27.1 C
Bhubaneswar
Friday, March 29, 2024
Homeଓଡିଶାରଥଖଳାରେ ୨୮ଟି ଚକର ନିର୍ମାଣ ଶେଷ

ରଥଖଳାରେ ୨୮ଟି ଚକର ନିର୍ମାଣ ଶେଷ

ପୁରୀ : ରଥଖଳାରେ ତ୍ୱରାନ୍ୱିତ ଭାବେ ଆଗେଇ ଚାଲିଛି ୩ରଥର ନିର୍ମାଣ କାର୍ଯ୍ୟ । କ୍ରମେ ଅଧିକ ଚଳଚଞ୍ଚଳ ହୋଇଉଠିଛି ରଥଖଳା । ଅଧିକରୁ ଅଧିକ ନିର୍ମାଣକାରୀ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି । ଶନିବାର ୧୯୩ଜଣ ସେବକ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ । ସେମାନଙ୍କ ମଧ୍ୟରେ ୭୬ଜଣ ମହାରଣା, ୭୩ଜଣ ଭୋଇ, ୪ଜଣ କରତି, ଜଣେ ପାହି ମହାରଣା, ୧୭ଜଣ ଓଝା ବା କମାର ସେବକ, ୨ଜଣ ତୁମ୍ବ ବିନ୍ଧ କାରିଗର, ୧୯ଜଣ ରୂପକାର ସେବକ ଓ ଜଣେ ରଥଖଳା ସହାୟକ ଅନ୍ତର୍ଭୁକ୍ତ ଥିଲେ । ଶୁକ୍ରବାର ସୁଦ୍ଧା ୨୬ଟି ଚକର ନିର୍ମାଣ ଶେଷ ହୋଇଥିବା ବେଳେ ଶନିବାର ଦିନ ତାଳଧ୍ୱଜ ରଥର ଆଉ ୨ଟି ଚକ ନିର୍ମାଣ ଶେଷ ହୋଇଛି । ପ୍ରତି ରଥର ୪ଟି ଲେଖାଏଁ ଚକର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଦେବଦଳନ ଓ ନନ୍ଦିଘୋଷର ରଥର ୨ଟି ଲେଖାଏଁ ଚକର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରତ୍ୟେକ ରଥର ୧୧ଟି ଲେଖାଏଁ ଖୁମ୍ବି, ୯ଟି ଜଳଯନ୍ତ୍ର ଓ ୧୨ଟି ଲେଖାଏଁ କୁଡ଼ୁକା କାର୍ଯ୍ୟ ଶେଷ ହୋଇଛି ।

ରୂପକାର ସେବକମାନେ କୋଣଗୁଜମାନଙ୍କରେ ରୂପ ଖୋଦେଇ କାର୍ଯ୍ୟ ଚଳାଇଛନ୍ତି । ତାଳଧ୍ୱଜ ରଥର ୧୬ଟି, ନନ୍ଦିଘୋଷ ରଥର ୧୬ଟି ଓ ଦେବଦଳନ ରଥର ୧୨ଟି କୋଣଗୁଜରେ ରୂପକାର ସେବକମାନଙ୍କ ଦ୍ୱାରା ସିଂହବିରାଳ ରୂପ ଖୋଦେଇ କରାଯାଉଛି । ଏହି କୋଣଗୁଜଗୁଡ଼ିକରେ ନୃସିଂହ ମହାପ୍ରଭୁଙ୍କ ପୂର୍ଣ୍ଣ ଅବୟବ ଖୋଦେଇ ହେତୁ ଅଧିକ ସମୟ ଲାଗୁଛି । ଗୁଜଗୁଡ଼ିକରେ ସିଂହ ବିରାଳ ରୂପ ଖୋଦେଇ ପରେ ଦୁଆର ଘଡ଼ା ପାଇଁ ନାଟଗୋଡ଼ ଖୋଦେଇ କରାଯିବ ଓ ୪ନାହାକା ଉଠିବା ପରେ ପଟାଗୁଜରେ ସିଂହବିରାଳ, ଗଜ ବିରାଳ ଓ ନର ବିରାଳର ଖୋଦେଇ କାର୍ଯ୍ୟ ଆରମ୍ଭ ହେବ । ଶୁକ୍ରବାର ସୁଦ୍ଧା ତାଳଧ୍ୱଜ ରଥର ୮ଟି ଚକର କାମ ଶେଷ ହୋଇଥିବା ବେଳେ ଶନିବାର ଦିନ ଆଉ ୨ଟି ଚକର କାମ ଶେଷ ହୋଇଛି । ଏଥିସହିତ ଆଉ ୨ଟି ଚକର ତୁମ୍ବରେ ଅର ଖଞ୍ଜା ସରି ପନ୍ଦାରୀ ଗାଡ଼ ଖୋଦେଇ ଚାଲିଛି । ୨ଟି ଚକ ପାଇଁ ପଇରେ ବିନ୍ଧ ଖୋଦେଇ କରାଯାଉଛି ।

ଦେବଦଳନ ରଥର ୮ଟି ଚକର ନିର୍ମାଣ ଶୁକ୍ରବାର ସୁଦ୍ଧା ଶେଷ ହୋଇଥିଲା । ଶନିବାର ଦିନ ଆଉ ୪ଟି ଚକର କାମ ଆରମ୍ଭ ହୋଇ ନବମ ଓ ଦଶମ ଚକର ତୁମ୍ବରେ ଅର ସଂଯୋଗ ଏବଂ ଅରରେ ସିଙ୍ଗଡ଼ା କଣ୍ଟା ବାଡ଼ିଆ ତଥା ସାଲ କାମ ସରିଛି । ଏବେ ପନ୍ଦାରୀ ଗାଡ଼ ଖୋଳା ଚାଲିଥିବା ବେଳେ ପଇରେ ବିନ୍ଧ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଉ ୨ଟି ଚକର ତୁମ୍ବରେ ଅର ସଂଯୋଗ ସରି ସିଙ୍ଗଡ଼ା କଣ୍ଟା ଜନ୍ତାଗାଡ଼ରେ ବାଡ଼ିଆ ଶେଷ ହୋଇ ରଥଚାଳିକୁ ଆସିଛି । ଶୁକ୍ରବାର ସୁଦ୍ଧା ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ୧୦ଟି ଚକର ନିର୍ମାଣ ଶେଷ ହୋଇଥିଲା । ଶନିବାର ଦିନ ଏକାଦଶ ଓ ଦ୍ୱାଦଶ ଚକର ତୁମ୍ବରେ ଅର ପଇ ସଂଯୋଗ ସରି ପଇରେ କଳସା କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତ୍ରୟୋଦଶ ଓ ଚତୁର୍ଦ୍ଦଶ ଚକରେ ଅର ଖଞ୍ଜା ସରି ପଇ ବିନ୍ଧ ଖୋଦେଇ କାମ ଜାରି ରହିଛି । ଦୋଳବେଦୀ ସ୍ଥିତ କମାରଶାଳରେ ୩ରଥର ଓଝା ସେବକମାନେ ୪ନାହାକା ପାଇଁ ଚଣାକ କଣ୍ଟା, ଛନ୍ଦାଗୟଳ ପାଇଁ ଯୋଖା, ଦୁଆରବନ୍ଧ ପାଇଁ ଆଗପାତେଳୀ ଓ ସିଙ୍ଗଡ଼ା କଣ୍ଟା ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking