34.1 C
Bhubaneswar
Friday, March 29, 2024
Homeଓଡିଶାଚଳଚଞ୍ଚଳ ରଥଖଳା : ଲାଗି ସାରିଲାଣି ୪୪ଟି ଯୋଖା

ଚଳଚଞ୍ଚଳ ରଥଖଳା : ଲାଗି ସାରିଲାଣି ୪୪ଟି ଯୋଖା

ପୁରୀ : ରଥଯାତ୍ରା ପାଖେଇ ଆସିବା ସଙ୍ଗେ ସଙ୍ଗେ ଅଧିକରୁ ଅଧିକ ଚଳଚଞ୍ଚଳ ହୋଇ ଉଠୁଛି ରଥଖଳା । ଶୁକ୍ରବାର ଦିନ ମୋଟ ୧୯୫ଜଣ ନିର୍ମାଣକାରୀ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ସେମାନଙ୍କ ମଧ୍ୟରେ ୭୮ଜଣ ମହାରଣା, ୭୬ଜଣ ଭୋଇ ସେବକ, ୫ଜଣ କରତି ସେବକ, ଜଣେ ପାହି ମହାରଣା, ୨ଜଣ ତୁମ୍ବ ବିନ୍ଧ କାରିଗର, ୧୮ଜଣ ରୂପକାର ସେବକ, ୧୪ଜଣ ଓଝା ବା କମାର ସେବକ ଏବଂ ଜଣେ ରଥଖଳା ସହାୟକ ଅନ୍ତର୍ଭୁକ୍ତ । ଶୁକ୍ରବାର ସୁଦ୍ଧା ୩ରଥରେ ମୋଟ ୪୪ଟି ଯୋଖା ସଂଯୋଗ ହୋଇସାରିଛି।

ଏଥିସହିତ ୩ରଥର ୧୪ନାହାକା ଖମ୍ବି ନିର୍ମାଣ ଚାଲିଛି । ୧୪ ନାହାକା ନିର୍ମାଣ ପାଇଁ ରଥ ଅମୀନ ୭ଟି ଲେଖାଏଁ କାଠ ଯୋଗାଇଥିଲେ । ସେଥିମଧ୍ୟରୁ ତାଳଧ୍ୱଜ ରଥର ୪ଟି ୧୪ନାହାକା ଖମ୍ବି ନିର୍ମାଣ ସରି ଆଉ ୨ଟିର ଚଉପଟ କାମ ଚାଲିଛି । ଚଉପଟ ପରେ ୮ କୋଣି ହୋଇ ୨ପଟ ସାଲ ହୋଇ ବିନ୍ଧ କରାଯିବ । ଦେବଦଳନ ରଥର ୪ଟି ୧୪ ନାହାକା ଖମ୍ବି ନିର୍ମାଣ କାର୍ଯ୍ୟ ଶେଷ ହୋଇ ଆଉ ୨ଟିର ଚଉପଟ କାମ ଚାଲିଛି । ନନ୍ଦିଘୋଷ ରଥର ୭ଟି ଚଉଦ ନାହାକା ଖମ୍ବି ନିର୍ମାଣ ଶେଷ ହୋଇଛି ।

୩ରଥର ଗୋଟିଏ ଗୋଟିଏ ଚାରପରିଛା ଚଉପଟ ସରି କାପ ହୋଇ ବିନ୍ଧ ସରିଛି । ସେଥିରେ ରୂପକାରମାନଙ୍କ ଦ୍ୱାରା କଳସ ଏବଂ ଡ଼ାଳି ଲତା ଖୋଦେଇ ହୋଇ ଚିତ୍ରକରଙ୍କ ଦ୍ୱାରା ରଙ୍ଗ କାର୍ଯ୍ୟ ହେବ । ଏହା ରଥର ଘୋଡ଼ା ଏବଂ ଚାରବନ୍ଧା ସ୍ଥାନରେ ଖଞ୍ଜାଯିବ । ଇତି ମଧ୍ୟରେ ୩ରଥର ୨ଟି ଲେଖାଏଁ ଧୂଳିଦଣ୍ଡା ଚଉପଟ କାମ ଶେଷ ହୋଇଛି । ଏହା ସିଂହାସନରେ ପ୍ରଭା ପଛରେ ଲାଗିଥାଏ । ୩ରଥର ୩ଭୂଇଁ ପାଇଁ ୧୨ଟି ଲେଖାଏଁ ଚଉତରା ବିନ୍ଧ ଓ ଆଡ଼ ବିନ୍ଧ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ୬ଟି ଲେଖାଏଁ ଓରାର ବିନ୍ଧ ଶେଷ ହୋଇଛି । ଠାକୁରଙ୍କ ଆସ୍ଥାନ ପାଇଁ ୩ରଥର ଜଗତପୃଷ୍ଠ ଶ୍ରେଣୀର ଚଉପଟ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ତାଳଧ୍ୱଜ ରଥର ଆଟାଗୁଜରେ ରୂପକାର ସେବକ ସିଂହବିରାଳ, ଗଜ ବିରାଳ ଓ ନର ବିରାଳ ରୂପ ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି । ତାଳଧ୍ୱଜ ରଥର ମୁଖ୍ୟ ମହାରଣାଙ୍କ ତତ୍ତ୍ୱାବଧାନରେ ଅଣସର ପାଇଁ ୧୮ ଫୁଟର ୩ଗୋଟି ଅଣସର ଗୟଳ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରୂପକାର ସେବକମାନେ ୩ରଥର ନାଟ ଗୋଡ଼ରେ ରାହୁରୂପ ଖୋଦେଇ କାମ ଜାରି ରଖିଛନ୍ତି । ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାରଶାଳରେ ଓଝା ସେବକମାନଙ୍କ ଦ୍ୱାରା ୩ରଥର ପୋଟଳ ପାଇଁ ଗୋଡ଼ିଛାଲ କଣ୍ଟା ଓ ବାଗିଆ କଣ୍ଟା ତିଆରି ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking