27.1 C
Bhubaneswar
Friday, March 29, 2024
Homeଦେଶ ବିଦେଶରାଷ୍ଟ୍ରପତିି ନିର୍ବାଚନ: ୧୧୭ ସେଟ୍ ପ୍ରାର୍ଥିପତ୍ର ନାକଚ; ଦ୍ରୌପଦୀ, ଯଶୱନ୍ତଙ୍କ ପ୍ରାର୍ଥିପତ୍ର ବୈଧ ଘୋଷିତ

ରାଷ୍ଟ୍ରପତିି ନିର୍ବାଚନ: ୧୧୭ ସେଟ୍ ପ୍ରାର୍ଥିପତ୍ର ନାକଚ; ଦ୍ରୌପଦୀ, ଯଶୱନ୍ତଙ୍କ ପ୍ରାର୍ଥିପତ୍ର ବୈଧ ଘୋଷିତ

ନୂଆଦିଲ୍ଲୀ : ଜୁଲାଇ ୧୮ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ନିର୍ବାଚନ କମିଶନ (ଇସିଆଇ) ଚଳିତମାସ ୯ରେ ବିଜ୍ଞପ୍ତି ଜାରି କରିଥିଲେ । ତଦନୁଯାୟୀ ପ୍ରାର୍ଥିପତ୍ର ଦାଖଲ ଓ ପ୍ରାର୍ଥିପତ୍ର ଯାଞ୍ଚ୍ ତାରିଖ ଯଥାକ୍ରମେ ଜୁନ୍ ୨୯ ଓ ୩୦ ଧାର୍ଯ୍ୟ କରାଯାଇଥିଲା । ୨୯ ସୁଦ୍ଧା ମୋଟ ୧୧୫ ସେଟ୍ ପ୍ରାର୍ଥିପତ୍ର ଦାଖଲ କରାଯାଇଥିଲା । ତେବେ ଏଥିମଧ୍ୟରୁ ୨୮ଟି ସେଟ୍ ପ୍ରାର୍ଥିପତ୍ର ଦାଖଲ ସମୟରେ ହିଁ ନାକଚ ହୋଇଯାଇଥିଲା । ଗୁରୁବାର ପ୍ରାର୍ଥିପତ୍ର ଯାଞ୍ଚ୍ ସମୟରେ ଆଉ ୭୯ଟି ପ୍ରାର୍ଥିପତ୍ରକୁ ନାକଚ କରାଯାଇଛି ବୋଲି ରିଟର୍ଣ୍ଣିଂ ଅଫିସର ତଥା ରାଜ୍ୟସଭା ସେକ୍ରେଟାରୀ ଜେନେରାଲ ପି.ସି.ମୋଦୀ ସୂଚନା ଦେଇଛନ୍ତି ।

ଫଳରେ ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଦ୍ରୌପଦୀ ମୁର୍ମୁ (ଏନ୍‌ଡିଏ) ଏବଂ ଯଶୱନ୍ତ ସିହ୍ନା (ବିରୋଧୀ ମେଣ୍ଟ)ଙ୍କ ପ୍ରାର୍ଥିପତ୍ରକୁ ବୈଧ ବିବେଚନା କରାଯାଇଛି । ଅପରପକ୍ଷରେ ରାଷ୍ଟ୍ରପତି ଦୌଡରେ ବିଜୟର କୌଣସି ସମ୍ଭାବନା ନଥିବା ସତ୍ତ୍ୱେ ଲାଲୁପ୍ରସାଦ ଯାଦବ ନାମକ ମୁମ୍ବାଇର ଜଣେ ବସ୍ତି ବାସିନ୍ଦା, ତାମିଲନାଡୁର ଜଣେ ସାମାଜିକ କର୍ମୀ ଓ ଦିଲ୍ଲୀର ଜଣେ ପ୍ରଫେସର ନିଜକୁ ସାମିଲ କରିଥିଲେ ସୁଦ୍ଧା ସେମାନଙ୍କର ପ୍ରାର୍ଥିପତ୍ର ନାକଚ ହୋଇଥିବା ଜଣାପଡିଛି । ରାଷ୍ଟ୍ରପତି ନିର୍ବାଚନ ପାଇଁ ଜଣେ ଆଶାୟୀ ପ୍ରାର୍ଥୀଙ୍କୁ ଅତିକମରେ ୫୦ ସାଂସଦ ଓ ୫୦ ବିଧାୟକଙ୍କ ସମର୍ଥନ (ପ୍ରସ୍ତାବକ ଓ ସମର୍ଥକ) ଜରୁରୀ ବୋଲି ସମ୍ବିଧାନରେ ବ୍ୟବସ୍ଥା ରହିଛି ।

ଏହାବ୍ୟତୀତ ଆଶାୟୀ ପ୍ରାର୍ଥୀଙ୍କୁ ସିକ୍ୟୁରିଟୀ ଜମା ବାବଦରେ ୧୫ ହଜାର ଟଙ୍କା ଦାଖଲ କରିବାକୁ ପଡିଥାଏ । ଜଣେ ପ୍ରାର୍ଥୀ ସର୍ବାଧିକ ୪ ସେଟ୍ ନାମାଙ୍କନ ପତ୍ର ଦାଖଲ କରିବାର ବ୍ୟବସ୍ଥା ରହିଛି । ଉଭୟ ଦ୍ରୌପଦୀ ଓ ଯଶୱନ୍ତ ୪ଟି ଲେଖାଏଁ ପ୍ରାର୍ଥିପତ୍ର ଦାଖଲ କରିଥିବାରୁ ସେମାନଙ୍କ ମଧ୍ୟରେ ଚୂଡାନ୍ତ ପ୍ରତିଦ୍ୱନ୍ଦ୍ୱିତା ହେବାକୁ ଯାଉଛି । ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ଜୁଲାଇ ୨କୁ ଧାର୍ଯ୍ୟ କରାଯାଇଥିବାବେଳେ ସେଦିନ କେବଳ ଔପଚାରିକତା ଦୃଷ୍ଟିରୁ ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷିତ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking