ପୁରୀ : ଲୁଚା ଛପା ଓ ରାତି ଅଧିଆ ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଜିପିଆର୍ ସର୍ଭେ। ଓବିସିସି ଚଞ୍ଚକତା କରି ରାତି ଅଧରେ ଜିପିଆର୍ ସର୍ଭେ କରୁଥିବା ଅଭିଯୋଗ ହୋଇଛି। ଫଳରେ ପୁଣି ଥରେ ବିବାଦ ଭିତରକୁ ଟାଣି ହୋଇଛି ପ୍ରଶାସନ। ରାତି ୧୨ଟା ପରେ କିଛି ବ୍ୟକ୍ତି ଶ୍ରୀମନ୍ଦିରର ପୂର୍ବ-ଦକ୍ଷିଣ କୋଣ କାକୁଡି ଖାଇଙ୍କ ମନ୍ଦିର ପାଖରୁ ଆରମ୍ଭ କରି ଶ୍ରୀମନ୍ଦିର ଚାରିପାଖରେ କିଛି ମେସିନ ଧରି ବୁଲୁଥିବା ଦେଖିବାକୁ ମିଳିଥିଲା। ଏମାର ମଠ ଜାଗାରେ ବି ଏମାନେ ସର୍ଭେ କରୁଥିବା ଦେଖିବାକୁ ମିଳିଥିଲା ।
ଖୋଳତାଡ଼ରେ ନିୟୋଜିତ ଅଧିକାରୀଙ୍କୁ ପଚରାଉଚରା ପରେ ଏହା ଜିପିଆର୍ ସର୍ଭେ ବୋଲି ଜଣା ପଡିଥିଲା। ଯେଉଁ ମେସିନ ଜରିଆରେ ସର୍ଭେ କରାଯାଉଥିଲା, ତାହା ଜିପିଆରଏସ୍ ମେସିନ ବୋଲି ଜଣାପଡ଼ିଥିଲା। ଏନେଇ ନିୟୋଜିତ ଅଧିକାରୀଙ୍କୁ ପଚାରିବା ପରେ ସେ କହିଛନ୍ତି, ଓବିସିସି ଚିଠି କ୍ରମେ ଗୁଜରାଟ ଆଇଆଇଟି ପକ୍ଷରୁ ଏହି ସର୍ଭେ କରାଯାଉଛି। ଜିଓକାର୍ଟ ରାଡାର ଟେକ୍ନୋଲଜି ପ୍ରାଇଭେଟ ଲିମିଟେଡ଼ ଜରିଆରେ ଏହି ସର୍ଭେ କରାଯାଉଛି।