43.9 C
Bhubaneswar
Friday, April 19, 2024
Homeଓଡିଶାଅନୁକୂଳ ପରେ ଚକରେ ଲାଗିଛି ପନ୍ଦାରୀ ଓ ବଳା

ଅନୁକୂଳ ପରେ ଚକରେ ଲାଗିଛି ପନ୍ଦାରୀ ଓ ବଳା

ପୁରୀ : ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାମ ଜୋର ଧରିଛି । ରଥର ନାହାକା ଚକ ପ୍ରସ୍ତୁତ । ବିଶ୍ୱକର୍ମାମାନେ ପନ୍ଦାରୀ ଓ ବଳା ଅନୁକୂଳ କରି ଚକରେ ଲଗାଇଛନ୍ତି । ଏଥିସହ ପଇରେ ବିନ୍ଧ କାମ ଚାଲିଛି। ଭୋଇସେବକ ବିଲେଇବାଡ଼ିଆ ପଦ୍ଧତିରେ ଅର ଓ ପଇକୁ ସଂଯୋଗ କରୁଛନ୍ତି । ଯନ୍ତାପଟାରେ ପଡି ତୁମ୍ବ ସହ ଅର ସଂଯୋଗ ବା ସିଙ୍ଗଡ଼ାବାଡ଼ି ହୋଇ ପଇକୁ ବିନ୍ଧ ପରେ ଖୁସିଅର ଲାଗୁଛି। ପରେ କଳସା କରାଯାଇ ପଇକୁ ବାନ୍ଧେଣୀ କରି ଚକ ପ୍ରସ୍ତୁତ ହେଉଛି । ରଥଖଳାରେ ଚିରଟ ହୋଇ ଜଳଯନ୍ତ୍ର ଓ ଗୁଜ କାଠ ପହଞ୍ଚିଛି । ରଥ ନିର୍ମାଣରେ ୧୬୬ ଜଣ ସେବକ ଲାଗିଛନ୍ତି । ଆଉ ୨ଟି ଚକ ତିଆରି ପାଇଁ ତୁମ୍ବରେ ଅର ସଂଯୋଗ ସହ ଜନ୍ତାଗାଡ଼ରେ ସିଙ୍ଗଡ଼ା ବାଡ଼ିଆ ସରି ଅର ସାଲ ହୋଇ ତୁମ୍ବରେ ଅଖ ବିନ୍ଧ ଶେଷ ହୋଇଛି । ୪ଟି ପହିର ଅଖ ବିନ୍ଧ କାମ ପହଞ୍ଚିଛି ଶେଷ ପର୍ଯ୍ୟାୟରେ।

ଏଥିସହିତ ୧୧ଟି ସାଲଗୁଜ, ୬ଟି ଜଳଯନ୍ତ୍ର ଓ ଗୋଟିଏ ତିଖ ଗୁଜର ଚଉପଟ ସରି ରୂପ ଖୋଦେଇ ପାଇଁ ରୂପକାର ସେବକଙ୍କୁ ଦିଆଯାଇଛି । ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାରଶାଳରେ ଓଝା ମହାରଣା ସେବକମାନେ ଚକ ପାଇଁ ପନ୍ଦାରୀ ଓ ବଳା ନିର୍ମାଣ କାର୍ଯ୍ୟରେ ଲାଗି ପଡ଼ିଛନ୍ତି । ରଥ ନିର୍ମାଣର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇ ଜିଲ୍ଲାପାଳ ସମର୍ଥ ବର୍ମା ପ୍ରକାଶ କରିଛନ୍ତି ଯେ ୧୬୬ଜଣ ସେବକ ରଥ ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି । ୨୫ଜଣ ସେବକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୮ଜଣ ଆରୋଗ୍ୟ ହୋଇ ସାରିଲେଣି । ୭ଜଣ ନୀଳାଚଳ ଭକ୍ତ ନିବାସରେ ଚିକିତ୍ସାଧୀନ ଅଛନ୍ତି । ଗତ ୨ଦିନ ମଧ୍ୟରେ ରଥଖଳାରେ କେହି କୋଭିଡ଼ରେ ଆକ୍ରାନ୍ତ ହୋଇନାହାନ୍ତି । ଯେଉଁ ନୂଆ ସେବକମାନେ ରଥଖଳାରେ ନିୟୋଜିତ ହେଉଛନ୍ତି କାମ କରିପା ପୂର୍ବରୁ ସେମାନଙ୍କର କୋଭିଡ଼ ପରୀକ୍ଷା କରାଯାଉଛି ଓ ନେଗେଟିଭ ରିପୋର୍ଟ ଆସିଲେ ସେମାନଙ୍କୁ କାମ କରିବା ପାଇଁ ଅନୁମତି ଦିଆଯାଉଛି । ରଥ ସେବକମାନଙ୍କୁ ଅଲଗା ଅଲଗା ରଖାଯାଉଛି । ସେମାନଙ୍କ ମଧ୍ୟରେ ସର୍ବନିମ୍ନ ମିଳାମିଶା ପାଇଁ ପ୍ରୟାସ କରାଯାଉଛି । ତେଣୁ ସେମାନଙ୍କର ସଂକ୍ରମଣ ସମ୍ଭାବନା କମୁଛି ବୋଲି ଜିଲ୍ଲାପାଳ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking