ଗୁଜରେ ଚାଲିଛି ସିଂହ ବିରାଳ ରୂପ ଖୋଦେଇ

ପୁରୀ : ଶ୍ରୀନଅର ସମ୍ମୁଖସ୍ଥ ରଥଖଳାରେ ଆଗେଇ ଚାଲିଛି ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥର ନିର୍ମାଣ କାର୍ଯ୍ୟ । ଗୁରୁବାର ଦିନ ମୋଟ ୧୫୦ଜଣ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ସେମାନଙ୍କ ମଧ୍ୟରେ ୩ରଥର ୫୭ଜଣ ମହାରଣା ସେବକ, ୫୭ଜଣ ଭୋଇ ସେବକ, ୪ଜଣ କରତି ସେବକ, ଜଣେ ପାହି ମହାରଣା, ୧୫ଜଣ ଓଝା ବା କମାର ସେବକ, ୨ଜଣ ତୁମ୍ବ ବିନ୍ଧ କାରିଗର, ୧୩ଜଣ ରୂପକାର ସେବକ ଓ ଜଣେ ରଥଖଳା ସହାୟକ ଅନ୍ତର୍ଭୁକ୍ତ । ଇତି ମଧ୍ୟରେ ୩ରଥର ୨ଟି ଲେଖାଏଁ ତୁମ୍ବରେ ଅର ସଂଯୋଗ ପାଇଁ ୧୬ଟି ଲେଖାଏଁ ୩୨ଟି ଅରର ସାଲ କାମ ଶେଷ ହୋଇଛି । ଶୁକ୍ରବାର ଦିନ ୩ରଥର ୨ଟି ଲେଖାଏଁ ତୁମ୍ବରେ ଅର ସଂଯୋଗ ବା ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଜନ୍ତାଗାଡ଼ ଠାରେ ଅନୁକୂଳ କରାଯିବ ।

ଏ ମଧ୍ୟରେ ତାଳଧ୍ୱଜ ରଥର ୨ଟି ତୁମ୍ବରେ ସିଙ୍ଗଡ଼ା ବାଡ଼ିଆ ଅନୁକୂଳ ପାଇଁ ଆବଶ୍ୟକ ୧୬ଯୋଡ଼ା ଅରର ସାଲ କାର୍ଯ୍ୟ ଶେଷ ହୋଇଛି । ଏଥିସହିତ ୫ଟି ତୁମ୍ବର ବିନ୍ଧ କାମ ଶେଷ ହୋଇଥିବା ବେଳେ ୯ଟି ତୁମ୍ବର ବିନ୍ଧ କାର୍ଯ୍ୟ ଅବ୍ୟାହତ ରହିଛି । ୨ଟି ଜନ୍ତାପଟାର ବିନ୍ଧ ଖୋଳା ସମ୍ପୂର୍ଣ୍ଣ ହୋଇଛି । ତାଳଧ୍ୱଜ ରଥର ମୋଟ ୧୬ଟି କୋଣଗୁଜ ମଧ୍ୟରୁ ଅନୁକୂଳ ହୋଇଥିବା ଗୁଜ ଚଉପଟ ହେବା ପରେ ସେଥିରେ ରୂପକାର ସେବକ ସିଂହ ବିରାଳ ରୂପ ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି । ଅବଶିଷ୍ଟ କୋଣଗୁଜ ପ୍ରସ୍ତୁତି ପାଇଁ ଧଉରା କାଠ ଚଉପଟ କରାଯାଉଛି ।

ଦେବଦଳନ ରଥ ପାଇଁ ଅରପଟା ବକଳା ଅନୁକୂଳ ହୋଇ ତୁମ୍ବରେ ଅର ସଂଯୋଗ ପାଇଁ ୧୬ଯୋଡ଼ା ଅରର ସାଲ କାର୍ଯ୍ୟ ଶେଷ ହୋଇଛି । ୧୨ଟି ତୁମ୍ବର ବିନ୍ଧ କାର୍ଯ୍ୟ ଶେଷ ହୋଇ ଆବଶ୍ୟକ ଅର ସାଲ କାର୍ଯ୍ୟ ଚାଲିଛି । ଅନୁକୂଳ ହୋଇଥିବା ୨ଟି ଗୁଜ ଚଉପଟ ପରେ ସେଥିରେ ରୂପକାର ସେବକମାନଙ୍କ ଦ୍ୱାରା ଚାଲିଛି ସିଂହ ବିରାଳ ରୂପ ଖୋଦେଇ କାର୍ଯ୍ୟ । ମୋଟ ୨୧ଟି ଗୁଜ ପାଇଁ ଗୁଜ କାଠଗୁଡ଼ିକୁ ଚଉପଟ କରାଯାଉଛି । ସେଥିରୁ ୪ଟି ତିଖ ଗୁଜ କାମ ଆରମ୍ଭ ହୋଇଛି । ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ୧୬ଟି ତୁମ୍ବ ମଧ୍ୟରୁ ୮ଟିର ବିନ୍ଧ କାର୍ଯ୍ୟ ଶେଷ ହୋଇ ଅବଶିଷ୍ଟ ୮ଟିର ବିନ୍ଧ କାମ ଚାଲିଛି । ଶୁକ୍ରବାର ଦିନ ତୁମ୍ବରେ ଅର ସଂଯୋଗ ବା ସିଙ୍ଗଡ଼ା ବାଡ଼ିଆ ଅନୁକୂଳ ଥିବାରୁ ୨ଟି ତୁମ୍ବ ପାଇଁ ଆବଶ୍ୟକ ୧୬ ଯୋଡ଼ା ଲେଖାଏଁ ୩୨ଟି ଅରର ସାଲ ହୋଇ ପ୍ରସ୍ତୁତ ହୋଇରହିଛି । ପାଶ୍ୱର୍ ଦେବଦେବୀଙ୍କ ପାଇଁ ୨ଟି ଜଳଯନ୍ତ୍ରର ଚଉପଟ କାର୍ଯ୍ୟ ଶେଷ ହୋଇଥିବା ବେଳେ ଅନୁକୂଳ ସରିଥିବା ଗୁଜ କାଠ ଚଉପଟ ପରେ ରୂପକାର ସେବକମାନେ ସେଥିରେ ସିଂହ ବିରାଳ ରୂପ ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି ।

ପ୍ରସ୍ତୁତ ସରିଥିବା ଗୁଜଗୁଡ଼ିକରେ ସିଂହ ବିରାଳ ରୂପେ ଖୋଦେଇ ପାଇଁ ରୂପକାର ସେବକମାନେ ସେଥିରେ ସିଂହ ବିରାଳ ରୂପର ଚିତ୍ର ଅଙ୍କନ କରୁଛନ୍ତି । ଦୋଳବେଦୀ ସଂଲଗ୍ନ ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ୩ରଥ ପାଇଁ ପ୍ରସ୍ତୁତ କରୁଛନ୍ତି ଲୌହ ସରଞ୍ଜାମ। ୪୨ଟି ତୁମ୍ବର ୪୨ଯୋଡ଼ା ପନ୍ଦାରୀ ଓ ଅରକଣ୍ଟା ପ୍ରସ୍ତୁତି ଅବ୍ୟାହତ ରହିଛି । ରଥ ନିର୍ମାଣର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇ ଜିଲ୍ଲାପାଳ ସମର୍ଥ ବର୍ମା ପ୍ରକାଶ କରିଛନ୍ତି ଯେ ବୁଧବାର ଅପରାହ୍ନରୁ ରଥଖଳାରେ ପୁଣି କାମ ଆରମ୍ଭ ହୋଇଛି । ୧୫୦ଜଣ ସେବକ ରଥ ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି । ନିୟୋଜିତ ସେବକଙ୍କ ମଧ୍ୟରୁ କେହି କରୋନାରେ ସଂକ୍ରମିତ ହୋଇନାହାନ୍ତି । ଯେଉଁମାନେ କୋଭିଡ଼ରେ ଆକ୍ରାନ୍ତ ହୋଇଛନ୍ତି ସେମାନଙ୍କୁ ନୀଳାଚଳ ଭକ୍ତ ନିବାସରେ ଚିକିତ୍ସା କରାଯାଉଛି । ଯେଉଁମାନଙ୍କ ଅବସ୍ଥା ଗୁରୁତର ହେଉଛି ତାଙ୍କୁ ଜଗନ୍ନାଥ ମେଡ଼ିକାଲ କଲେଜକୁ ପଠାଯାଉଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here