30.1 C
Bhubaneswar
Wednesday, April 24, 2024
Homeଓଡିଶାରଥରେ ପଡ଼ିଲା ଛନ୍ଦା ଗୟଳ : ଖଞ୍ଜା ହେଲା ଯୋଖା

ରଥରେ ପଡ଼ିଲା ଛନ୍ଦା ଗୟଳ : ଖଞ୍ଜା ହେଲା ଯୋଖା

ପୁରୀ : ଦ୍ରୁତଗତିରେ ଆଗେଇ ଚାଲିଛି ୩ରଥର ନିର୍ମାଣ କାର୍ଯ୍ୟ । ପୂର୍ବରୁ ତାଳଧ୍ୱଜ ଓ ନନ୍ଦିଘୋଷ ରଥର ସମ୍ମୁଖ ତଥା ପଶ୍ଚାତ ଭାଗରେ ଗୋଟିଏ ଲେଖାଏଁ ଛନ୍ଦାଗୟଳ ପଡ଼ିଥିବା ବେଳେ ଦେବଦଳନ ରଥର ଆଗ ଓ ପଛପାଶ୍ୱର୍ରେ ମଧ୍ୟ ୨ଟି ଲେଖାଏଁ ଛନ୍ଦାଗୟଳ ପଡ଼ିଥିଲା । ଗୁରୁବାର ଦିନ ଏହି ରଥଦ୍ୱୟରେ ଆଉ ୨ଟି ଲେଖାଏଁ ଛନ୍ଦାଗୟଳ ପଡ଼ିଛି । ତାଳଧ୍ୱଜ ଓ ନନ୍ଦିଘୋଷ ରଥର ୧୨ଟି ଲେଖାଏଁ ଗୟଳ ଓ ଦେବଦଳନ ରଥର ୮ଟି ଗୟଳ ପଡ଼ିବା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଏଥିସହିତ ଗୁରୁବାର ଦିନ ୩ରଥର ୨୧ଟି ଯୋଖା ଖଞ୍ଜାଯାଇଛି । ତାଳଧ୍ୱଜ ରଥର ୮ଟି, ଦେବଦଳନ ରଥର ୧୦ଟି ଓ ନନ୍ଦିଘୋଷ ରଥର ୩ଟି ଯୋଖା ଖଞ୍ଜାଯାଇ ସାରିଲାଣି । ଯୋଖାଗୁଡ଼ିକର ମାପ ପ୍ରକାରେ କାପ ଓ କଣ୍ଟା ବିନ୍ଧ କରାଯାଇ ସେଗୁଡ଼ିକୁ ଖଞ୍ଜାଯାଇଛି ।

ଗୁରୁବାର ତାଳଧ୍ୱଜ ରଥର ପଞ୍ଚଦଣ୍ଡା କୋଣମାନଙ୍କରେ ଲଗାଯାଇଥିବା ଅସୁଆରୀ ବା ପଟାଗୁଜରେ ରୂପକାର ସେବକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସିଂହବିରାଳ ଓ ଗଜ ବିରାଳ ରୂପ ଖୋଦେଇ ଅନୁକୂଳ କରିଥିଲେ । ୨ଟି ସିଂହ ବିରାଳ ଓ ଗୋଟିଏ ଗଜ ବିରାଳର ଖୋଦେଇ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଆଉ ଏକ ସିଂହବିରାଳର ରୂପ ଖୋଦେଇ ପାଇଁ ଅଙ୍କନ କରାଯାଇଛି । ୩ରଥର ପ୍ରଥମ ଓ ଦ୍ୱିତୀୟ ଭୂଇଁ ପାଇଁ ୪ଟି ଲେଖାଏଁ ଓରାର ଚଉପଟ କାମ ଶେଷ ହୋଇଛି । ୩ରଥର ତୃତୀୟ ଭୂଇଁ ବା ଶେଷ ଭୂଇଁର ପୋଟଳ ଫ୍ରେମ ପାଇଁ ୬ଟି ଲେଖାଏଁ ପୋଟଳ ଓରା, ୧୨ଟି ଲେଖାଏଁ ପୋଟଳ ଖମ୍ବି, ୬ଟି ପୋଟଳ ପାରେଣୀ ଚଉପଟ ହେବା ସହ ସାଲବିନ୍ଧ ସରିଛି । ଏଥିସହିତ ୩ରଥରେ ଠାକୁରଙ୍କ ଆସ୍ଥାନ ପାଇଁ ରଥ ଅମୀନ ଜଗତପୃଷ୍ଠ ଶ୍ରେଣୀ ଓ ଧୂଳି ଦଣ୍ଡା କାଠ ଯୋଗାଇ ଦେଇଛନ୍ତି ।

ସେଗୁଡ଼ିକର ଚଉପଟ କାମ ଆରମ୍ଭ ହେବ । ରୂପକାର ସେବକମାନେ ୩ରଥର ଦୁଆରବେଢ଼ା ପାଇଁ ନାଟ ଗୋଡ଼ରେ ରାହୁରୂପ ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି । ଦୋଳବେଦୀର ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ୩ରଥର ପୋଟଳ ପାଇଁ ଗୋଡ଼ି ଛାଲ କଣ୍ଟା ଓ ବାଗିଆ କଣ୍ଟା ତିଆରିରେ ଲାଗିଛନ୍ତି । ଗୁରୁବାର ଦିନ ରଥଖଳାରେ ୧୯୬ଜଣ ନିର୍ମାଣକାରୀ ନିୟୋଜିତ ହୋଇଥିଲେ । ସେମାନଙ୍କ ମଧ୍ୟରେ ୭୯ଜଣ ମହାରଣା, ୭୬ଜଣ ରଥ ଭୋଇ, ୫ଜଣ କରତି ସେବକ, ଜଣେ ପାହି ମହାରଣା, ୨ଜଣ ତୁମ୍ବ ବିନ୍ଧ କାରିଗର, ୧୮ଜଣ ରୂପକାର ସେବକ, ୧୪ଜଣ ଓଝା ବା କମାର ସେବକ ଓ ଜଣେ ରଥଖଳା ସହାୟକ ନିୟୋଜିତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking