29.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶପଞ୍ଜାବ ସ୍ୱାସ୍ଥ୍ୟମନ୍ତ୍ରୀ ବିଜୟ ସିଙ୍ଗ୍‌ଲା ଗିରଫ : ଦୁର୍ନୀତି ଅଭିଯୋଗରେ ପ୍ରଥମେ ମନ୍ତ୍ରିପଦରୁ ବରଖାସ୍ତ

ପଞ୍ଜାବ ସ୍ୱାସ୍ଥ୍ୟମନ୍ତ୍ରୀ ବିଜୟ ସିଙ୍ଗ୍‌ଲା ଗିରଫ : ଦୁର୍ନୀତି ଅଭିଯୋଗରେ ପ୍ରଥମେ ମନ୍ତ୍ରିପଦରୁ ବରଖାସ୍ତ

ଚଣ୍ଡିଗଡ: ଦୁର୍ନୀତି ଅଭିଯୋଗରେ ମନ୍ତ୍ରିପଦରୁ ବରଖାସ୍ତ ହେବାର କିଛି ସମୟ ବ୍ୟବଧାନରେ ପଞ୍ଜାବ ପୁଲିସ ସ୍ୱାସ୍ଥ୍ୟମନ୍ତ୍ରୀ ବିଜୟ ସିଙ୍ଗ୍‌ଲାଙ୍କୁ ମଙ୍ଗଳବାର ଗିରଫ କରିଛି । ଟେଣ୍ଡର ପାସ୍ କରାଇବାକୁ ସିଙ୍ଗ୍‌ଲା କୁଆଡେ ୧ ପ୍ରତିଶତ କମିଶନ ଦାବି କରୁଥିଲେ ବୋଲି ଅଭିଯୋଗ ହୋଇଛି । ସୋସିଆଲ ମିଡିଆରେ ଏହା ଭାଇରାଲ ହେବାପରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ୍ ଅବିଳମ୍ବେ ସିଙ୍ଗ୍‌ଲାଙ୍କୁ ମନ୍ତ୍ରିପଦରୁ ବହିଷ୍କାର କରିଥିଲେ । ଏଥିସହିତ ସିଙ୍ଗ୍‌ଲାଙ୍କ ବିରୋଧରେ ଏତଲା ଦାଏର କରିବା ସହ ତାଙ୍କୁ ଗିରଫ କରିବାକୁ ମାନ୍ ପୁଲିସକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ଚଳତିବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ପଞ୍ଜାବରେ ସଂଖ୍ୟାଗରିଷ୍ଠତା ହାସଲ କରି ପ୍ରଥମ ଥର ମାନ୍‌ଙ୍କ ନେତୃତ୍ୱରେ ସରକାର ଗଠନ କରିଛି ।

ଦୁର୍ନୀତିମୁକ୍ତ ସରକାର ଗଠନର ପ୍ରତିଶ୍ରୁତି ଦେଇଥିବାରୁ ତାଙ୍କ ସରକାର କୌଣସି ପରିସ୍ଥିତିରେ ଏଭଳି ଲାଞ୍ଚଖୋର ମନ୍ତ୍ରୀଙ୍କୁ ବରଦାସ୍ତ କରିବ ନାହିଁ ବୋଲି ମାନ୍ ସ୍ପଷ୍ଟ କରିଛନ୍ତି । ଆପ୍ ଏକ ସାଧୁ ଦଳ ଏବଂ ଦୁର୍ନୀତି ପ୍ରସଙ୍ଗରେ ସେମାନେ ଶୂନ୍ୟ ସହନଶୀଳତାକୁ ସବୁବେଳେ ପ୍ରାଧାନ୍ୟ ଦେଇଆସୁଛନ୍ତି । ତେଣୁ ଦଳର ଭାବମୂର୍ତ୍ତିକୁ ସ୍ୱଚ୍ଛ ରଖିବା ପାଇଁ ଏଭଳି ପଦକ୍ଷେପ ଜରୁରୀ ଥିଲା ବୋଲି ମାନ୍ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଏଭଳି ଦୁର୍ନୀତି ସମ୍ପର୍କରେ ଗଣମାଧ୍ୟମ କିମ୍ବା ବିରୋଧୀ ଦଳ କୌଣସି ଆପତ୍ତି ଅଭିଯୋଗ ଆଣିନଥିଲେ ସୁଦ୍ଧା ଆପ୍ ସରକାରଙ୍କ ପ୍ରତିଶ୍ରୁତିବଦ୍ଧତାରେ କଳାଦାଗ ଲଗାଇବାକୁ ପସନ୍ଦ କରୁନାହାନ୍ତି ବୋଲି ମାନ୍ କହିଛନ୍ତି । ଅପରପକ୍ଷରେ ମାନ୍‌ଙ୍କ ଏଭଳି ପଦକ୍ଷେପକୁ ଆପ୍ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଭୂୟସୀ ପ୍ରଶଂସା କରିବା ସହ ‘ଦଳ ଆପଣଙ୍କ ପାଇଁ ଗର୍ବିତ’ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking