ପୁଲିସ ପାସ ବିନା ରାସ୍ତାରେ ଗଡ଼ିବ ନାହିଁ ଘରୋଇ ଗାଡ଼ି

ଭୁବନେଶ୍ୱର: କରୋନାଭାଇରସ୍ ସଂକ୍ରମଣ ପ୍ରତିହତ କରିବାକୁ ଗତକାଲି ସମଗ୍ର ଦେଶରେ “ଜନତା କର୍ଫ୍ୟୁ’ ପାଳନ କରାଯାଇଥିଲା । ଏହାଛଡ଼ା ସଂକ୍ରମଣ ପ୍ରତିହତ କରିବାକୁ ଦେଶର ଅନେକ ରାଜ୍ୟ ମାର୍ଚ ୩୧ ତାରିଖ ଯାଏଁ ଲକଡାଉନ୍ ଆରମ୍ଭ କରିଛନ୍ତି । ଦେଶର ୮୨ଟି ଜିଲ୍ଲାରେ ମଧ୍ୟ ଲକଡାଉନ ଜାରି କରାଯାଇଛି ।
ତେବେ ରାଜଧାନୀ ଭୁବନେଶ୍ବରରେ ବିନା ପୁଲିସ ପାସରେ ଗଡ଼ିବ ନାହିଁ କୌଣସି ଘରୋଇ ଗାଡ଼ି । ଯେଉଁମାନେ ଗାଡ଼ି ବ୍ୟବହାର କରିବାକୁ ଚାହାନ୍ତି ସେମାନେ ସ୍ଥାନୀୟ ଥାନା ଅଧିକାରୀଙ୍କଠାରୁ ପାସ୍ ସଂଗ୍ରହ କରିବେ । ଭୁବନେଶ୍ବର-କଟକ ପୁଲିସ କମିସନର ଡ.ସୁଧାଂଶୁ ଷଡ଼ଙ୍ଗୀ ଆଜି ଏହି ଘୋଷଣା କରିଛନ୍ତି ।
ଗଣମାଧ୍ୟମକୁ ସାକ୍ଷାତ ଦେଇ ସେ କହିଛନ୍ତି, କରୋନାଭାଇରସ୍ ସତର୍କତା ପାଇଁ କଟକଣା ଜାରି ହୋଇଥିବା ବେଳେ ଯେଉଁମାନେ ଆବଶ୍ୟକସ୍ଥଳେ ଘରୁ ଗାଡ଼ି ବାହାର କରୁଛନ୍ତି, ସେହି ଗାଡ଼ି ଚାଳକଙ୍କୁ ଥାନାକୁ ଯାଇ ପାସ୍ ଆଣିବାକୁ ପଡ଼ିବ । କେବଳ ଏତିକି ନୁହେଁ, ଯେଉଁମାନଙ୍କର ଯିବାର ଅନୁମତି ଅଛି ସେମାନଙ୍କୁ ବି ଥାନାରୁ ପାସ ଆଣିବାକୁ ହେବ। ଗଣମାଧ୍ୟମକର୍ମୀଙ୍କୁ ମଧ୍ୟ ପାସ ବ୍ୟବହାର କରିବାକୁ ପଡ଼ିବ ବୋଲି ସେ ସୂଚନା ଦେଇଛନ୍ତି । ତେବେ ସଚିବାଳୟର ଅତ୍ୟାବଶ୍ୟୀୟ ବିଭାଗର କର୍ମଚାରୀଙ୍କୁ ଗୃହବିଭାଗ ପାସ୍ ଇସ୍ୟୁ କରୁଥିବା ବେଳେ ହସ୍ପିଟାଲ୍ କର୍ମଚାରୀଙ୍କୁ ସ୍ଥାନୀୟ ଆଇଆଇସି ପାସ୍ ଦେବେ । ପାସ୍ ନଥିବା ଲୋକଙ୍କୁ ରାସ୍ତାକୁ ଓହ୍ଲାଇ ଦିଆଯିବ ନାହିଁ । ଆଇଟି କମ୍ପାନିମାନଙ୍କୁ କର୍ମଚାରୀ କମାଇବାକୁ କୁହାଯିବା ସହିତ ଅତ୍ୟାବଶ୍ୟକସ୍ଥଳରେ ସ୍ଥାନୀୟ ଆଇଆଇସିଙ୍କ ଠାରୁ ପାସ୍ ଅଣାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ କଟକଣା ମାନୁ ନାହାନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଲକଡାଉନ ନିୟମ ମାନିବାରେ କିଛି ଲୋକ ସହଯୋଗ କରୁ ନଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ପୁଲିସ କମିସନର କହିଛନ୍ତି । ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧ ଥାନାରୁ ପାସ୍ ଆଣିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।