38.8 C
Bhubaneswar
Friday, April 19, 2024
Homeଓଡିଶା୩୧ ଦଫା ଦାବି ନେଇ ପୁଣି ସ୍ୱାଭିମାନ ଅଂଚଳରେ ପ୍ରଜାମେଳୀ

୩୧ ଦଫା ଦାବି ନେଇ ପୁଣି ସ୍ୱାଭିମାନ ଅଂଚଳରେ ପ୍ରଜାମେଳୀ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳର ଏକ ଦୁର୍ଗମ ସ୍ଥାନରେ ପୁଣି ଆଦିବାସୀମାନଙ୍କ ପ୍ରଜାମେଳୀ ଅନୁଷ୍ଠିତ ହୋଇଯାଇଛି । ଯୋଡାମ୍ବ ପଂଚାୟତର ହନ୍ତାଳଗୁଡା ଜଙ୍ଗଲରେ ଗତ ୧ ତାରିଖରେ ପୁଣି ଶତାଧୀକ ଆଦିବାସୀ ମାନେ ୩୧ ଦଫା ଦାବି ପରଣ ନେଇ ଏକ ପ୍ରଜାମେଳି କରିଥିବା ଜଣାପଡ଼ିଛି । ପୂର୍ବରୁ ୩୧ ଦଫା ଦାବି ମଧ୍ୟରେ ଏହି ଅଂଚଳରେ ଶିକ୍ଷା ବିଭାଗର ସୁଧାର, ସମସ୍ତଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ, ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି, ଆଦିବାସୀ ବହୁଳ ଅଂଚଳରେ କୃଷକମାନଙ୍କୁ ସୁବିଧା ସୁଯୋଗ, ଗତଥର ଜଳମଗ୍ନ ହୋଇ ଫସଲ ନଷ୍ଟ ହୋଇଥିବା ଚାଷୀଙ୍କ କ୍ଷତିପୂରଣ, ଅଙ୍ଗନବାଡି କେନ୍ଦ୍ର କାର୍ଯ୍ୟକ୍ଷମ କରି ଶିଶୁମାନଙ୍କୁ ସୁଷମ ଖାଦ୍ୟ ବଂଟନ, ନାକାମାମୁଡି ପଂଚାୟତକୁ ଦୁଇ ଭାଗରେ ବିଭକ୍ତ କରି ନୂତନ ପଂଚାୟତ ଗଠନ, ଛାତ୍ରଛାତ୍ରୀଙ୍କୁ ଜାତିଗତ ପ୍ରମାଣପତ୍ର ପ୍ରଦାନ ଭଳି, ସମସ୍ତ ଗ୍ରାମକୁ ପାନୀୟଜଳ ଓ ବିଜୁଳି, ସ୍ୱାଭିମାନ ଅଂଚଳର ପ୍ରତ୍ୟେକ ପଂଚାୟତରେ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ, ଅଧିକା ଲଂଚ ପ୍ରଦାନ ଭଳି ବହୁ ଗୁରୁତ୍ୱପୂର୍ଣ ଦାବି ରହିଥିବା ବେଳେ ତାହା ଆଜି ପର୍ଯ୍ୟନ୍ତ ପୂରଣ ହୋଇ ପାରିନାହିଁ । ଏଥିସହ ହନ୍ତାଳଗୁଡାରେ ବି.ଏସ୍.ଏଫ୍. କ୍ୟାମ୍ପ ଓ ଟିକରପଡ଼ାରେ ରାସ୍ତା ନିର୍ମାଣକୁ ନେଇ ମଧ୍ୟ ବିରୋଧ କରିଥିବା ଜଣାପଡିଛି । ଏ ସମ୍ବନ୍ଧରେ ପ୍ରଶାସନ ଓ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉ ନଥିବା ବେଳେ ଏଥିପୂର୍ବେ ଧୁଳିପୁଟ ଠାରେ ଜଣେ ନିରୀହ ଲୋକଙ୍କୁ ବିଏସଏଫ୍ ହତ୍ୟା କରିଥିବା ଘଟଣାର ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରା ଯାଇନାହିଁ ବୋଲି ଅଭିଯୋଗ କରିଛନ୍ତି । ଏହି ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଦୁଃଖର ବିଷୟ ବୋଲି କହିବା ସହ ପୁଲିସ ପ୍ରଶାସନ ନୀରବ ସାଜିଛି । ଏଭଳି ସ୍ଥିତିରେ ହନ୍ତାଳଗୁଡାଠାରେ ବିଏସଏଫ୍ କ୍ୟାମ୍ପ ଖୋଲାଗଲେ ଏହି ଅଂଚଳର ଆଦିବାସୀଙ୍କ ଧନଜୀବନ ସୁରକ୍ଷିତ ରହିବ ନାହିଁ । ସେହିପରି ଟିକରପଡାରେ ମଧ୍ୟ ରାସ୍ତା କାମ ନିର୍ମାଣକୁ ଅଂଚଳବାସୀ ବିରୋଧ କରିଛନ୍ତି । ପ୍ରଥମେ ଗ୍ରାମାଂଚଳ ରାସ୍ତା ନିର୍ମାଣ କରିବା ପରେ ମୁଖ୍ୟରାସ୍ତା ନିର୍ମାଣ କରିବାକୁ ଦାବି କରିଛନ୍ତି । ଗୁରୁପ୍ରିୟା ନିର୍ମାଣ ସତ୍ୱେ ଏବେବି ଅଂଚଳର ବିକାଶ ହୋଇ ନଥିବା ବେଳେ ଲୋକେ ମୌଳିକ ସୁବିଧା ସୁଯୋଗରୁ ବଂଚିତ ହେଉଛନ୍ତି । ଲୋକେ ଯଦି ବିକାଶ ଚାହୁଁଛନ୍ତିି ତାହାହେଲେ ଉନ୍ନୟନ କାର୍ଯ୍ୟକୁ କାହିଁକି ବିରୋଧ କରୁଛନ୍ତି ବୋଲି ମାଲକାନଗିରି ଏସ୍.ପି. ରିଶିକେଷ ଡି ଖିଲାରି ପ୍ରକାଶ କରିଛନ୍ତି । ରାସ୍ତା ନିର୍ମାଣ ହେଲେ ମୌଳିକ ସୁବିଧା ଲୋକଙ୍କ ନିକଟକୁ ପହଂଚିବ ଏଥିରେ ଦ୍ୱିମତ ନାହିଁ । କ୍ୟାମ୍ପ ପ୍ରତିଷ୍ଠା ହେଲେ ଏହି ଅଂଚଳରେ ମାଓଦମନ ସହ ବିକାଶ କାର୍ଯ୍ୟ ସମ୍ଭବ ହୋଇ ପାରିବ । ତେବେ ବିକାଶରେ ମାଓବାଦୀ ବାଧକ ସାଜୁଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି । ପୁଲିସ ପ୍ରଶାସନ ପକ୍ଷରୁ ଏହି ଅଂଚଳରେ ପାନୀୟ ଜଳଠାରୁ ଆରମ୍ଭ କରି ଯୋଗ ଯୋଗ ନିମନ୍ତ ସମସ୍ତ ବ୍ୟବସ୍ଥା କରିବା ପାଇଁ ଅହରହ ଉଦ୍ୟମ ହେଉଥିବା ବେଳେ କିଛି ଗଣତନ୍ତ୍ର ବିରୋଧୀ ସଂଗଠନ ନିରୀହ ଆଦିବାସୀଙ୍କୁ ପୁଲିସ ପ୍ରଶାସନ ବିରୁଦ୍ଧରେ ମତେଇ ଆଦିବାସୀଙ୍କ ମୌଳିକ ଅଧିକାରକୁ ଛଡାଇ ନେବା ସହ ଅଂଚଳରେ ଲୋକଙ୍କ ପାଇଁ ହେଉଥିବା ବିକାଶ ଓ ଉନ୍ନୟନ କାର୍ଯ୍ୟକୁ ବିରୋଧ କରୁଥିବା ଦୁର୍ଭାଗ୍ୟ ଜନକ । ଜିଲ୍ଲା ପ୍ରଶାସନ ସଂପୃକ୍ତ ଅଂଚଳରେ ପାନୀୟ ଜଳ ପାଇଁ ବ୍ୟବସ୍ଥା କରିଥିବା ବେଳେ କିସ୍ୱାରେଂଟି ମାଓବାଦୀ ସେଗୁଡ଼ିକୁ ଭାଙ୍ଗି ଦେଇଥିବା ଅତି ଦୁର୍ଭାଗ୍ୟଜନକ ବୋଲି ଏସ.ପି ଶ୍ରୀ ଖିଲାରୀ ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking