28.1 C
Bhubaneswar
Thursday, March 28, 2024
Homeଓଡିଶାଆରମ୍ଭ ହେଲା ଭିତର ଚନ୍ଦନ ଯାତ୍ରା

ଆରମ୍ଭ ହେଲା ଭିତର ଚନ୍ଦନ ଯାତ୍ରା

ପୁରୀ : ୨୧ଦିନ ବ୍ୟାପି ନରେନ୍ଦ୍ର ସରୋବରରେ ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା, ଭଉଁରୀ ଓ ହଳଦୀପାଣି ଅନୁଷ୍ଠିତ ହେବା ପରେ ଶ୍ରୀମନ୍ଦିରରେ ଶନିବାର ଜ୍ୟେଷ୍ଠ କୃଷ୍ଣ ଦଶମୀ ଠାରୁ ଆରମ୍ଭ ହୋଇଛି ଭିତର ଚନ୍ଦନ ଯାତ୍ରା । ୨୧ଦିନ ଧରି ପରମ୍ପରା ଅନୁଯାୟୀ ଭିତର ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ । ଏହି ଅବସରରେ ଠାକୁରମାନେ ଆଲଟ ଲାଗି ଓ ଚନ୍ଦନ ଲାଗି ହେବେ । ଜ୍ୟେଷ୍ଠ କୃଷ୍ଣ ଏକାଦଶୀ, ସାବିତ୍ରୀ ଅମାବାଶ୍ୟା, ଶୀତଳଷଷ୍ଠୀ ଓ ରୁକ୍ମିଣୀ ହରଣ ଏକାଦଶୀରେ ଶ୍ରୀମନ୍ଦିରରେ ଠାକୁରମାନଙ୍କର ଜଳକ୍ରୀଡ଼ା ନୀତି ସମ୍ପନ୍ନ ହେବ । ପ୍ରତ୍ୟହ ଭୋଗମଣ୍ଡପ ଓ ସନ୍ଧ୍ୟା ଧୂପ ପରେ ୨ଥର ମହାପ୍ରଭୁଙ୍କୁ ଆଲଟ ଲାଗି କରାଯିବା ସହ ଚନ୍ଦନ ଲାଗି ଓ ରାତିରେ ପଣା ଭୋଗ କରାଯିବ । ଉଲ୍ଲେଖଯୋଗ୍ୟ ଯେ ଚନ୍ଦନଯାତ୍ରା ହେଉଛି ମହାପ୍ରଭୁଙ୍କର ଦୀର୍ଘକାଳୀନ ଯାତ୍ରା ।

୪୨ଦିନ ଧରି ଏହା ଅନୁଷ୍ଠିତ ହୋଇଥାଏ । ଭିତର ଚନ୍ଦନ ଯାତ୍ରା ସମ୍ପର୍କରେ ଶ୍ରୀମନ୍ଦିର ପୁରୋହିତ ପଦ୍ମନାଭ ତ୍ରିପାଠୀ କୁହନ୍ତି ଭିତର ଚନ୍ଦନଯାତ୍ରାରେ ଦିନରେ ୨ଥର ଓ ରାତିରେ ମହାପ୍ରଭୁଙ୍କୁ ଆଲଟ ଲାଗି କରାଯାଏ । ସକାଳଧୂପ ଶେଷ ହେବା ପରେ ଅନ୍ୟାନ୍ୟ ନୀତି ହୋଇ ଦ୍ୱିପ୍ରହର ଧୂପ ନୀତି ସହିତ ଏକତ୍ର ଯାତ ଭୋଗ କରାଯାଏ । ଯାତଭୋଗ ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଠାକୁରମାନେ ଜଳକ୍ରୀଡ଼ା ମଣ୍ଡପ ବା ଚନ୍ଦନ ମଣ୍ଡପକୁ ବିଜେ କରନ୍ତି । ନୃସିଂହ ମନ୍ଦିର ଓ ରୋହିଣୀ କୁଣ୍ଡ ମଝିରେ ଏହି ଜଳକ୍ରୀଡ଼ା ନୀତି ସମ୍ପନ୍ନ ହୁଏ । ସେଠାରେ ଭିତର ଚନ୍ଦନ ନୀତି ଅନୁଷ୍ଠିତ ହୁଏ । ଶୀତଳଷଷ୍ଠୀ, ଶିବ ବିବାହ, ସାବିତ୍ରୀ, ଅମାବାସ୍ୟା, ରୁକ୍ମିଣୀ ହରଣ ଏକାଦଶୀ ଆଦି ତିଥିମାନଙ୍କରେ ଠାକୁରଙ୍କ ସ୍ୱତନ୍ତ୍ର ଜଳକ୍ରୀଡ଼ା ନୀତି ଅନୁଷ୍ଠିତ ହେବ । ଜଗତରୁ ପାପକୁ ହରଣ କରି ଶୀତଳତା ଓ ଶାନ୍ତି ପ୍ରଦାନ ଉଦ୍ଦେଶ୍ୟରେ ଏହି ମହାନ ଯାତ୍ରାର ପରମ୍ପରା ଶ୍ରୀମନ୍ଦିରରେ ରହିଛି ।

ଶ୍ରୀମନ୍ଦିରର ସେବାୟତ ସୁଦର୍ଶନ ପୂଜାପଣ୍ଡା କୁହନ୍ତି ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଚନ୍ଦନ ଯାତ୍ରା ହେଉଛି ସବୁଠାରୁ ଦୀର୍ଘକାଳୀନ ଯାତ୍ରା । ୨୧ଦିନ ଧରି ବାହାର ଚନ୍ଦନ ଓ ୨୧ଦିନ ଧରି ଭିତର ଚନ୍ଦନ ଅନୁଷ୍ଠିତ ହୋଇଥାଏ । ବାହାର ଚନ୍ଦନରେ ମନ୍ଦିରରୁ ୫ ମୂର୍ତ୍ତି ବାହାରି ନରେନ୍ଦ୍ରକୁ ଯାଉଥିବା ବେଳେ ଭିତର ଚନ୍ଦନରେ କେବଳ ମଦନମୋହନ ଓ ଶ୍ରୀଦେବୀ ଆସି ଜଳକ୍ରୀଡ଼ା କରନ୍ତି ।

ଶୀତଳଷଷ୍ଠୀ, ଶିବବିବାହ, ସାବିତ୍ରୀ ଅମାବାସ୍ୟା ଓ ରୁକ୍ମିଣୀ ହରଣ ଏକାଦଶୀ ଏହି ୪ଦିନ ଜଳକ୍ରୀଡ଼ା ସମ୍ପନ୍ନ ହୋଇଥାଏ । ବାହାର ଚନ୍ଦନ ଓ ଭିତର ଚନ୍ଦନ ନୀତି ସମ୍ପୂର୍ଣ୍ଣ ଭିନ୍ନ । ଭିତର ଚନ୍ଦନରେ ଚଳନ୍ତି ପ୍ରତିମା ପାଣିରେ ବୁଡ଼ନ୍ତି ଓ ପାଣି ଭିତରେ ଥାଇ ଠାକୁରଙ୍କୁ ଭୋଗ କରାଯାଏ । ଦିଅଁ ପାଣିରୁ ଉଠିଲେ ମାଜଣା ହୋଇ ମଧ୍ୟାହ୍ନ ଧୂପ ଛେକ ଆସେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking