ପୁଲୱାମା ଆକ୍ରମଣକୁ ଆଜି ପୂରିଛି ବର୍ଷେ

ଶ୍ରୀନଗର: ଆଜି ପୁଲଓ୍ଵାମା ଆକ୍ରମଣକୁ ବର୍ଷେ ପୂରିଲା । ୨୦୧୯ ମସିହା ଫେବ୍ରୁଆରି ୧୪ ତାରିଖ ଦିନ ଜମ୍ମୁ ଓ କଶ୍ମୀରର ପୁଲଓ୍ଵାମା ଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ଜଣ ଯବାନ ସହିଦ ହୋଇଥିଲେ । ସହିଦ ‘ସିଆରପିଏଫ୍’ ଯବାନଙ୍କ ପ୍ରତି ଦେଶ ଆଜି ଶ୍ରଦ୍ଧାଞ୍ଜଳି ଜଣାଉଛି । ଆଜି ଶହୀଦ ଯବାନଙ୍କ ସ୍ମୃତିରେ ଲେଥପୁରା କ୍ୟାମ୍ପରେ ସ୍ମାରକୀ ଉଦଘାଟନୀ ହେବ । ସିଆରପିଏଫର ଅତିରିକ୍ତ ମହାନିର୍ଦ୍ଦେଶକ ଜୁଲ୍ଫିକାର ହସନ ଗୁରୁବାର ସ୍ମାରକ ସ୍ଥଳ ପରିଦର୍ଶନ କରିବା ପରେ ଏହି ସୂଚନା ଦେଇଥିଲେ । ଉଦଘାଟିତ ହେବାକୁ ଥିବା ସ୍ମାରକୀରେ ଶହୀଦ ଯବାନଙ୍କ ନାମ ସହିତ ଫଟୋ ରହିଛି । ଏହାସହିତ ସିଆରପିଏଫର ସ୍ଲୋଗାନ ‘ସେବା ଏବଂ ନିଷ୍ଠା’ ଲେଖା ରହିଛି ।

ଆଜି ବି ସେଦିନର କଥା ମନେ ପକାଇଲେ ଲୋମ ଟାଙ୍କୁରି ଉଠୁଛି । ସେହି ଦିନର ଛାତି ଥରା ଶବ୍ଦ ଓ ଦୃଶ୍ୟର ଅନୁଭବ କରିଥିବା ସ୍ଥାନୀୟ ଲୋକେ କେବେ ବି ତାହା ଭୁଲି ପାରିବେ ନାହିଁ । ୧୪ ଫେବ୍ରୁଆରୀ ୨୦୧୯ରେ ଜମ୍ମୁ-କାଶ୍ମୀରର ପୁଲଓ୍ୱାମାରେ ଘଟିଥିବା ଏହି ହୃଦୟ ବିଦାରକ ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା । ଭାରତ ସମେତ ଏହାର ସମସ୍ତ ବନ୍ଧୁ ରାଷ୍ଟ୍ର ପୁଲଓ୍ୱାମା ଘଟଣାକୁ ନିନ୍ଦା କରିଥିଲେ ।

ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଦ୍ୱାରା ଯବାନଙ୍କ ଗାଡ଼ି ଉପରକୁ ଆକ୍ରମଣ କରାଯାଇଥିଲା । ଯବାନଙ୍କ ଗାଡ଼ିକୁ ଆତଙ୍କବାଦୀମାନେ ଯୋଜନା ବଦ୍ଧ ଭାବେ ଆଇଡି ଦ୍ୱାରା ବିସ୍ଫୋରଣ କରିଥିଲେ । ଏଥିରେ ଭାରତ ତାର ୪୦ ଜଣ ବୀର ପୁତ୍ରକୁ ହାରାଇଛି । ବିସ୍ଫୋରଣ ପରେ ପୁରା ରାସ୍ତା ରକ୍ତରେ ଭିଜି ଯାଇଥିଲା । ଯବାନଙ୍କ ଖଣ୍ଡ ବିଖଣ୍ଡିତ ଶରୀର ଏଣେତେଣେ ପଡ଼ିଥିଲା । ପୁରା ଦେଶ ଏହାକୁ ଦେଖି ସ୍ତବ୍ଧ ହୋଇଯାଇଥିଲା । ଚାରିଆଡ଼େ ଖେଳିଯାଇଥିଲା ନୀରବତା । ଏହି ବିସ୍ଫୋରଣରେ ଦୁଇ ଜଣ ବୀର ଓଡ଼ିଆ ମାଟିର ପୁଅ ମଧ୍ୟ ପ୍ରାଣ ହରାଇଥିଲେ । ସେମାନଙ୍କୁ ଆଜି ବି ଓଡ଼ିଶା ମନେ ପକାଉଛି ।

ପୁଲଓ୍ୱାମା ଘଟଣାର ଠିକ୍ ୧୨ ଦିନ ପରେ ଭାରତ ନେଇଥିଲା ପ୍ରତିଶୋଧ । ଆତଙ୍କବାଦୀଙ୍କ ରକ୍ତରେ ସହିଦଙ୍କ ଦ୍ୱାଦଶାହ ପାଳିଥିଲା ଭାରତ । ବିଳମ୍ବିତ ରାତି ପ୍ରାୟ ୩.୩୦ରେ ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନର ଆତଙ୍କବାଦୀ ଆଡ୍ଡା ଉପରେ ଜୋରଦାର ଆକ୍ରମଣ କରାଯାଇଥିଲା । ଆଉ ଏଥିରେ ୨୦୦ ରୁ ୩୦୦ ଜଣ ଆତଙ୍କବାଦୀଙ୍କ ନିପାତ ହୋଇଥିବା ବେଳେ ଅନେକ ଆତଙ୍କୀ ସଂଗଠନର ଆଡ୍ଡାସ୍ଥଳୀ ଧ୍ୱଂସ ହୋଇଥିବା ସୂଚନ ମିଳିଥିଲା । ଏମିତିକି ପିଓକେରେ ଥିବା କିଛି ଆତଙ୍କବାଦୀ ଠିକଣା ମଧ୍ୟ ଧ୍ୱଂଶ କରିଥିଲା ଭାରତ ।