27.1 C
Bhubaneswar
Friday, March 29, 2024
Homeଓଡିଶାମେ ୪ରୁ ରାଷ୍ଟ୍ରପତିଙ୍କ ୩ ଦିନିଆ ମୟୂରଭଞ୍ଜ ଗସ୍ତ

ମେ ୪ରୁ ରାଷ୍ଟ୍ରପତିଙ୍କ ୩ ଦିନିଆ ମୟୂରଭଞ୍ଜ ଗସ୍ତ

ରାଇରଙ୍ଗପୁର: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ବର୍ଷ ଜୁଲାଇ ୨୫ରେ ଶପଥ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ନିଜ ଜନ୍ମ ମାଟି ମୟୂରଭଞ୍ଜ ଜିଲାର ରାଇରଙ୍ଗପୁର, ପାହାଡପୁର ଓ ବାରିପଦାକୁ ୩ ଦିନିଆ ଗସ୍ତରେ ଆଗାମୀ ମଇ ମାସ ୪ ତାରିଖରୁ ଆସୁଥିବା ଜଣାଯାଇଛି। ନିଜ ଗ୍ରାମ ପାହାଡପୁରରେ ରାଷ୍ଟ୍ରପତିଙ୍କ ସ୍ୱାମୀ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ଗୋସାଣି ପରିଦର୍ଶନ, ନାବାର୍ଡ ପକ୍ଷରୁ ଏସଏଲଏସ ଟ୍ରଷ୍ଟ ସ୍କୁଲ ପାଇଁ ନିର୍ମିତ ହେବାକୁ ଥିବା କମ୍ୟୁନିଟି ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ, ଏଲ ଏଣ୍ଡ ଟି ଦ୍ୱାରା ନିର୍ମିତ ହେବାକୁ ଥିବା ସ୍କିଲ୍‌‌ ହବର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ବିଦ୍ୟାଳୟର ବିଦ୍ୟାର୍ଥୀ ଓ ଗ୍ରାମବାସୀଙ୍କ ସହିତ ଭାବ ବିନିମୟ କାର୍ଯ୍ୟକ୍ରମ ରହିଛି।

ହାଟବାଦଡାର ସାତପଉଟିଆ ବ୍ରହ୍ମାକୁମାରୀ କେନ୍ଦ୍ର ଦ୍ୱାରା ଆୟୋଜିତ ‘ନିଶାମୁକ୍ତ ଓଡ଼ିଶା’ କାର୍ଯ୍ୟକ୍ରମକୁ ଉଦ୍‌‌ଘାଟନ କରିବା ପରେ ରାଇରଙ୍ଗପୁର ମହୁଲଡିହାସ୍ଥିତ ପୂର୍ତ୍ତ ବିଭାଗର ଡାକବଙ୍ଗଳା ଠାରେ ପହଞ୍ଚି ମଧ୍ୟାହ୍ନ ଭୋଜନ କରିବେ। ଏହାପରେ ସେଠାରୁ ବାହାରି ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ, ପରେ ସହରର ବଡବନ୍ଧରେ ଥିବା ସୁଉଚ୍ଚ ଓ ସୁଦୃଶ୍ୟ ଖୁଣ୍ଟରେ ଜାତୀୟ ପତାକା ଉତ୍ତୋଳନ କରିବେ। ସେଠାରୁ ବାହାରି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ରାଇରଙ୍ଗପୁର ପୌରପରିଷଦ କାର୍ଯ୍ୟାଳୟ ପରିଦର୍ଶନ କରିବେ। ରାଇରଙ୍ଗପୁର ପୌରପରିଷଦ ପକ୍ଷରୁ ରାଇରଙ୍ଗପୁର ଷ୍ଟାଡିୟମ୍‌‌ଠାରେ ମହାମହିମଙ୍କ ସମ୍ମାନାର୍ଥେ ସ୍ୱତନ୍ତ୍ର ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଛି। ଏହାପରେ ରାଷ୍ଟ୍ରପତି ମହୁଲଡିହାସ୍ଥ ଡାକବଙ୍ଗଳାରେ ରାତ୍ରି ଯାପନ କରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking