35.1 C
Bhubaneswar
Tuesday, April 23, 2024
Homeଓଡିଶା୩ ରଥର ତୁମ୍ବ ନିର୍ମାଣ ଜାରି, ରଥକାଠ ଚଉପଟ କାର୍ଯ୍ୟ

୩ ରଥର ତୁମ୍ବ ନିର୍ମାଣ ଜାରି, ରଥକାଠ ଚଉପଟ କାର୍ଯ୍ୟ

ପୁରୀ : ମଙ୍ଗଳବାର ନୃସିଂହ ଚତୁର୍ଦ୍ଦଶୀ ଅବସରରେ ବିଧି ଅନୁଯାୟୀ ମୁଖ୍ୟ ରୂପକାର ସେବକଙ୍କ ଦ୍ୱାରା ଗୁଜ ଅନୁକୂଳ ପୂଜା ପୂର୍ବକ କୋଣଗୁଜ ପାଇଁ ପ୍ରସ୍ତୁତ ଧଉରା କାଠରେ ନୃସିଂହ ଦେବଙ୍କ ପ୍ରତିମା ଖୋଦେଇ କରାଯିବା ପରେ ପ୍ରତିକୂଳ ପାଗ ଯୋଗୁଁ ରଥ ନିର୍ମାଣ କାର୍ଯ୍ୟ ସ୍ଥଗିତ ରହିଥିଲା । ବୁଧବାର ଚନ୍ଦନ ପୂର୍ଣ୍ଣମୀ ଦିନ ରଥ ନିର୍ମାଣ ପାଇଁ ପୁଣି ଚଳଚଞ୍ଚଳ ହୋଇ ଉଠିଥିଲା ଶ୍ରୀନଅର ସମ୍ମୁଖସ୍ଥ ରଥଖଳା । ବୁଧବାର ଦିନ ମୋଟ ୧୪୬ଜଣ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ୩ରଥ ପାଇଁ ୫୫ଜଣ ରଥ ମହାରଣା, ୫୫ଜଣ ଭୋଇ ସେବକ, ୪ଜଣ କରତି ସେବକ, ଜଣେ ପାହି ମହାରଣା, ୧୫ଜଣ ଓଝା ବା କମାର ସେବକ, ୧୩ଜଣ ରୂପକାର ସେବକ, ୨ଜଣ ତୁମ୍ବ ବିନ୍ଧ କାରିଗର ଓ ଜଣେ ରଥଖଳା ସହାୟକ ରଥ ନିର୍ମାଣ କାର୍ଯ୍ୟରେ ଲାଗିଥିଲେ ।

ବୁଧବାର ପୂର୍ବାହ୍ନରେ ପାଗ ଅନୁକୂଳ ହେବାରୁ ରଥ ନିର୍ମାଣ କାର୍ଯ୍ୟ ପୁଣି ଆରମ୍ଭ ହୋଇଥିଲା । ୟଶ୍ ବାତ୍ୟା ପରିପ୍ରେକ୍ଷୀରେ ରଥଖଳା ଛାମୁଣ୍ଡିଆରୁ ଖୋଲା ଯାଇଥିବା ଚାଞ୍ଚ ପୁନର୍ବାର ଭୋଇ ସେବକମାନେ ରଥଚାଳିରେ ବାନ୍ଧିଥିଲେ । ଏଥିଯୋଗୁଁ ବର୍ଷା ଯୋଗୁଁ ଜନ୍ତାଗାଡ଼ରେ ବାଲିମାଟି ପଶିଥିବାରୁ ତାହାକୁ ବାହାର କରାଯାଇ ଜନ୍ତାଗାଡ଼ ୨ପାଶ୍ୱର୍ରେ କାଠଗଡ଼ ପକାଯାଇ ତୁମ୍ବରେ ସିଙ୍ଗଡ଼ା ବାଡ଼େଇବା ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇଥିଲା । ତାଳଧ୍ୱଜ ରଥର ୧୪ଟି ତୁମ୍ବ ମଧ୍ୟରୁ ୨ଟି ତୁମ୍ବର ବିନ୍ଧ କାର୍ଯ୍ୟ ସହ ଠେକ ତୁଲିଆ ଓ ଘେରକଟା ସରି ଆଉ ୫ଟି ତୁମ୍ବର ବିନ୍ଧ କାର୍ଯ୍ୟ ଜାରି ରହିଥିଲା । ବୁଧବାର ଦିନ ଆଉ ୪ଟି ତୁମ୍ବର ବିନ୍ଧ କାର୍ଯ୍ୟ ଆରମ୍ଭ ହୋଇ ୯ଟି ତୁମ୍ବର ବିନ୍ଧ କାର୍ଯ୍ୟ ଜାରି ରହିଛି। ଜନ୍ତାପଟାରେ ବିନ୍ଧ ଖୋଳାହେବା ସହ ଗୁଜ ଅନୁକୂଳ ହୋଇଥିବା ଧଉରା କାଠର ଚଉପଟ କରାଯାଉଛି ।

ଦେବଦଳନ ରଥର ୧୨ଟି ତୁମ୍ବ ମଧ୍ୟରୁ ୮ଟିର ବିନ୍ଧ କାର୍ଯ୍ୟ ଶେଷ ହୋଇଥିଲା । ଏବେ ୪ଟି ତୁମ୍ବର ବିନ୍ଧ କାର୍ଯ୍ୟ ଜାରି ରହିବା ସହ ବିନ୍ଧ ସରିଥିବା ୮ଟି ତୁମ୍ବ ମଧ୍ୟରୁ ୩ଟିର ଠେକ ତୁଲିଆ ଓ ଘେରକଟା କାର୍ଯ୍ୟ ଚାଲୁ ରହିଛି । ଏଥିସହିତ ଅନୁକୂଳ ହୋଇଥିବା ଗୁଜକାଠ ଦ୍ୱୟର ଚଉପଟ କାର୍ଯ୍ୟ ମଧ୍ୟ ଚାଲିଛି । ନନ୍ଦିଘୋଷ ରଥର ୧୬ଟି ତୁମ୍ବ ମଧ୍ୟରୁ ୮ଟିର ବିନ୍ଧ ଖୋଳା ଓ ଠେକ ତୁଲିଆ କାର୍ଯ୍ୟ ଶେଷ ହୋଇଥିଲା । ବୁଧବାର ଦିନ ୮ଟି ତୁମ୍ବର କାର୍ଯ୍ୟ ଚାଲିଥିଲା । ସେଥିମଧ୍ୟରୁ ଗୋଟିଏ ତୁମ୍ବର ବିନ୍ଧ ଓ ଠେକ ତୁଲିଆ କାର୍ଯ୍ୟ ଶେଷ ହୋଇ ଘେରକଟା କାର୍ଯ୍ୟ ଚାଲିଛି । ୨ଟି ତୁମ୍ବରେ ସୁତା ବାଡ଼ିଆ ସରି ବିନ୍ଧ ପାଇଁ ରହିଛି । ଏଥିସହିତ ମଙ୍ଗଳବାର ଦିନ ଅନୁକୂଳ ହୋଇଥିବା ଗୁଜକାଠ ଦ୍ୱୟର ଚଉପଟ କାର୍ଯ୍ୟ ଓ ଜନ୍ତାପଟା ଖୋଦେଇ କାର୍ଯ୍ୟ ଜାରି ରହିଛି । ଦୋଳବେଦୀ ସଂଲଗ୍ନ ଅସ୍ଥାୟୀ କମାରଶାଳାରେ ଓଝା ସେବକମାନେ ତୁମ୍ବରେ ଲଗାଯିବା ପାଇଁ ପନ୍ଦାରୀ ଓ ଅରକଣ୍ଟା ପ୍ରସ୍ତୁତ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking