ଜାତୀୟ ଶିକ୍ଷାନୀତି ୨୦୨୦ ପ୍ରତ୍ୟାହାର ଏବଂ ୧୪ ହଜାରରୁ ଊର୍ଦ୍ଧ୍ୱ ସରକାରୀ ସ୍କୁଲ ତଥା ବି.ଇଡ଼ି କଲେଜ ବନ୍ଦ ନିଷ୍ପତ୍ତି ବାତିଲ ଦାବିରେ ଏଆଇଡିଏସ୍‍ଓର ବିକ୍ଷୋଭ

ଭୁବନେଶ୍ୱର, ତା ୨୦.୧୧.୨୦୨୦ ଶିକ୍ଷାର ଘରୋଇକରଣ, ବ୍ୟବସାୟୀକରଣ, ସାମ୍ପ୍ରଦାୟୀକରଣ ତଥା କେନ୍ଦ୍ରୀକରଣ ପାଇଁ ଉଦ୍ଦିଷ୍ଟ ଜାତୀୟ ଶିକ୍ଷାନୀତି ୨୦୨୦କୁ ପ୍ରତ୍ୟାହାର କରିବା ପାଇଁ ଏଇଆଇଡିଏସ୍‍ଓ ତରଫରୁ ଓଡ଼ିଶା ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦିଆଯାଇଛି । ସମସ୍ତ ଗଣତାବିକ ନୀତିକୁ ପଦଦଳିତ କରି ଏକତରଫାଭାବେ କେନ୍ଦ୍ର ସରକାର କୋଭିଡ୍‍ ୧୯ ପରିସ୍ଥିତିର ସୁଯୋଗ ନେଇ ଯେଭଳି ଭାବରେ ଜାତୀୟ ଶିକ୍ଷାନୀତି ୨୦୨୦କୁ ଲଦିଦେବାକୁ ଯାଉଛନ୍ତି ତାହା ସଙ୍ଗଠନ ତରଫରୁ ଦୃଢ଼ ବିରୋଧ କରାଯାଇଛି । ଏହି ଶିକ୍ଷାନୀତି ଦେଶର ଶିକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେବ ଏବଂ ଆଧୁନିକ ଶିକ୍ଷାର କବର ରଚନା କରି ଛାତ୍ରଛାତ୍ରୀମାନଙ୍କ ଭିତରେ ମଧ୍ୟଯୁଗୀୟ ଅନ୍ଧତା, କୂପମଣ୍ଡୁକତା ଓ କୁସଂସ୍କାର ଭରିଦେବ । ଉଭୟ ଦେଶ ବିଦେଶର ପୁଞ୍ଜିପତିମାନଙ୍କୁ ଏହା ସହାୟକ ହେବ ଏବଂ ଭାରତର ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱ ବଜାରରେ ଏକ ପଣ୍ୟରେ ପରିଣତ କରିବ । ସ୍କୁଲ ଶିକ୍ଷା, ଉଚ୍ଚ ଶିକ୍ଷା, ବୈଷୟିକ ଶିକ୍ଷାକୁ ସମ୍ପୂର୍ଣ୍ଣ ଭାବରେ ବ୍ୟବସାୟରେ ପରିଣତ କରିବାପାଇଁ ଏହି ଶିକ୍ଷାନୀତି ଉଦ୍ଦେଶ୍ୟମୂଳକ ଭାବେ ପ୍ରଣୟନ କରାଯାଇଛି । ଏହି ଶିକ୍ଷାନୀତି ବିରୁଦ୍ଧରେ ସମଗ୍ର ଦେଶରେ ଏଆଇଡିଏସ୍‍ଓ ତରଫରୁ ଏକ କୋଟି ଦସ୍ତଖତ ଏବଂ ଓଡ଼ିଶାରେ ୫ ଲକ୍ଷରୁ ଅଧିକ ଦସ୍ତଖତ ସଂଗ୍ରହ କରାଯାଇଛି । ସଂଗୃହୀତ ସମସ୍ତ ଦସ୍ତଖତ ଆସନ୍ତା ନଭେମ୍ବର ୨୩ରେ ଭାରତର ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯିବ ଏବଂ ତା’ ପୂର୍ବରୁ ସମସ୍ତ ରାଜ୍ୟରେ ନଭେମ୍ବର ୧୫ରୁ ୨୨ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ଏହାର ଧାରାବାହିକତାରେ ଓଡ଼ିଶା ରାଜ୍ୟପାଳ ଅଫିସ୍‍ ସ୧ୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସେହିଭଳି ନିକଟରେ ରାଜ୍ୟ ସରକାର ୧୪ ହଜାରରୁ ଊର୍ଦ୍ଧ୍ୱ ସରକାରୀ ସ୍କୁଲ ଏବଂ ୧୪ଟି ବି.ଇଡ଼ି କଲେଜ ବନ୍ଦ କରିବାପାଇଁ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ ପ୍ରତ୍ୟାହାର କରିବାପାଇଁ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରାଯାଇଛି । ସୂଚନାଯୋଗ୍ୟ ଯେ ରାଜ୍ୟର ଜନସଂଖ୍ୟା ଅନୁସାରେ ସରକାରୀ ସ୍କୁଲ ବହୁତ କମ । ଏପରିକି ପାଠ ପଢ଼ିବାପାଇଁ ପିଲାମାନଙ୍କୁ ୫ କିଲୋମିଟରରୁ ଅଧିକ ରାସ୍ତା ଚାଲିବାକୁ ପଡ଼େ । ଯେତେବେଳେ ଅଧିକ ସ୍କୁଲ ଖୋଲିବା ପାଇଁ ଜନଗଣ ଦାବି କରୁଛନ୍ତି, ସେତେବେଳେ ସରକାର ସ୍କୁଲ ବନ୍ଦ କରିବା ଏକ ଭୟଙ୍କର ଶିକ୍ଷାମାରଣ ନୀତିର ସୂଚନା ଦିଏ । ଗୋଟିଏ ପକ୍ଷରେ ଘରୋଇ ସ୍କୁଲ ଖୋଲିବାକୁ ଅନୁମତି ଦିଆଯାଉଛି ଏବଂ ଅନ୍ୟପଟରେ ସରକାରୀ ସ୍କୁଲ ବନ୍ଦ ପାଇଁ ନିଷ୍ପତ୍ତି ହେଉଛି, ଯାହାଫଳରେ ଅଭିଭାବକ ଓ ଛାତ୍ରଛାତ୍ରୀ ଆର୍ଥିକ ଶୋଷଣର ଶିକାର ହେଉଛନ୍ତି । ବର୍ତ୍ତମାନର ସ୍କୁଲ ବନ୍ଦ ନିଷ୍ପତ୍ତି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପାଇବାରୁ ନି୧⁄୨ିତଭାବେ ବଞ୍ଚିତ କରିବ । ତେଣୁ ଏହି ନିଷ୍ପତ୍ତି ପ୍ରତ୍ୟାହାର ହେବା ଉଚିତ । ରାଜ୍ୟର ହଜାର ହଜାର ଛାତ୍ରଛାତ୍ରୀ ବି.ଇଡ଼ି ଟ୍ରେନିଂ ପାଇଁ ବିଭିନ୍ନ ବ୍ୟବସାୟିକ ବିଶ୍ୱବିଦ୍ୟାଳୟରେ ଦ୍ୱାରସ୍ଥ ହେଉଥିଲାବେଳେ ରାଜ୍ୟରେ ସରକାରୀ ବି.ଇଡ଼ି କଲେଜରେ ଆଡମିଶନ୍‍ ବନ୍ଦ କରିବା ଅତ୍ୟନ୍ତ ଦୁଃଖଦାୟକ ଘଟଣା । ସରକାରୀ ଅପରାଗତା, ଦାୟିତ୍ୱହୀନତା ତଥା ଘରୋଇକରଣ ପାଇଁ ଆଜି ବି.ଇଡ଼ି କଲେଜଗୁଡ଼ିକ ବନ୍ଦ ହୋଇସାରିଛି । କରୋନା ପରିସ୍ଥିତିର ସୁଯୋଗ ନେଇ ସରକାର ଏହି ନୀତିଗୁଡ଼ିକୁ କାର୍ଯ୍ୟକାରୀ କରିଚାଲିଛନ୍ତି । ତେଣୁ ଭବିଷ୍ୟତର ଶିକ୍ଷାକୁ ଦୃଷ୍ଟିରେ ରଖି ତୁରନ୍ତ ଏଗୁଡ଼ିକୁ ଚାଲୁ କରିବାକୁ ଏଆଇଡିଏସ୍‍ଓ ପକ୍ଷରୁ ଦାବି କରାଯାଇଛି । ରାଜ୍ୟପାଳଙ୍କ ଅଫିସ୍‍ ସ୧ୁଖରେ ଅନୁଷ୍ଠିତ ଏହି ଛାତ୍ରବିକ୍ଷୋଭରେ ଏଆଇଡିଏସ୍‍ଓ ରାଜ୍ୟ ସଭାପତି ଗଣେଶ ତ୍ରିପାଠୀ, ସମ୍ପାଦକ ସୁବାଷ ନାୟକ, ଉପସଭାପତି ସିଦ୍ଧାର୍ଥ ରଥ, ଜୟନ୍ତ ମହାନ୍ତି, ଭାଗ୍ୟରବି ଦାସ, ବିନୋଦ ସେଠୀ, ସ୍ୱସ୍ତିସଙ୍ଗୀତା ଦଳାଇ, ତରୁଣ ନାୟକ ପ୍ରମୁଖ ନେତୃତ୍ୱ ଦେଇଥିଲେ । ସରକାର ଯଦି ନିଜ ଶିକ୍ଷାମାରଣ ନୀତିରୁ କ୍ଷାନ୍ତ ନ ହୁଅନ୍ତି ତେବେ ରାଜ୍ୟବ୍ୟାପୀ ଛାତ୍ରଆନ୍ଦୋଳନ ହେବ ବୋଲି ଏଆଇଡିଏସ୍‍ଓ ତରଫରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here