33.1 C
Bhubaneswar
Wednesday, April 24, 2024
Homeଓଡିଶା୩ ରଥର ମୁଖ୍ୟ ନାହାକା ଅଖଗୁଡ଼ିକର ଗୋଲେଇ କାର୍ଯ୍ୟ ଶେଷ, ଭଉଁରୀ ଦିନ ହେବ ଚକ...

୩ ରଥର ମୁଖ୍ୟ ନାହାକା ଅଖଗୁଡ଼ିକର ଗୋଲେଇ କାର୍ଯ୍ୟ ଶେଷ, ଭଉଁରୀ ଦିନ ହେବ ଚକ ଡ଼େରା

ପୁରୀ : ଚନ୍ଦନଯାତ୍ରାର ଶେଷ ଦିବସ ଭଉଁରୀ ତିଥିରେ ପରମ୍ପରା ଅନୁଯାୟୀ ଚକ ଡ଼େରାଯିବ । ଚକ ଡ଼େରା ପାଇଁ ରଥଖଳାରେ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ୩ରଥର ମୁଖ୍ୟ ନାହାକା ଅଖଗୁଡ଼ିକର ୨ପାଶ୍ୱର୍ ଗୋଲେଇ କାର୍ଯ୍ୟ ସୋମବାର ଠାରୁ ଶେଷ ହୋଇଛି । ରଥଖଳାରେ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ଅଧିକ ଚଳଚଞ୍ଚଳ ହୋଇଉଠିଛି ରଥଖଳା। ନନ୍ଦିଘୋଷ ରଥର ଅନୁକୂଳ ନାହାକା ଅଖ ସମେତ ୩ଟି ନାହାକା ଅଖର ଗୋଲେଇ କାର୍ଯ୍ୟ ଶେଷ ହୋଇ ଚତୁର୍ଥ ନାହାକା ଅଖର ଗୋଲେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେହିଭଳି ଦେବଦଳନ ରଥର ଅନୁକୂଳ ନାହାକା ଅଖକୁ ମିଶାଇ ୨ଟି ନାହାକା ଅଖର ଗୋଲେଇ କାର୍ଯ୍ୟ ଶେଷ ହୋଇ ଗୋଟିଏ ପଡ଼ି ନାହାକା ଅଖ ଗୋଲେଇ ପାଇଁ ୨ପାଶ୍ୱର୍ ଚଉପଟ କାର୍ଯ୍ୟ ଚାଲିଛି ।

ତାଳଧ୍ୱଜ ରଥର ଅନୁକୂଳ ମୁଖ୍ୟ ନାହାକା ଅଖର ୨ପାଶ୍ୱର୍ ଗୋଲେଇ କାର୍ଯ୍ୟ ଶେଷ ହୋଇ ଆଉ ୨ଟି ପଡ଼ି ନାହାକା ଅଖର ୨ପାଶ୍ୱର୍ ଗୋଲେଇ ପାଇଁ ଚଉପଟ କାର୍ଯ୍ୟ ଚାଲିଛି । ଏଥିସହିତ ନନ୍ଦିଘୋଷ ରଥର ୬ଟି ଚକର କାମ ଶେଷ ହୋଇଥିବା ବେଳେ ତାଳଧ୍ୱଜ ରଥର ମଧ୍ୟ ୬ଟି ଚକ କାର୍ଯ୍ୟ ସମ୍ପନ୍ନ ହୋଇଛି । ଦେବଦଳନ ରଥର ୫ଟି ଚକର କାମ ମଧ୍ୟ ଶେଷ ହୋଇଛି । ସେଥିମଧ୍ୟରେ ୨ଟି ନାହାକା ଚକ, ୨ଟି ପଡ଼ି ନାହାକା ଚକ ଓ ଗୋଟିଏ ଉଚ୍ଛଳା ଚକ ଅନ୍ତର୍ଭୁକ୍ତ । ମଙ୍ଗଳବାର ଦିନ ୧୪୯ଜଣ ରଥ ସେବକ ରଥଖଳାରେ ନିୟୋଜିତ ହୋଇଥିଲେ । ସେମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଥିଲେ ୩ରଥର ୭୦ଜଣ ମହାରଣା, ୬୫ଜଣ ଭୋଇ ସେବକ, ୪ଜଣ କରତି ସେବକ, ଜଣେ ପାହି ମହାରଣା, ୧୭ଜଣ ଓଝା ବା କମାର ସେବକ, ୨ଜଣ ତୁମ୍ବ ବିନ୍ଧ କାରିଗର, ୧୯ଜଣ ରୂପକାର ସେବକ ଓ ଜଣେ ରଥଖଳା ସହାୟକ । ୩ରଥର ୧୯ଜଣ ରୂପକାର ସେବକ ସାଲଗୁଜରେ ସିଂହବିରାଳ ରୂପ ଖୋଦେଇ କରିବା ସହ ଅନ୍ୟ ଗୁଜଗୁଡ଼ିକରେ ରୂପ ଖୋଦେଇ ପାଇଁ ରୂପ ଅଙ୍କନ କରିଥିଲେ । ଗୁଜରେ ସରି ଆସୁଥିବା ରୂପ ଖୋଦେଇ ଅଂଶଗୁଡ଼ିକୁ ପାଲିସ କରିବା କାମ ଜାରି ରହିଛି ।

ତାଳଧ୍ୱଜ ରଥର ୬ଟି ଚକ କାମ ଇତି ମଧ୍ୟରେ ଶେଷ ହୋଇଛି । ସେଗୁଡ଼ିକ ମଧ୍ୟରେ ୨ଟି ନାହାକା, ୨ଟି ପଡ଼ି ନାହାକା ଓ ୨ଟି ବଡ଼ ଉଚ୍ଛଳା ଚକ ଅନ୍ତର୍ଭୁକ୍ତ । ଏହାଛଡ଼ା ଗୋଟିଏ ସାନ ଉଚ୍ଛଳା ଚକର ତୁମ୍ବରେ ପଇ ଲାଗିବା ସହ ଅଖ ବିନ୍ଧ ହୋଇ ପନ୍ଦାରୀ ଲଗାଯିବା ପାଇଁ ପନ୍ଦାରୀ ଗାଡ଼ ଖୋଦେଇ କାର୍ଯ୍ୟ ଚାଲିଛି । ତୁମ୍ବର ଗୋଟିଏ ପାଶ୍ୱର୍ରେ ବଳା ଖଞ୍ଜା ସରିଛି । ସମିଲରୁ ଅବଶିଷ୍ଟ ପଇଗୁଡ଼ିକ କଟା ହୋଇ ଆସିବା ପରେ ବୁଧବାର ଠାରୁ ପଇ ବିନ୍ଧ କାର୍ଯ୍ୟ ଆରମ୍ଭ ହେବ । ଦେବଦଳନ ରଥର ୨ଟି ନାହାକା, ୨ଟି ପଡ଼ି ନାହାକା ଓ ଗୋଟିଏ ଉଚ୍ଛଳା ଚକର କାମ ଶେଷ ହୋଇ ଅନ୍ୟ ଉଚ୍ଛଳା ଚକଟିର ତୁମ୍ବରେ ସିଙ୍ଗଡ଼ା ବାଡ଼ିଆ ସରିଛି । ଏହାପରେ ପନ୍ଦାରୀ ଓ ବଳା ଲଗାଯିବ ।

ଦେବଦଳନ ରଥର ୨ଟି ୧୨ଫୁଟିଆ ଧଉରା କାଠର ଓରା ବିନ୍ଧ ଖୋଦେଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ ରଥର ପ୍ରଥମ ଭୂଇଁ ଉପରେ ୪ଟି ଓରା ଲାଗିଥାଏ । ନନ୍ଦିଘୋଷର ରଥର ୪ଟି ନାହାକା ଚକ, ୨ଟି ପଡ଼ି ନାହାକା ଚକର କାମ ଶେଷ ହୋଇ ଆଉ ୨ଟି ତୁମ୍ବରେ ଅର ଖଞ୍ଜାଯାଇ ସିଙ୍ଗଡ଼ା ବାଡ଼ିଆ କାମ ଚାଲିଛି । ମଙ୍ଗଳବାର ଠାରୁ ପଇ ବିନ୍ଧ କାମ ଆରମ୍ଭ ହୋଇ ଅନ୍ୟ ଚକଗୁଡ଼ିକର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହେବ । ଏଥିସହିତ ବାକି ଥିବା ୨ଟି ତୁମ୍ବର ଘେରକଟା ସମ୍ପୂର୍ଣ୍ଣ ହୋଇଛି । ମଙ୍ଗଳବାର ସୁଦ୍ଧା ନନ୍ଦିଘୋଷ ରଥର ୧୨ଟି କୁଡ଼ୁକା ମଧ୍ୟରୁ ୧୧ଟିର କାମ ସରିଛି । ୧୧ଟି ସାଲଗୁଜ କାମ ମଧ୍ୟ ସମ୍ପୂର୍ଣ୍ଣ ହୋଇଛି ।

୮ଟି ତିଖ ଗୁଜ ମଧ୍ୟରୁ ୨ଟିର କାମ ଶେଷ ହୋଇଥିବା ବେଳେ ଆବଶ୍ୟକ ୯ଟି ଜଳଯନ୍ତ୍ର ବା ପାଶ୍ୱର୍ ଦେବାଦେବୀଙ୍କ ଆସ୍ଥାନର କାମ ଶେଷ ହୋଇଛି । ରଥଖଳାରେ ଏସବୁ କାର୍ଯ୍ୟ ଚାଲିଥିବା ବେଳେ ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାରଶାଳରେ ଓଝା ମହାରଣାମାନେ ୩ରଥ ପାଇଁ ଆବଶ୍ୟକ ପନ୍ଦାରୀ ଓ ଅରକଣ୍ଟା ତିଆରି ଶେଷ କରିବା ସଙ୍ଗେ ସଙ୍ଗେ ପ୍ରତ୍ୟେକ ରଥର ଚକ ନିର୍ମାଣ ବେଳେ ତୁମ୍ବ ଗୋଲେଇର ମାପ ପ୍ରକାରେ ବଳା ନିର୍ମାଣ କରି ଯୋଗାଉଛନ୍ତି । ମଙ୍ଗଳବାର ସୁଦ୍ଧା ୪୨ଟି ବଳାର ନିର୍ମାଣ ଶେଷ ହୋଇଥିବା ବେଳେ ରଥର ଉପରିଭାଗ କାର୍ଯ୍ୟ ପାଇଁ ଶାଳରେ ଗୟଳ କଣ୍ଟା ତିଆରି ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking