28.1 C
Bhubaneswar
Wednesday, April 24, 2024
Homeଓଡିଶାଆଗକୁ ଯୁକ୍ତଦୁଇ ପରୀକ୍ଷା: ଜାନୁଆରୀ ଶେଷ ସୁଦ୍ଧା ଅନୁଧ୍ୟାନ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ

ଆଗକୁ ଯୁକ୍ତଦୁଇ ପରୀକ୍ଷା: ଜାନୁଆରୀ ଶେଷ ସୁଦ୍ଧା ଅନୁଧ୍ୟାନ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ଆଗକୁ ହେବ +୨ ପରୀକ୍ଷା । ମାଟ୍ରିକ ପରି ଯୁକ୍ତଦୁଇ ପରୀକ୍ଷାରେ କୌଣସି ବିକଳ୍ପ ବ୍ୟବସ୍ଥା କରାଯାଇନଥିବାରୁ ଚଳିତବର୍ଷ ଅଫ୍‌ଲାଇନ୍‌ରେ ପରୀକ୍ଷା କରାଯିବ ବୋଲି ସ୍ପଷ୍ଟ ହୋଇଛି । ତେବେ ଏନେଇ ରାଜ୍ୟର ସବୁ ପରୀକ୍ଷା କେନ୍ଦ୍ର ଅନୁଧ୍ୟାନ କରି ଜାନୁଆରୀ ଶେଷ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଧେଶ ଦିଆଯାଇଛି । ତେବେ ରାଜ୍ୟର ଯେଉଁ ସବୁ ସ୍କୁଲ ଉପାନ୍ତ ଅଞ୍ଚଳ ମଧ୍ୟରେ ରହିଛି ଏବଂ ଯଦି ସମ୍ପୃକ୍ତ ଅଞ୍ଚଳକୁ କୌଣସି ବିଦ୍ୟୁତ ସଂଯୋଗ ପହଞ୍ôଚନଥିବ କିମ୍ବା ବିଦ୍ୟୁତ ସମସ୍ୟା ରହିଥିବ ସେହି ସବୁ ଅଞ୍ଚଳରେ ଥିବା ଜୁନିୟର କଲେଜଗୁଡିକରେ ସୋଲାର ବ୍ୟବସ୍ଥାକୁ ବିକଳ୍ପ ଭାବେ ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି । ସେହିପରି ଯେଉଁ ପରୀକ୍ଷାକେନ୍ଦ୍ରରେ ସୁରକ୍ଷା, ପ୍ରଶ୍ନପତ୍ର ଏବଂ ଉତ୍ତରଖାତା ରହିବା ଭଳି ଆଇରନ୍ ଚେଷ୍ଟ ନଥିବ, ପାଚେରୀ, ସିସି କ୍ୟାମେରା ବ୍ୟବସ୍ଥା ନଥିବ ସେହି ସ୍କୁଲରେ ପରୀକ୍ଷାକେନ୍ଦ୍ର କରାଯିବ ନାହିଁ । ଜିଲ୍ଲାୱାରୀ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଚୂଡାନ୍ତ ପରୀକ୍ଷାକେନ୍ଦ୍ରର ତାଲିକା କରାଯିବ ।

ଆସନ୍ତା ଯୁକ୍ତଦୁଇ ପରୀକ୍ଷାରେ ପୁଣି ଅଭିନବ ବ୍ୟବସ୍ଥା ଲାଗୁ କରିବାର ନିଷ୍ପତ୍ତି ଯୋଗୁଁ ଗଣଶିକ୍ଷା ବିଭାଗ ଚର୍ଚ୍ଚାକୁ ଆସିଛି । ବିଭାଗର ଏପରି ନିଷ୍ପତ୍ତିକୁ ମଧ୍ୟ ସବୁ ସ୍ତରରେ ସ୍ୱାଗତ କରାଯାଇଛି । +୨ପରୀକ୍ଷା ଲାଗି ଯେଉଁ ସବୁ ସ୍କୁଲକୁ ପରୀକ୍ଷାକେନ୍ଦ୍ର ଭାବେ ମନୋନୀତ କରାଯିବ ସେଥିପାଇଁ ୬ଟି ମାନଦଣ୍ଡକୁ ଅଗ୍ରାଧିକାର ଦିଆଯାଇଛି । ଯେଉଁଥିରେ ପାଚେରୀ, ଭିତ୍ତିଭୂମି, ମୁଖ୍ୟ ଫାଟକ ଏବଂ ସ୍କୁଲ ଫାଟକରେ ଗେଟ୍ ବ୍ୟବସ୍ଥା, କରିଡୋର ଏବଂ ଶ୍ରେଣୀରେ ସିସି କ୍ୟାମେରା, ବିଦ୍ୟୁତ ସଂଯୋଗ, ଲାଇଟ୍‌, ଫ୍ୟାନ୍‌, ପିଇବା ପାଣିର ବ୍ୟବସ୍ଥା ଥିବା ବାଧ୍ୟତାମୂଳକ କରାଯାଇଛି । ବିଶେଷକରି କୋଭିଡ କଟକଣା ସମେତ ଚଳିତବର୍ଷ ପରୀକ୍ଷାର୍ଥୀଙ୍କ ଲାଗି ମୌଳିକ ସୁବିଧା ଏବଂ ବିଦ୍ୟୁତ ବ୍ୟବସ୍ଥାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ଗତ କିଛି ବର୍ଷ ହେବ ବିଦ୍ୟୁତ ସଂଯୋଗ ନଥିବା ଏବଂ ବାରମ୍ବାର ବିଦ୍ୟୁତକାଟ ଲାଗି ପରୀକ୍ଷାରେ ବ୍ୟାଘାତ ଘଟୁଥିବା ବେଳେ ଖାତାଦେଖା ସମୟରେ ମଧ୍ୟ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଥିଲା । ତେଣୁ ଏଥର ପ୍ରଥମ ପର୍ଯ୍ୟାୟ ଅନୁଧ୍ୟାନ ରିପୋର୍ଟରେ କେଉଁ କଲେଜରେ ବିଦ୍ୟୁତ ବ୍ୟବସ୍ଥା ରହିଛି ଏବଂ କେଉଁଠି ସମସ୍ୟା ରହିଛି ତାହାର ତାଲିକା ପ୍ରସ୍ତୁତ କରାଯିବ । ସୋଲାର ବ୍ୟବସ୍ଥା ଲାଗି ବିଭାଗ ପକ୍ଷରୁ ସମଗ୍ର ଶିକ୍ଷା ଯୋଜନାରେ ମିଳିଥିବା ଅନୁଦାନ ଅର୍ଥ ବ୍ୟୟ କରାଯିବ ।

ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ କୋଭିଡ ଲାଗି ଗତ ୨ବର୍ଷ ହେବ ଶିକ୍ଷାଦାନ ବ୍ୟବସ୍ଥା ବନ୍ଦ ରହିଥିବା ବେଳେ ପରୀକ୍ଷା ମଧ୍ୟ ବାତିଲ କରାଯାଇଛି । ଗତବର୍ଷ ଉଭୟ ମାଟ୍ରିକ ଏବଂ +୨ରେ ପିଲାଙ୍କୁ ଯେଭଳି ଭାବେ ବିକଳ୍ପ ବ୍ୟବସ୍ଥାରେ ମାର୍କିଂ କରାଯାଇଥିଲା ସେଥିରେ ଅନେକ ମେଧାବୀ ଅସନ୍ତୋଷ ପ୍ରକାଶ କରିଥିଲେ । ବିଶେଷକରି +୨ ସ୍ତରରେ ବିକଳ୍ପ ବ୍ୟବସ୍ଥାରେ ମାର୍କିଂ କରିବା +୨ ପରିଷଦ ଲାଗି ବହୁକଷ୍ଠ କରିବାକୁ ପଡ଼ିଛି । ତେଣୁ ଚଳିତବର୍ଷ ସେପରି ବିକଳ୍ପ ବ୍ୟବସ୍ଥା ହେବ ନାହିଁ ବୋଲି ଜଣାପଡିଛି । ଜାନୁଆରୀରେ ଅନୁଧ୍ୟାନ ରିପୋର୍ଟ ମିଳିବା ପରେ ବଜେଟ ପ୍ରସ୍ତୁତ କରାଯାଇ ଫ୍ରେବୃଆରୀ ୨ୟ ସପ୍ତାହ ମଧ୍ୟରେ ଏହି ବ୍ୟବସ୍ଥା କରାଯିବ । ସେହିପରି ଏଥର ପରୀକ୍ଷା ପୂର୍ବରୁ ଜିଲ୍ଲାୱାରୀ ମକଡିଲ୍ ମଧ୍ୟ କରାଯିବ । ଯେଉଁଥିରେ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ପ୍ରଥମଥର ରହିବାର ନିଷ୍ପତ୍ତି ମଧ୍ୟ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking