତେବେ ଡିଜିଟାଲ ବ୍ୟବସ୍ଥାରେ ଛାତ୍ରଛାତ୍ରୀ ମୋବାଇଲ ମାଧ୍ୟମରେ ସେମାନଙ୍କର ପାଠ୍ୟପୁସ୍ତକ ସହଜରେ ପଢ଼ିପାରିବେ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଆକ୍ସନପ୍ଲାନ ପ୍ରସ୍ତୁତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking