ରଥଖଳାରେ ଉଠିଲା ପୋଟଳ ଖମ୍ବି ଓ ପୋଟଳ ଓରା

ପୁରୀ : ରଥଖଳାରେ ତ୍ୱରାନ୍ୱିତ ହୋଇଛି ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥର ନିର୍ମାଣ କାର୍ଯ୍ୟ । ବୁଧବାର ଦିନ ରଥ ନିର୍ମାଣ କାର୍ଯ୍ୟରେ ମୋଟ ୧୯୮ଜଣ ନିର୍ମାଣକାରୀ ନିୟୋଜିତ ହୋଇଥିଲେ । ସେମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଥିଲେ ୭୮ଜଣ ମହାରଣା, ୭୬ଜଣ ଭୋଇ ସେବକ, ୫ଜଣ କରତି ସେବକ, ଜଣେ ପାହି ମହାରଣା, ୨ଜଣ ତୁମ୍ବ ବିନ୍ଧ କାରିଗର, ୧୯ଜଣ ରୂପକାର ସେବକ, ୧୬ଜଣ ଓଝା ବା କମାର ସେବକ ଓ ଜଣେ ରଥଖଳା ସହାୟକ ଅନ୍ତର୍ଭୁକ୍ତ । ପୂର୍ବରୁ ୩ରଥର ପ୍ରଥମ ଭୂଇଁ ପଡ଼ି ଦ୍ୱିତୀୟ ଭୂଇଁର ୬ କାଠ ଉଠିଥିଲା ।

ବୁଧବାର ଦ୍ୱିତୀୟ ଭୂଇଁ ସମ୍ପୂର୍ଣ୍ଣ ହେବା ପରେ ତୃତୀୟ ଭୂଇଁ ୪କାଠ ଉପରେ ପୋଟଳ ଖମ୍ବି ଓ ପୋଟଳ ଓରା ଉଠି ୩ରଥରେ ତୃତୀୟ ଭୂଇଁ ଖଞ୍ଜିବା କାର୍ଯ୍ୟ ଶେଷ ହୋଇଛି । ଏଥିସହିତ ୩ରଥରେ ଗୋଟିଏ ଲେଖାଏଁ ଧମକ ଲାଗିଛି । ସେହିଭଳି ୩ରଥର ଗୋଟିଏ ଲେଖାଏଁ କନକମୁଣ୍ଡିର ନିର୍ମାଣ ଶେଷ ହୋଇଛି । ୩ରଥର ରୂପକାର ସେବକମାନେ ନାଟଗୋଡ଼ରେ ରାହୁରୂପ ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି । ବୁଧବାର ଦିନ ତାଳଧ୍ୱଜ ରଥର ଚାରପରିଚ୍ଛାରେ ଡ଼ାଳି ଲତା ଖୋଦେଇ ସମ୍ପୂର୍ଣ୍ଣ ହୋଇ ରଥରେ ଲଗାଯାଇଛି । ଓଝା ବା କମାର ସେବକମାନେ ୩ରଥ ପାଇଁ ଭୂଇଁ କଣ୍ଟା, ଛିଆନ କଣ୍ଟା, ପଟଳ କଣ୍ଟା, ପଟଳ ବତ୍ତା କଣ୍ଟା ଓ ତୃତୀୟ ଭୂଇଁ ଓରା କଣ୍ଟା ଯୋଗାଇବା ପରେ ଏବେ ଚାନ୍ଦି, ସ୍ପୋକ କ୍ଲାମ୍ପ ଏବଂ ଏକ୍ସିଲ କ୍ଲାମ୍ପ ନିର୍ମାଣରେ ଲାଗିଛନ୍ତି ।

LEAVE A REPLY

Please enter your comment!
Please enter your name here