40.1 C
Bhubaneswar
Thursday, April 25, 2024
Homeଓଡିଶାମହାପ୍ରଭୁଙ୍କୁ ପୋଡ଼ପିଠା ଭୋଗ କରିବେ ୨ ଦାବିଦାର

ମହାପ୍ରଭୁଙ୍କୁ ପୋଡ଼ପିଠା ଭୋଗ କରିବେ ୨ ଦାବିଦାର

ପୁରୀ : ଆଜି ବାହୁଡ଼ା ଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହୋଇ ସିଂହଦ୍ୱାରକୁ ଯାତ୍ରା କରିବେ । ରଥରେ ବସି ବାହୁଡ଼ିବା ବେଳେ ବଡ଼ଦାଣ୍ଡ ସ୍ଥିତ ମାଉସୀମା’ ମନ୍ଦିର ସମ୍ମୁଖରେ ପୋଡ଼ପିଠା ଭୋଗ କରାଯିବ । ପୋଡ଼ପିଠା ପ୍ରତି ଶ୍ରୀଜଗନ୍ନାଥଙ୍କର ବିଶେଷ ଆଗ୍ରହ ଥିବାରୁ ମାଉସୀମା’ ଶ୍ରଦ୍ଧାର ନିଦର୍ଶନ ସ୍ୱରୂପ ପୋଡ଼ପିଠା ଭୋଗ ଖୁଆଇବେ । ମାଉସୀମା’ ମନ୍ଦିର ପକ୍ଷରୁ ପୋଡ଼ପିଠା ଭୋଗ ଏକ ପ୍ରାଚୀନ ପରମ୍ପରା । ମନ୍ଦିରର ପୂଜକମାନଙ୍କ ଦ୍ୱାରା ଚାଲିଛି ପୋଡ଼ପିଠା ପ୍ରସ୍ତୁତି । ମାଟିହାଣ୍ଡିରେ ପ୍ରସ୍ତୁତ ପୋଡ଼ପିଠା ମହାପ୍ରଭୁଙ୍କୁ ଭୋଗ କରାଯିବା ପରେ ସିଂହଦ୍ୱାର ଅଭିମୁଖେ ନନ୍ଦିଘୋଷ ରଥ ଗଡ଼ି ଚାଲିବ । ଦୀର୍ଘକାଳରୁ ମହାପ୍ରଭୁଙ୍କର ଏହି ଭୋଗ କରାଯାଇ ଆସୁଥିବା ବେଳେ ଏବେ ସୃଷ୍ଟି ହୋଇଛି ବିବାଦ । ଏହି ବିବାଦ ଅଦାଲତରେ ଦୀର୍ଘଦିନ ଧରି ପଡ଼ି ରହିଛି । ପୋଡ଼ପିଠା ଭୋଗ ପାଇଁ ଅନୁମତି ଦେବାକୁ ଉଭୟ ଦାବିଦାର ଶ୍ରୀମନ୍ଦିର ପ୍ରଶାସନକୁ ଆବେଦନ କରିଛନ୍ତି କିନ୍ତୁ ବିବାଦ ଏବେ ଅଦାଲତରେ ବିଚାରାଧୀନ ଥିବାରୁ ଉଭୟ ଦାବିଦାରଙ୍କ ପକ୍ଷରୁ ମହାପ୍ରଭୁଙ୍କୁ ପୋଡ଼ପିଠା ଭୋଗ କରାଯିବ ବୋଲି ଜଣାପଡ଼ିଛି ।

ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର ମଧ୍ୟଭାଗରେ ଅବସ୍ଥିତ ମାଉସୀମା’ ମନ୍ଦିରର ଶ୍ରୀମନ୍ଦିର ନୀତିକାନ୍ତି ସହ କୌଣସି ପ୍ରତ୍ୟକ୍ଷ ସମ୍ପର୍କ ନଥିଲେ ମଧ୍ୟ ରଥଯାତ୍ରା ସମୟରେ ପୋଡ଼ପିଠା ଭୋଗ ଏକ ପରମ୍ପରାରେ ପରିଣତ ହୋଇଛି । କେତେକ ଗବେଷକଙ୍କ ମତରେ କେଶରୀ ବଂଶର ଶାସନ ସମୟରେ ଏହି ମନ୍ଦିର ନିର୍ମିତ ହୋଇଥିଲା । ତେବେ ନିର୍ଦ୍ଧିଷ୍ଟ ଭାବେ ଏହି ମନ୍ଦିର କାହା ଦ୍ୱାରା ପ୍ରତିଷ୍ଠିତ ସେ ସମ୍ପର୍କରେ କୌଣସି ପ୍ରମାଣିକ ତଥ୍ୟ ନାହିଁ । ବିଭିନ୍ନ ପୁରାଣରେ ମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ଅର୍ଦ୍ଧାଶନୀଙ୍କ ବିଷୟରେ ଉଲ୍ଲେଖ ରହିଛି । ଦେବୀ ଅର୍ଦ୍ଧାଶନୀ ମହାପ୍ରଭୁଙ୍କ ମାଉସୀ ରୂପେ ଜଣାଶୁଣା । ଦେବୀଙ୍କ ପାଶାଣ ବିଗ୍ରହ ୨ପାଶ୍ୱର୍ରେ ରହିଛି ଛାୟା ଓ ମାୟାଙ୍କ ମୂର୍ତ୍ତି । ଅର୍ଦ୍ଧାଶନୀଙ୍କ ମୂର୍ତ୍ତିର କଟି ଦେଶରୁ ଉପର ଅଂଶକୁ ଆଚ୍ଛାଦିତ କରି ଦେବୀ ସୁଭଦ୍ରାଙ୍କ ମୁଖା ରହିଛି । ଦେବୀ ଅର୍ଦ୍ଧଶନୀ ମାତା ସୁଭଦ୍ରାଙ୍କ ଅଙ୍ଗ ସମ୍ଭୁତା ବୋଲି କୁହାଯାଏ । ବର୍ଷକରେ ୨ଥର ଏହି ମୁଖାରେ ରଙ୍ଗ ଲଗାଯାଇଥାଏ ।

ଦେବୀ ଅର୍ଦ୍ଧାଶନୀଙ୍କ ସମ୍ପର୍କରେ ଇନ୍ଦ୍ରନୀଳମଣି ପୁରାଣରେ ଉଲ୍ଲେଖ ରହିଛି । ଗୁହ୍ୟ ଦେବୀ ରୂପେ ଅର୍ଚ୍ଚିତା ଅର୍ଦ୍ଧାଶନୀଙ୍କ ନିକଟରେ ସକାଳ ଓ ସନ୍ଧ୍ୟାରେ ବାଳ ଭୋଗ ଅର୍ପଣ କରାଯାଏ । ବ୍ରାହ୍ମଣଙ୍କ ଦ୍ୱାରା ଏହି ଦେବୀଙ୍କର ପୂଜାର୍ଚ୍ଚନା କରାଯାଉଛି । ମନ୍ଦିରର ସେବାପୂଜା ପାଇଁ କୌଣସି ସ୍ଥାୟୀ ଆୟର ବ୍ୟବସ୍ଥା ନାହିଁ । କେବଳ ପୋଡ଼ପିଠା ପ୍ରସ୍ତୁତ କରିବାକୁ ଶ୍ରୀମନ୍ଦିର ପ୍ରଶାସନ କିଛି ଅର୍ଥ ପ୍ରଦାନ କରିଥାଏ । ପ୍ରତ୍ୟହ ବଙ୍ଗୀୟ ଯାତ୍ରୀମାନେ ଏହି ମନ୍ଦିରକୁ ଯାଇ ମାଉସୀମା’ ବା ଅର୍ଦ୍ଧାଶନୀଙ୍କୁ ଦର୍ଶନ କରିଥାନ୍ତି । ଗୁଣ୍ଡିଚା ମନ୍ଦିରକୁ ପଶ୍ଚିମବଙ୍ଗର ଯାତ୍ରୀମାନେ ମାଉସୀମା’ ମନ୍ଦିର ରୂପେ ଅଭିହିତ କରୁଥିଲେ ମଧ୍ୟ ପ୍ରକୃତରେ ମାଉସୀମା’ ମନ୍ଦିର ହେଉଛି ଦେବୀ ଅର୍ଦ୍ଧାଶନୀଙ୍କ ମନ୍ଦିର । ମନ୍ଦିରର ପୂଜକ ରଘୁନାଥ ଦାସଙ୍କ ମୃତ୍ୟୁ ପରେ ସୃଷ୍ଟି ହୋଇଛି ବିବାଦ । ସ୍ୱର୍ଗତ ରଘୁନାଥଙ୍କ ଭଣାଜା ମନୋରଞ୍ଜନ ମିଶ୍ର ଓ ସେବା ସମର୍ପଣ ପତ୍ର ପାଇଥିବା ବିଶ୍ୱନାଥ ମିଶ୍ରଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଅଦାଲତରେ ବିଚାରାଧୀନ ଥିବାରୁ ଉଭୟେ ପୋଡ଼ପିଠା ଭୋଗ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking