27.1 C
Bhubaneswar
Friday, March 29, 2024
Homeଓଡିଶାକୃଷି ଆଇନ ବିରୋଧରେ ୨୫ ସେପ୍ଟେମ୍ବର ସର୍ବଭାରତୀୟ ବନ୍ଦ

କୃଷି ଆଇନ ବିରୋଧରେ ୨୫ ସେପ୍ଟେମ୍ବର ସର୍ବଭାରତୀୟ ବନ୍ଦ

ଭୁବନେଶ୍ୱର : ସଂସଦର ସମସ୍ତ ବିଧି ବ୍ୟବସ୍ଥା ଏବଂ ସାଂସଦମାନଙ୍କର ଭୋଟଦାନ କୁ ଅସ୍ୱୀକାର କରି ଧ୍ୱନି ମତରେ ଅତ୍ୟନ୍ତ ତରବରିଆ ଭାବେ
କୃଷକମାନଙ୍କର ସର୍ବନାଶ କରିବା ପାଇଁ ଯେଉଁ କୃଷି ବଧେୟକ ଗୃହିତ ହୋଇଛି , ତାହା ସମ୍ବିଧାନର ନଗ୍ନ ଉଲଂଘନ ବୋଲି ଅଲ୍ ଇଣ୍ଡିଆ
କିଷାନ୍ ସଂଘର୍ଷ କୋ-ଅର୍ଡିନେସନ୍ କମିଟି ଓଡିଶା ରାଜ୍ୟ ଆବାହକମଣ୍ଡଳୀ ତରଫରୁ କୁହାଯାଇଛି । ଏହି ବିଲ୍ ଖୁବ୍ ଶିଘ୍ର ଆଇନରେ ପରିଣତ
ହୋଇ କୃଷକମାନଙ୍କ ବିରୋଧରେ ପ୍ରୟୋଗ କରାଯିବ ବୋଲି କୃଷକ ସଂଗଠନମାନେ ମତ ପ୍ରକାଶ କରିଛନ୍ତି । କର୍ପୋରେଟ୍ ମାନଙ୍କ ସ୍ୱାର୍ଥରେ
ଆମ ଦେଶର “କୃଷକମାନଙ୍କ ଉପରେ ନିର୍ଭରଶୀଳ କୃଷି ବ୍ୟବସ୍ଥା”କୁ ଧ୍ୱଂସ କରି କୃଷିର କମ୍ପାନୀକରଣ କରିବା ପାଇଁ ମୋଦୀ ନେତୃତ୍ୱାଧୀନ
ବିଜେପି ସରକାରର ଏହା ଷଡଯନ୍ତ୍ର ବୋଲି କୁହାଯାଇଛି । ଆତ୍ମ ନିର୍ଭରର ସ୍ଳୋଗାନ୍ ଦେଇ କର୍ପୋରେଟ୍ ମାନଙ୍କ ପାଖରେ ଆତ୍ମ ସମର୍ପଣ
କରିବାର ଜ୍ୱଳନ୍ତ ନମୁନା ହେଉଛି ଆଜି ସଂସଦରେ ଗୃହିତ ହୋଇଥିବା “କୃଷି ବିଧେୟକ” ବୋଲି କୃଷକ ସଂଗଠନମାନଙ୍କର ନେତୃବୃନ୍ଦ
କହିଛନ୍ତି ।
ଆଜି ରାଜ୍ୟର ପ୍ରମୁଖ କୃଷକ ସଂଗଠନମାନଙ୍କର ଏକ ଭର୍ଚୁଆଲ୍ ସଭା ଅନୁଷ୍ଠିତ ହୋଇ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ
ପ୍ରସ୍ତାବ ଗୃହିତ ହୋଇଛି । ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଓଡିଶା ଶାଖା ତରଫରୁ କୁହାଯାଇଛି ଯେ, ଅତ୍ୟାବଶ୍ୟକୀୟ
ସାମଗ୍ରୀ ଆଇନ୍‌-୧୯୫୫କୁ ସଂଶୋଧନ କରିବା, କଣ୍ଟ୍ରାକ୍ଟ ଫାର୍ମିଂ ଏବଂ ଇ-ମାର୍କେଟିଂ ନାମରେ କୃଷି ଉତ୍ପାଦନ ବିପଣନ କମିଟି ଗୁଡିକୁ ଭାଙ୍ଗିବା
ଇତ୍ୟାଦି ପାଇଁ ଯେଉଁ ବିଧେୟକ ଗୃହୀତ କରାଯାଇଛି ତାହା ଭାରତ ବର୍ଷର କୃଷକମାନଙ୍କ ପାଇଁ ମୃତ୍ୟୁ ଘଣ୍ଟି ସାଜିବ । ଏହା ବିରୋଧରେ
ପଞ୍ଜାବ ଓ ହରିୟାନାରେ ବିଶାଳ କୃଷକ ଆନ୍ଦୋଳନ ଦେଖାଦେଇଛି । ଏହି ବିଧେୟକକୁ ବିରୋଧ କରି ଏନ୍‌.ଡି.ଏ. ର ଅଂଶୀଦାର ଦଳ,
ଅକାଳୀ ଦଳର ପ୍ରତିନିଧି ମନ୍ତ୍ରୀ ପରିଷଦରୁ ଇସ୍ତଫା ଦେଇଛନ୍ତି । ଆଜି ରାଜ୍ୟ ସଭାରେ ଏହି ବିଧେୟକ ଆଲୋଚନା ଚାଲିଥିବା ବେଳେ
ଏନ୍‌.ଡି.ଏ. ର ଅଂଶୀଦାର ଥିବା କିଛି ଆଞ୍ଚଳିକ ଦଳ ମଧ୍ୟ ଏହି କୃଷକ ବିରୋଧୀ ବିଲ୍ କୁ ଦୃଢ ଭାବେ ବିରୋଧ କରିଥିଲେ । ମାତ୍ର କେନ୍ଦ୍ର
ସରକାର ସେହି ସବୁ ବିରୋଧକୁ ବେଖାତିର କରି କୃଷକ ସର୍ବନାଶକାରୀ ବିଲ୍ ଗୃହୀତ କରାଇବା ସଂସଦ ଏବଂ କୃଷକମାନଙ୍କ ପାଇଁ କଳା
ଅଧ୍ୟାୟ ଦିବସ ବୋଲି କୃଷକ ସଂଗଠନମାନେ ଅବିହିତ କରିଛନ୍ତି । ଆସନ୍ତା ୨୫ ସେପ୍ଟମ୍ବରରେ ସାର ଦେଶରେ ବନ୍ଦ ଆହ୍ୱାନ ସହିତ ପ୍ରତିରୋଧ
ଆନ୍ଦୋଳନ ସଂଗଠିତ କରିବା ପାଇଁ ୨୦୦ରୁ ଉର୍ଦ୍ଧ୍ୱ କୃଷକ ସଂଗଠନମାନେ ଆହ୍ୱାନ ଦେଇଛନ୍ତି । ଏହି ସର୍ବନାଶକାରୀ କୃଷି ଆଇନ୍ ଏବଂ
ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନର ସଂଶୋଧନ ଦ୍ୱାରା ଭାରତର ୮୬ ଭାଗ କୃଷକ ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହେଉଥିବା ବେଳେ ଓଡିଶାର
୯୨ ଭାଗ କୃଷକ ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହୋଇ ଏକ ନିରନ୍ତର ଜିବୀକା ଧ୍ୱଂସ ହୋଇଯିବ । କାରଣ ଆମ ଦେଶର ଅଧିକାଂଶ କୃଷକ
ହେଉଛନ୍ତି କ୍ଷୁଦ୍ର ଚାଷୀ , ନାମମାତ୍ର ଚାଷୀ ଏବଂ ଭାଗଚାଷୀ ଅଟନ୍ତି । ଏହାଦ୍ୱାରା କୋଟି କୋଟି ସାଧାରଣ ଖାଉଟି ମଧ୍ୟ କ୍ଷତିଗ୍ରସ୍ତ ହେବେ ।
ବୃହତ୍ କମ୍ପାନୀମାନେ କୃଷି ଜମି ଅଧିଗ୍ରହଣ, କୃଷି ଉତ୍ପାଦନ ଏବଂ କୃଷି ବ୍ୟବସାୟ ଉପରେ ସଂପୂର୍ଣ୍ଣ ଏକଚାଟିଆ ଅଧିକାରକୁ ଜାହିର କରିବା
ପାଇଁ ଏଭଳି ଆଇନ ଅଣାଯାଇଛି । ୨୫ ସେପ୍ଟେମ୍ବରରେ ଓଡିଶା ବ୍ୟାପି ଗାଁଠୁ ରାଜଧାନୀ ପର୍ଯ୍ୟନ୍ତ କୃଷକମାନଙ୍କର ପିକେଟିଂ, ଧାରଣା ,
ବିକ୍ଷୋଭ, ପଟୁଆର, ସଭା ଏବଂ ରାସ୍ତା ଅବରୋଧ ଇତ୍ୟାଦି ପ୍ରତିବାଦ ଆନ୍ଦୋଳନ ସଂଗଠିତ କରାଯିବା ପାଇଁ ଆଜିକାର ବୈଠକରେ ନିଷ୍ପତ୍ତି
ହୋଇଛି । ରାଜ୍ୟବାସୀ, ରାଜ୍ୟର କୃଷକ ସମୁହ, ଟ୍ରେଡ୍ ୟୁନିୟନ ସମୁହ, ସକଳ ସ୍ତରର ଗଣ ସଂଗଠନ ଏବଂ ଏହି ଆଇନକୁ ବିରୋଧ
କରୁଥିବା ସମସ୍ତ ରାଜନୈତିକ ଦଳମାନେ ୨୫ ସେପ୍ଟେମ୍ବର ପ୍ରତିରୋଧ ଆନ୍ଦୋଳନକୁ ସମର୍ଥନ ଜଣାଇବା ପାଇଁ ଅଲ୍ ଇଣ୍ଡିଆ କିଷାନ୍‌
ସଂଘର୍ଷ କୋ-ଅର୍ଡିନେସନ୍ କମିଟି ଓଡିଶା ଶାଖା ତରଫରୁ ନିବେଦନ କରାଯାଇଛି ।
ଆଜିକାର ଏହି ଭର୍ଚୁଆଲ୍ ସଭାରେ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ୱୟ ସମିତିର ଆବାହକ ଲିଙ୍ଗରାଜ, ଅଲ୍ ଇଣ୍ଡିଆ
କିଷାନ୍ ସଭା ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ଅଖିଳ ଭାରତ କୃଷକ ସଭା ରାଜ୍ୟ ସଭାପତି ଶଶି ଭୂଷଣ ସ୍ୱାଇଁ , ଅଲ୍ ଇଣ୍ଡିଆ କିଷାନ୍‌
ମଜଦୂର ସଭା ଜାତୀୟ ସମ୍ପାଦକ ନେତା ଭାଲଚନ୍ଦ୍ର ଷଡଙ୍ଗୀ, ରାଜ୍ୟ ନେତା ସଂଗ୍ରାମ ନାୟକ, ଅଲ ଇଣ୍ଡିଆ କ୍ରାନ୍ତିକାରୀ କିଷାନ୍ ସଭା ରାଜ୍ୟ
ସମ୍ପାଦକ ଶଙ୍କର ସାହୁ, ଅଲ୍ ଇଣ୍ଡିଆ ଅଗ୍ରଗାମୀ କିଷାନ୍ ସଭାର ରାଜ୍ୟ ସଭାପତି ଗୋପାଲ ଅଗ୍ରୱାଲ , ରାଜ୍ୟ ଉପଦେଷ୍ଟା ଜ୍ୟୋତି ରଞ୍ଜନ
ମହାପାତ୍ର, ଅଲ୍ ଇଣ୍ଡିଆ କ୍ଷେତ ମଜଦୂର କିଷାନ୍ ସଭାର ରାଜ୍ୟ ଆବାହକ ଶ୍ରୀକାନ୍ତ ମହାନ୍ତି, ଏନ୍‌.ଏ.ପି.ଏମ୍‌.ର ରାଜ୍ୟ ଆବାହକ ପ୍ରଫୁଲ୍ଲ
ସାମନ୍ତରା, ଅଲ୍ ଇଣ୍ଡିଆ କିଷାନ୍ ମହାସଭାର ସମ୍ପାଦକ ଅଶୋକ ପ୍ରଧାନ, ଇଣ୍ଡିଆନ୍ ସୋସିଆଲ୍ ଆକ୍ସନ ଫୋରମର ରାଜ୍ୟ ଆବାହକ
ନରେନ୍ଦ୍ର ମହାନ୍ତି, ଅଲ୍ ଇଣ୍ଡିଆ କିଷାନ୍ କ୍ଷେତମଜଦୂର ସଂଗଠନର ରାଜ୍ୟ ସମ୍ପାଦକ ରଘୁନାଥ ଦାସ, ଚାଷୀ ଅଧିକାର ସଂଗ୍ରାମ ମଞ୍ଚର ଆବାହକ
ବିଜୟ ସ୍ୱାଇଁ, ଚାଷୀ ମୁଲିଆ ସୁରକ୍ଷା ଓ ସଂଗ୍ରାମ ପରିଷଦର ଆବାହାକ ବଳଭଦ୍ର ମଲ୍ଲିକ ପ୍ରମୁଖ ବୈଠକରେ ଉପସ୍ଥିତ ରହି ଆଲୋଚନାରେ
ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking