34.1 C
Bhubaneswar
Friday, March 29, 2024
Homeଓଡିଶାରଥଯାତ୍ରା ପୂର୍ବରୁ ପ୍ରସ୍ତୁତି ବୈଠକ : ୧୦ତାରିଖ ସୁଦ୍ଧା କରୋନା ପରୀକ୍ଷା

ରଥଯାତ୍ରା ପୂର୍ବରୁ ପ୍ରସ୍ତୁତି ବୈଠକ : ୧୦ତାରିଖ ସୁଦ୍ଧା କରୋନା ପରୀକ୍ଷା

ପୁରୀ : ଶୃଙ୍ଖଳିତ ଭାବେ ଚଳିତବର୍ଷର ରଥଯାତ୍ରା ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସ୍ୱତନ୍ତ୍ର ପ୍ରଦକ୍ଷିଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ଜିଲ୍ଲାପାଳ ସମର୍ଥ ବର୍ମା । ରଥଯାତ୍ରା ସହିତ ସଂଶ୍ଳିଷ୍ଟ ସମସ୍ତଙ୍କ କରୋନା ପରୀକ୍ଷା ଆସନ୍ତା ୮ରୁ ୧୦ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି କରାଯିବା ସହ ଏଥିପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପରାମର୍ଶ ଦିଆଯାଇଛି । ଏଥିସହିତ ସିଂହଦ୍ୱାର ଓ ଗୁଣ୍ଡିଚା ମନ୍ଦିର ନିକଟ ବ୍ୟତୀତ ବଡ଼ଦାଣ୍ଡର ୫ଟି ସ୍ଥାନରେ ଆଶୁ ଚିକିତ୍ସା କେନ୍ଦ୍ର ଖୋଲିବା ଏବଂ ଆବଶ୍ୟକୀୟ ଆମ୍ବୁଲାନ୍ସ ଯୋଗାଇ ଦେବା ପାଇଁ ସିଡ଼ିଏମଓଙ୍କୁ କୁହାଯାଇଛି । ରଥ ଟାଣିବା ବେଳେ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ପର୍ଯ୍ୟାପ୍ତ ପରିମାଣର ଜଳସିଞ୍ଚନ, ସେବାୟତ, ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀମାନଙ୍କ ପାଇଁ ପାନୀୟଜଳ ବ୍ୟବସ୍ଥା, ରାସ୍ତାର ଉଭୟ ପାଶ୍ୱର୍ରେ ପାଣି ପାଇଁ ଷ୍ଟାଣ୍ଡ ପୋଷ୍ଟ ବ୍ୟବସ୍ଥା କରିବାକୁ ଅଗ୍ନିଶମ ସଂସ୍ଥା ଓ ଜନସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ଆରକ୍ଷୀ ଅଧିକ୍ଷକ ଡ଼କ୍ଟର କନୱର ବିଶାଲ ସିଂ ସୂଚନା ଦେଇଥିଲେ ଯେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ଆବଶ୍ୟକ ସଂଖ୍ୟକ ପୁଲିସ ମୁତୟନ କରାଯିବା ସହ ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ସିସିଟିଭି ଲଗାଯିବ । ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ୭୨ଟି ଗଳିର ସଫେଇ କାର୍ଯ୍ୟ ପ୍ରତି ଦୃଷ୍ଟି ଦେବାକୁ ପୌରସଂସ୍ଥାର ନିର୍ବାହୀ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ବଡ଼ଦାଣ୍ଡ ଓ ସଂଲଗ୍ନ ଡ଼୍ରେନ ସଫେଇ ଓ ପଟହୋଲ ମରାମତି ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ । ଶ୍ରୀଗୁଣ୍ଡିଚା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଆଲୋକିକରଣ ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଏଥିସହିତ ସେବାୟତମାନଙ୍କ ପାଇଁ ଅସ୍ଥାୟୀ ବିଶ୍ରାମସ୍ଥଳୀ ଓ ପାନୀୟଜଳ ବ୍ୟବସ୍ଥା କରିବାକୁ ଶ୍ରୀମନ୍ଦିରର ଉନ୍ନୟନ ପ୍ରଶାସକ ଓ ଅନ୍ୟ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ବିନୟ କୁମାର ଦାସ, ସୁଭାଷ ଚନ୍ଦ୍ର ନାଥଶର୍ମା, ଉପଜିଲ୍ଲାପାଳ ଭବତାରଣ ସାହୁ, ପୌରପାଳିକାର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ାକ୍ତର ସୁଜାତା ମିଶ୍ର ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking