27.1 C
Bhubaneswar
Friday, March 29, 2024
Homeଓଡିଶାସ୍ନାନଯାତ୍ରା : ମୁତୟନ ହେବେ ୩୫ ପ୍ଲାଟୁନ ଫୋର୍ସ, ୧୬୦ଜଣ ଅଫିସର

ସ୍ନାନଯାତ୍ରା : ମୁତୟନ ହେବେ ୩୫ ପ୍ଲାଟୁନ ଫୋର୍ସ, ୧୬୦ଜଣ ଅଫିସର

ପୁରୀ : ଆଗାମୀ ସ୍ନାନଯାତ୍ରା ପାଇଁ ପୁଲିସ ପକ୍ଷରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି । ସହରକୁ ୬ଟି ଜୋନରେ ବିଭକ୍ତ କରାଯାଇଛି । ସ୍ନାନଯାତ୍ରା ପାଇଁ ନିୟୋଜିତ ହେବେ ମୋଟ ୩୫ପ୍ଲାଟୁନ ପୁଲିସ ଫୋର୍ସ, ୫୩୦ଜଣ ହୋମଗାର୍ଡ଼, ସବ୍‌ଇନ୍ସପେକ୍ଟର ଓ ଏଏସ୍‌ଆଇ ପାହ୍ୟାର ୧୬୦ଜଣ ଅଧିକାରୀ, ଇନ୍ସପେକ୍ଟର ପାହ୍ୟାର ୪୪ଜଣ ଅଧିକାରୀ, ଡିଏସ୍‌ପି / ସହକାରୀ କମାଣ୍ଡା ପାହ୍ୟାର ୨୦ଜଣ ଅଧିକାରୀ ଓ ୬ଜଣ ଅତିରିକ୍ତ ଏସ୍‌ପି । ପୁରୀ ସହରର ୫ଟି ପ୍ରବେଶପଥ ମଙ୍ଗଳାଘାଟ, ବାଟଗାଁ, ମାଳତୀପାଟପୁର, ଗ୍ରୀଡ଼ ଷ୍ଟେସନ ଓ ତୋଷାଳି ସ୍ୟାଣ୍ଡ ଛକରେ ପୁଲିସ ଅଫିସର ଓ ଫୋର୍ସ  ମୁତୟନ ହେବେ । କଟକଣା କରାଯାଇଥିବା ଅଞ୍ଚଳରେ ଅନଧିକୃତ ବ୍ୟକ୍ତିମାନେ ଯେପରି ପ୍ରବେଶ କରିନପାରିବେ ସେଥିପାଇଁ ପ୍ରମୁଖ ଛକ ଓ କର୍ଡ଼ନରେ ୧୨ଟି ସିସିଟିଭି ଲଗାଯିବ । ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ ଉପଲକ୍ଷେ ଶନିବାର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।

ଆରକ୍ଷୀ ଅଧିକ୍ଷକ ଡ. କନୱର ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୁରୀ ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ବୈଠକରେ ସ୍ନାନଯାତ୍ରା ପାଇଁ ପୁଲିସ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବା ସଙ୍ଗେ ସଙ୍ଗେ ଏସଓପି ପ୍ରସ୍ତୁତ କରାଯାଉଛି । ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଅନୁଯାୟୀ କୌଣସି ଗଳି କିମ୍ବା ଉପଗଳିରୁ ଶ୍ରୀମନ୍ଦିର ସମ୍ମୁଖ ଓ ବଡ଼ଦାଣ୍ଡକୁ କୌଣସି ଅନଧିକୃତ ବ୍ୟକ୍ତି ପ୍ରବେଶ କରିପାରିବେ ନାହିଁ । ବଡ଼ଦାଣ୍ଡକୁ ଲାଗିଥିବା ସମସ୍ତ ରାସ୍ତାରେ ୩ପ୍ରକାର କର୍ଡ଼ନ କରାଯିବ। ୧୬ଟି ଆଉଟର, ୪୩ଟି ମିଡ଼ିଲ ଓ ୧୬ଟି ଇନର କର୍ଡ଼ନର ବ୍ୟବସ୍ଥା ହେବ । ମାର୍କେଟ ଛକ, ମୋଚିସାହି ଛକ, ସୋଲାଖିଆ ବରଗଛ ଛକ ଓ ବୃଷଭ ଛକ ଆଗକୁ କୌଣସି ୪ଚକିଆ ଯାନକୁ ଯିବା ପାଇଁ ଦିଆଯିବ ନାହିଁ ।

କଡ଼ାକଡ଼ି ଭାବେ ଏସଓପି ପାଳନ କରାଯିବ । ଚିକିତ୍ସା କିମ୍ବା ଅନ୍ୟ ଜରୁରୀ କାର୍ଯ୍ୟ ପାଇଁ ଜନସାଧାରଣଙ୍କ ଯାତାୟତରେ ଯେପରି କୌଣସି ଅସୁବିଧା ନଉପୁଜେ ତାହା ସୁନିଶ୍ଚିତ କରିବା ପାଇଁ କଣ୍ଟିଜେନ୍ସି ପ୍ଲାନ ପ୍ରସ୍ତୁତ କରାଯାଇଛି । କୌଣସି ଜରୁରୀ ଅବସ୍ଥା ଉପୁଜିଲେ କିମ୍ବା କୌଣସି ବିଷୟରେ ଜାଣିବାକୁ ଚାହିଁଲେ ଜନସାଧାରଣ ସିଟି ଡ଼ିଏସପି ଜେ. ପାଢ଼ୀଙ୍କ ସହ ମୋବାଇଲ ଫୋନ ନମ୍ବର ୯୪୩୮୯୧୬୫୬୯ରେ ଯୋଗାଯୋଗ କରିପାରିବେ । ଜନସାଧାରଣ ଏଥିରେ ପୁଲିସକୁ ପୂର୍ଣ୍ଣ ସହଯୋଗ କରିବା ପାଇଁ ଜିଲ୍ଲା ପୁଲିସ ପକ୍ଷରୁ ନିବେଦନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking