40.1 C
Bhubaneswar
Thursday, April 25, 2024
Homeଓଡିଶାଅବ୍ୟବସ୍ଥା ଘେରରେ ପାଣ୍ଡିରୀ ପ୍ରାଥମିକ ବିଦ୍ୟାଳୟ : ମନ୍ଦିରରେ ପାଠପଢା, ରାସ୍ତାରେ ମଧ୍ୟାହ୍ନ ଭୋଜନ

ଅବ୍ୟବସ୍ଥା ଘେରରେ ପାଣ୍ଡିରୀ ପ୍ରାଥମିକ ବିଦ୍ୟାଳୟ : ମନ୍ଦିରରେ ପାଠପଢା, ରାସ୍ତାରେ ମଧ୍ୟାହ୍ନ ଭୋଜନ

କେନ୍ଦ୍ରାପଡ଼ା : ପ୍ରାଥମିକ ଶିକ୍ଷାର ଉନ୍ନତି ପାଇଁ ସରକାର ସର୍ବଶିକ୍ଷା ଅଭିଯାନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ତେବେ ଅଧିକାଂଶ ସ୍କୁଲରେ ଭିତ୍ତିଭୂମିର ଅଭାବ ଯୋଗୁଁ ଏହି ଯୋଜନାର ସଫଳ ରୂପାୟନ ହୋଇପାରୁନାହିଁ । କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଜମଧର ପଞ୍ଚାୟତର ପାଣ୍ଡିରୀ ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟ ହେଉଛି ଏହାର ଏକ ପ୍ରକୃଷ୍ଟ ଉଦାହରଣ । ଏଠାରେ ଶିକ୍ଷା ବ୍ୟବସ୍ଥାର ସାମାନ୍ୟ ଭିତ୍ତିଭୂମି ନଥିବା ଜଣାପଡ଼ିଛି । ମାତ୍ର ଦୁଇଟି କୋଠରୀ ଥିବା ସ୍କୁଲଗୃହ ବିପଦସଂକୁଳ ହେବାପରେ ଦୀର୍ଘଦିନ ଧରି ନିକଟବର୍ତ୍ତୀ ଏକ ମନ୍ଦିରରେ ପିଲାମାନେ ପାଠ ପଢୁଛନ୍ତି । ସେହିପରି ପ୍ରତିଦିନ ରାସ୍ତାରେ ପ୍ରାର୍ଥର୍ନା ହେଉଥିବାବେଳେ ଏହି ରାସ୍ତା ଉପରେ ବସି ଛାତ୍ର ଛାତ୍ରୀ ମଧ୍ୟାହ୍ନ ଭୋଜନ କରୁଛନ୍ତି । ତେବେ ଏହି ସ୍କୁଲ ଉପରେ ଶିକ୍ଷା ବିଭାଗର ନଜର ନପଡ଼ିବାକୁ ନେଇ ସାଧାରଣରେ ବିସ୍ମୟ ପ୍ରକାଶ ପାଇଛି ।
ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ଥିବା ପାଣ୍ଡିରୀ ପ୍ରାଥମିକ ବିଦ୍ୟାଳୟର ମୋଟ ଦୁଇଟି ଶ୍ରେଣୀ ଗୃହର ଛାତରୁ ପାଣି ଗଳିବା ସହିତ କାନ୍ଥରେ ବଡ଼ ବଡ଼ ଫାଟ ସୃଷ୍ଟି ହୋଇ ବିପଦସଂକୁଳ ହେବାପରେ ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗ୍ରାମବାସୀଙ୍କ ଅନୁମତିକ୍ରମେ ମନ୍ଦିରରେ ପାଠ ପଢାଯାଉଛି । ତେବେ କିଛି ବର୍ଷତଳୁ ଅସ୍ଥାୟୀ ଭାବରେ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଥିବାବେଳେ ଏପର୍ଯ୍ୟନ୍ତ ସ୍କୁଲ ଗୃହ ନିର୍ମାଣ କରାଯାଇନଥିବାରୁ ସେହି ମନ୍ଦିରରେ ପିଲାଙ୍କୁ ପଢିବାକୁ ପଡୁଛି । ସ୍କୁଲ ପରିବେଶ ନଥିବାରୁ ପ୍ରତିଦିନ ମନ୍ଦିର ସମ୍ମୁଖସ୍ଥ ରାସ୍ତାରେ ପିଲାମାନେ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି । ସେହିପରି ବିନା ପାକଶାଳାରେ ପ୍ରସ୍ତୁତ ମଧ୍ୟାହ୍ନ ଭୋଜନ ମଧ୍ୟ ଏହି ରାସ୍ତା ଉପରେ ବସି ପିଲାମାନେ ଖରା ବର୍ଷାରେ ଖାଉଥିବା ଜଣାପଡ଼ିଛି । ସବୁଠୁ ବଡ଼ କଥା ହେଲା ଯେ, ଜନ୍ମ ମୃତ୍ୟୁର ଅଶୁଦ୍ଧତା ସମୟରେ ପିଲାଙ୍କୁ ମନ୍ଦିର ଆସିବାକୁ ବାରଣ କରାଯାଉଥିବାରୁ ପାଠ ପଢିବାକୁ ଆସିନପାରି ପିଲାମାନେ ଘରେ ରହିବାକୁ ବାଧ୍ୟ ହେଉଥିବା ସୂଚନା ମିଳିଛି ।
ଗ୍ରାମର ଏହି ପ୍ରାଥମିକ ବିଦ୍ୟାଳୟର ନିଜସ୍ୱ ଗୁହ ଓ ଶୈକ୍ଷିକ ପରିବେଶ ନଥିବାରୁ ପ୍ରତିଦିନ ପିଲାମାନଙ୍କ ସହ ଶିକ୍ଷକଙ୍କୁ ବହୁ କଷ୍ଟ ସହିବାକୁ ପଡୁଛି । ତେବେ ଏ ସମ୍ପର୍କରେ ବହୁବାର ସିଆରସିସି, ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ସ୍କୁଲର ଏହି ସବୁ ଅବ୍ୟବସ୍ଥା କାରଣରୁ ଧୀରେ ଧୀରେ ଗ୍ରାମବାସୀ ନିଜ ପିଲାଙ୍କୁ ଘରୋଇ ସ୍କୁଲ ମୁହାଁ କରାଯାଉଥିବାରୁ ଏଠାରେ ଛାତ୍ରଛାତ୍ରୀ ସଂଖ୍ୟା କମିବାରେ ଲାଗିଛି । ଏହି ଅବ୍ୟବସ୍ଥା ଲାଗିରହିଲେ ସ୍କୁଲଟି ଛାତ୍ରଛାତ୍ରୀ ଶୂନ୍ୟ ହୋଇପଡ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏ ସଂପର୍କରେ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଭାଗିରଥୀ ନନ୍ଦଙ୍କୁ ପଚାରିବାରୁ ଆଜି ଖବରପାଇ ସେହିସ୍କୁଲ ପରିଦର୍ଶନରେ ଯାଇଥିବା ପ୍ରକାଶ କରିଥିଲେ । ତେବେ ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ବଦଳି ପାଇଁ ଘର କାର୍ଯ୍ୟ ଆରମ୍ଭ କରାଯାଇ ପାରିନଥିବାବେଳେ ଖୁବ ଶୀଘ୍ର ଶ୍ରେଣୀଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଦିଗରେ ପଦକ୍ଷେପ ନେବୁ ବୋଲି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking