29.1 C
Bhubaneswar
Thursday, April 25, 2024
Homeଓଡିଶାରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତି : ଆଜି ନୀଳାଚଳ ଅବଢ଼ା

ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତି : ଆଜି ନୀଳାଚଳ ଅବଢ଼ା

ପୁରୀ : ରଥାରୂଢ଼ ହୋଇ ଜ୍ୟେଷ୍ଠ ଭ୍ରାତା ଓ ଭଗ୍ନୀଙ୍କ ସହ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା, ଆଡ଼ପ ମଣ୍ଡପରେ ସପ୍ତାହ ବ୍ୟାପି ଅବସ୍ଥାନ, ସିଂହଦ୍ୱାର ସମ୍ମୁଖରେ ରଥ ଉପରେ ସୁନାବେଶ ଓ ଅଧରପଣା ନୀତି ପରେ ଶୁକ୍ରବାର କର୍କଟ ୮ଦିନ ଆଷାଢ଼ ଶୁକ୍ଳ ଚତୁର୍ଦ୍ଦଶୀରେ ଚତୁର୍ଦ୍ଧାମୂର୍ତ୍ତି ନୀଳାଦ୍ରି ବିଜେ କରିଛନ୍ତି । ଆଜି  ଆଷାଢ଼ ପୂର୍ଣ୍ଣମୀ ଅବସରରେ ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହେବ ଅନ୍ନ ମହାପ୍ରସାଦ ଭୋଗ । ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା । ରଥ ଉପରେ ବିଭିନ୍ନ ନୀତି ସମାପନ ପରେ ଅପରାହ୍ନରେ ଶ୍ରୀଜିଉମାନଙ୍କୁ ଗୋଟି ପହଣ୍ଡିରେ ନିଆଯାଇଥିଲା ଶ୍ରୀମନ୍ଦିରର ରତ୍ନ ସିଂହାସନକୁ । ରଥ, ବାହୁଡ଼ା ଓ ସୁନାବେଶ ଭଳି ବିନା ଭକ୍ତରେ ଅନୁଷ୍ଠିିତ ହୋଇଥିଲା ଶ୍ରୀଜିଉମାନଙ୍କ ନୀଳାଦ୍ରି ବିଜେ ନୀତି । ତିନି ରଥରେ ଶୁକ୍ରବାର ପ୍ରାତଃ ୫ଟା ୪୦ରୁ ସକାଳ ୬ଟା ୧୦ମିନିଟ୍ ମଧ୍ୟରେ ଠାକୁରମାନଙ୍କୁ ମଙ୍ଗଳ ଆଳତି କରାଯାଇଥିଲା । ୬ଟା ୨୦ରୁ ୬ଟା ୫୦ମିନିଟ୍ ମଧ୍ୟରେ ଅବକାଶ ପୂଜା ଓ ୬ଟା ୪୦ରୁ ୭ଟା ୨୫ମିନିଟ୍ ମଧ୍ୟରେ ବେଶ ଶେଷ ହୋଇଥିଲା । ୭ଟା ୩୦ମିନିଟ୍‌ରୁ ୮ଟା ମଧ୍ୟରେ ଗୋପାଳବଲ୍ଲଭ ପୂଜା ଶେଷ ହୋଇ ୮ଟା ୫୫ମିନିଟ୍‌ରେ ସକାଳ ଧୂପ ନୀତି ଆରମ୍ଭ ହୋଇଥିଲା ଏବଂ ୧୦ଟା ୧୦ମିନିଟ୍‌ରେ ସରିଥିଲା ।

ପୂର୍ବାହ୍ନ ୧୦ଟାରୁ ୧୦ଟା ୧୫ମିନିଟ୍ ମଧ୍ୟରେ ତିନି ରଥରେ ମଇଲମ ଓ ମହାସ୍ନାନ, ୧୦ଟା ୫ମିନିଟ୍‌ରୁ ୧୦ଟା ୪୫ମିନିଟ୍ ମଧ୍ୟରେ ସର୍ବାଙ୍ଗ ଓ ବେଶ ପରେ ୧୧ଟାରୁ ୧୧ଟା ୫୦ମିନିଟ୍ ମଧ୍ୟରେ ସମ୍ପନ୍ନ ହୋଇଥିଲା ମଧ୍ୟାହ୍ନ ଧୂପ । ୧୧ଟା ୪୦ରୁ ୧୨ଟା ୫ମିନିଟ୍ ମଧ୍ୟରେ ସନ୍ଧ୍ୟା ଆଳତି ଓ ଦିନ ୧ଟାରେ ସନ୍ଧ୍ୟା ଧୂପ ସମ୍ପନ୍ନ ହୋଇଥିଲା । ୧ଟା ୫ମିନିଟ୍‌ରେ ତିନି ରଥ ସମ୍ମୁଖରେ ଚାରବନ୍ଧା ଆରମ୍ଭ ହୋଇ ୩ଟା ୫୦ମିନିଟରେ ଶେଷ ହୋଇଥିଲା । ଅପରାହ୍ନ ୪ଟାରେ ସିଂହାସନ ମାଜଣା ଓ ପୁଷ୍ପାଞ୍ଜଳି ପରେ ୪ଟା ୫ମିନିଟ୍‌ରେ ଆରମ୍ଭ ହୋଇଥିଲା ପହଣ୍ଡି ବିଜେ । ଗୋଟି ପହଣ୍ଡିରେ ପ୍ରଥମେ ୪ଟା ୫ମିନିଟ୍‌ରୁ ୪ଟା ୨୫ମିନିଟ୍ ମଧ୍ୟରେ ମଦନମୋହନ ମନ୍ଦିରକୁ ବିଜେ କରିଥିଲେ । ୪ଟା ୩୦ମିନିଟ୍‌ରେ ଶ୍ରୀସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ୪ଟା ୫୭ମିନିଟ୍‌ରେ ଆରମ୍ଭ ହୋଇଥିଲା ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି । ଘଣ୍ଟଘଣ୍ଟାର ନିନାଦ ଓ ସେବାୟତମାନଙ୍କ ଜୟ ଧ୍ୱନି ମଧ୍ୟରେ ଟାହିଆ ପରିହିତ ପ୍ରଭୁ ବଳଭଦ୍ରଙ୍କୁ ତାଳଧ୍ୱଜ ରଥରୁ ପହଣ୍ଡି କରି ମନ୍ଦିରକୁ ନିଆଯାଇଥିଲା । ସନ୍ଧ୍ୟା ୬ଟା ୪୪ମିନିଟ୍‌ରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ ହୋଇଥିଲା ।

ଦେବଦଳନ ରଥରୁ ଅବତରଣ କରି ଦେବୀ ଶ୍ରୀମନ୍ଦିରର ରତ୍ନ ସିଂହାସନକୁ ବିଜେ କରିଥିଲେ । ଏହାପରେ ସନ୍ଧ୍ୟା ୭ଟା ୫୮ମିନିଟ୍‌ରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଚିତ୍ତାକର୍ଷକ ପହଣ୍ଡି ବିଜେର ଶୁଭାରମ୍ଭ ହୋଇଥିଲା । ମହାପ୍ରଭୁ ଟାହିଆ ଲାଗି ହୋଇ ନନ୍ଦିଘୋଷ ରଥର ସିଂହାସନରୁ ଅବତରଣ କରି ଚାରମାଳକୁ ଆସିବା ପରେ ମହାଲକ୍ଷ୍ମୀ ଶ୍ରୀମନ୍ଦିର ଚାହାଣୀ ମଣ୍ଡପକୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରି ଫେରି ଯାଇଥିଲେ । ରାତି ୮ଟା ୧୦ମିନିଟ୍‌ରେ ଏହି ଲକ୍ଷ୍ମୀନାରାୟଣ ଭେଟ ଅନୁଷ୍ଠିତ ହୋଇଥିଲା । ଏହାପରେ ଅଭିମାନ ରୁଷ୍ଠା ମହାଲକ୍ଷ୍ମୀଙ୍କ ଆଦେଶରେ ସିଂହଦ୍ୱାରକୁ ବନ୍ଦ କରିଦିଆଯାଇଥିଲା । ମହାପ୍ରଭୁ ପହଣ୍ଡି ହୋଇ ସିଂହଦ୍ୱାରକୁ ଆସିବା ପରେ ଦ୍ୱାର ଫିଟିଥିଲା ଓ ବାଇଶିପାହାଚ ଦେଇ ଶ୍ରୀଜଗନ୍ନାଥ ଜୟବିଜୟ ଦ୍ୱାର ସମ୍ମୁଖକୁ ଯାଇଥିଲେ । ରୁକ୍ମିଣୀ ବିବାହ ପରେ ଜ୍ୟେଷ୍ଠ ଭ୍ରାତା ବଳଭଦ୍ର ଓ ଭଗ୍ନୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ପତ୍ନୀଙ୍କୁ ଛାଡ଼ି ଦେଇ ଚାଲିଯାଇଥିବାରୁ ମହାଲକ୍ଷ୍ମୀ ଅଭିମାନ ଜର୍ଜରିତା ହୋଇ ପଡ଼ିଥିଲେ ।

ପରମ୍ପରା ଅନୁଯାୟୀ ଜୟବିଜୟ ଦ୍ୱାରରେ ବଚନିକା ହୋଇଥିଲା । ପତିତଜନଙ୍କ ଉଦ୍ଧାର ପାଇଁ ବର୍ଷକରେ ଥରେ ଆଷାଢ଼ ମାସରେ ଜନ୍ମବେଦୀ ଗୁଣ୍ଡିଚାମନ୍ଦିରକୁ ପତିତପାବନ ବା ଘୋଷଯାତ୍ରାରେ ସେ ବିଜେ କରିବେ ବୋଲି ମହାପ୍ରଭୁ କଠୋର ନିଷ୍ପତ୍ତି ଘୋଷଣା କରିବା ପରେ ମହାଲକ୍ଷ୍ମୀଙ୍କର ମାନଭଞ୍ଜନ ହୋଇଥିଲା ଓ ଦେବୀ କବାଟ ଖୋଲିଥିଲେ । ଦାମ୍ପତ୍ୟ କଳହର ପରିସମାପ୍ତ ଓ ଏହି ପୁନିର୍ମିଳନର ମୁହୂର୍ତ୍ତକୁ ମଧୁର କରିବା ପାଇଁ ପରସ୍ପର ମୁଖରେ ମିଠା ଦିଆନିଆ ପରେ ମହାପ୍ରଭୁ ରତ୍ନ ସିଂହାସନକୁ ବିଜେ କରିଥିଲେ । ରତ୍ନ ସିଂହାସନରେ ରୁନ୍ଧା ଶେଷ ହେବା ପରେ ଅନ୍ୟ ପାରମ୍ପରିକ ନୀତି ସମ୍ପନ୍ନ ହୋଇଥିଲା । ତେବେ କୋଭିଡ଼ ସଂକ୍ରମଣ ଜନିତ କଟକଣା ଯୋଗୁଁ ଭକ୍ତମାନେ ନୀଳାଦ୍ରି ବିଜେ ପହଣ୍ଡି ନିକଟରୁ ଦେଖିବାର ସୁଯୋଗରୁ ବଞ୍ଚିତ ହୋଇଥିଲେ । ନୀଳାଦ୍ରି ବିଜେ ଉପଲକ୍ଷେ ଶ୍ରୀମନ୍ଦିରକୁ ରଥଯାତ୍ରା ଭଳି ପୁଷ୍ପସଜ୍ଜିତ କରାଯାଇଥିଲା । ରଥ ଚତୁଃପାଶ୍ୱର୍ରେ କରାଯାଇଥିଲା କଡ଼ା ନିରାପତ୍ତା ବ୍ୟବସ୍ଥା । ସିଂହଦ୍ୱାର ନିକଟକୁ କାହାରିକୁ ଛଡ଼ାଯାଇନଥିଲା । ନୀଳାଦ୍ରି ବିଜେ ପରେ ମହାପ୍ରଭୁଙ୍କ ପ୍ରସିଦ୍ଧ ଘୋଷଯାତ୍ରାର ପରିସମାପ୍ତି ଘଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking