35.1 C
Bhubaneswar
Tuesday, April 23, 2024
Homeଓଡିଶାରଥଖଳା ଚଳଚଞ୍ଚଳ, ରଥରେ ପଡ଼ିଲା ବଡ଼ ଧାରା ପୋଟଳ

ରଥଖଳା ଚଳଚଞ୍ଚଳ, ରଥରେ ପଡ଼ିଲା ବଡ଼ ଧାରା ପୋଟଳ

ପୁରୀ : ରଥଯାତ୍ରା ପାଖେଇ ଆସୁଥିବା ବେଳେ ରଥଖଳାରେ ୩ରଥର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ଶନିବାର ରଥଖଳାରେ ୧୯୭ଜଣ ନିର୍ମାଣକାରୀ ନିୟୋଜିତ ହୋଇଥିଲେ । ସେମାନଙ୍କ ମଧ୍ୟରେ ୭୬ଜଣ ମହାରଣା ସେବକ, ୭୬ଜଣ ଭୋଇ ସେବକ, ୫ଜଣ କରତି ସେବକ, ଜଣେ ପାହି ମହାରଣା, ୧୭ଜଣ ଓଝା ବା କମାର ସେବକ, ୨ଜଣ ତୁମ୍ବ ବିନ୍ଧ କାରିକର, ୧୯ଜଣ ରୂପକାର ସେବକ ଓ ଜଣେ ରଥଖଳା ସହାୟକ ଅନ୍ତର୍ଭୁକ୍ତ ଥିଲେ । ୩ରଥରେ ଖପୁରୀ ଏବଂ ପାରାଭାଡ଼ିକୁ ମିଶାଇ ମୋଟ ୧୩ ପରସ୍ତ ପୋଟଳ ପଡ଼ିଥାଏ । ସେଥିମଧ୍ୟରୁ କେବଳ ବଡ଼ଧାରା ପୋଟଳ ପଡ଼ିଛି । ଅବଶିଷ୍ଟ ପୋଟଳଗୁଡ଼ିକୁ ଜକିଆ କଣ୍ଟା ବାଡ଼ିଆ ଯାଇ ପ୍ରସ୍ତୁତ କରାଯାଇଛି । ସମସ୍ତ ପୋଟଳ ରଥରେ ଖଞ୍ଜାଯିବା ପୂର୍ବରୁ ସେସବୁର ଚାରି ପାଶ୍ୱର୍ରେ ବାଗିଆ କଣ୍ଟା ବସି ପୋଟଳ ଫିଟିଂ କରାଯିବ । ୩ରଥର ୨ଟି ଲେଖାଏଁ କଳସ ପେଣ୍ଡି ନିର୍ମାଣ ସହ ସେଥିରେ ୧୬ଟି ଲେଖାଏଁ ୩୨ଟି ବିନ୍ଧ ଖୋଦେଇ ସରିଥିଲା ।

ଶନିବାର ୩୨ଟି ଲେଖାଏଁ ପାଖୁଡ଼ା ନିର୍ମାଣ ସରି କଳସ ପେଣ୍ଡିରେ ଫିଟିଂ କରାଯାଇଛି । ସେଥିରେ ଆଲୁମିନିୟମ ଚଦରପଡ଼ି ରଙ୍ଗ କାର୍ଯ୍ୟ ହେବ । ୩ରଥର ୧୨ଟି ଲେଖାଏଁ କଣି ଫାଉଡ଼ା ନିର୍ମାଣ ଶେଷ ହୋଇଛି । ଏହି କଣି ଫାଉଡ଼ା ୩ରଥ ଭୂଇଁର ୬କାଠି କୋଣମାନଙ୍କରେ ଲଗାଯାଇ ଏହାର ୪ପାଶ୍ୱର୍ରେ ବତା ବା ପତଳା କାଠ ବଟନ ଲଗାଯାଇଥାଏ । ଫଳରେ ରଥରେ କନା ପଡ଼ିଲା ଯାଏଁ ଗୋଲାକାର ଆକୃତି ଆସିବା ସହ ରଥକନା ଚିରିନଥାଏ । ଇତି ମଧ୍ୟରେ ୩ରଥର ୫ଟି ଲେଖାଏଁ “ସାରିକ” ନିର୍ମାଣ ଶେଷ ହୋଇଛି । ଏହି “ସାରିକ” ଉପରେ ଶ୍ରୀବିଗ୍ରହମାନଙ୍କର ପ୍ରଭା ଖଞ୍ଜାଯାଇଥାଏ । ଶ୍ରୀଜିଉମାନେ ପହଣ୍ଡି ହୋଇ ରଥକୁ ଆସିବା ପରେ ରୁନ୍ଧା କାର୍ଯ୍ୟରେ ଏହି ସାରିକ ସହାୟକ ହୋଇଥାଏ । ୩ରଥର ବେଦୀ ୪ପାଶ୍ୱର୍ର ସମ୍ମୁଖ ଭାଗକୁ ଛାଡ଼ି ତାଗ ବା କଟନ ପଡ଼ିଥିଲା ।

ସେଥିରେ ରଥର ପଛଭାଗ ଏବଂ ଦକ୍ଷିଣ ପାଶ୍ୱର୍ରେ ପଟା ପଡ଼ିଛି । ଏଥିସହିତ ଶନିବାର ଦିନ ୩ରଥର ପ୍ରଥମ ଭୂଇଁ କଇଁଚିରେ ୮/୨ ସାଇଜର ୧୬ଫୁଟ ଲମ୍ବ ଅନ୍ଧାରୀ ତାଗ ୨ଟିକୁ କାପ କରାଯାଇ ଫିଟିଂ କରାଯାଇଛି । ଏହା କଇଁଚି ସହ ଭୂଇଁ ଶେଣୀ, ଭୂଇଁ ଖମ୍ବି ଏବଂ ପାଖୁଡ଼ାକୁ ବାନ୍ଧି ରଖିବାରେ ସହାୟକ ହୋଇଥାଏ । ଏହା ମୂଳ ଭୂଇଁ କଇଁଚିର ଉଭୟ ପାଶ୍ୱର୍ରୁ ସେଟିଂ କରାଯାଇଛି । ରୂପକାର ସେବକମାନେ ନାଟଗୋଡ଼ରେ ରାହୁରୂପ ଖୋଦେଇ କରିବା ସଙ୍ଗେ ସଙ୍ଗେ ୩ରଥର ପଟାଗୁଜଗୁଡ଼ିକରେ ସିଂହବିରାଳ, ଗଜବିରାଳ ଓ ନର ବିରାଳ ରୂପ ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି । ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାରଶାଳରେ ଓଝା ମହାରଣା ସେବକମାନେ ୩ରଥର କନକମୁଣ୍ଡି ସେଟିଂ ପାଇଁ ୧୨ଟି “ବାହୁଟ ଥାଳିଆ କଣ୍ଟା”, ୧୨ଟି କାଣ୍ଡୁଚି ନାଟ କଣ୍ଟା ନିର୍ମାଣ କରିଛନ୍ତି । ପୋଟଳ ଖଞ୍ଜାଯିବା ପାଇଁ ୨୩୦୦ ଲେଖାଏଁ ଗୋଡ଼ିଛାଲ ପୋଟଳ କଣ୍ଟା, ବାଗିଆ ପୋଟଳ କଣ୍ଟା ତିଆରି କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking