ତହସିଲ ଆଗରେ ଭୂମିହୀନଙ୍କ ଧାରଣା

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବିରିଡ଼ି ତହସିଲ ଅନ୍ତର୍ଗତ କୁଳକଇଜଙ୍ଗା ପଞ୍ଚାୟତ ସମେତ ଆଉ କେତେକ ପଞ୍ଚାୟତର ଜନସାଧାରଣଙ୍କୁ ତହସିଲ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ଜମିପଟ୍ଟା ଏବେ ସେମାନଙ୍କର କୌଣସି କାର୍ଯ୍ୟରେ ଲାଗିପାରୁ ନଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦ କରି ସେମାନେ ବୁଧବାର ବିରିଡି ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ଏଥିରେ ବହୁ ସଂଖାରେ ଭୂମିହୀନ ଯୋଗଦେଇ ତହସିଲ ପ୍ରଶାସନର ବେପରୁଆ ମନୋଭାବକୁ ସମାଲୋଚନା କରିବା ସହ ତୁରନ୍ତ ସଠିକ ଜମି ପଟ୍ଟା ଯୋଗଇବା ସହିତ ଜମି ଚିହ୍ନଟ ଦେବାକୁ ଦାବି କରିଥିଲେ । କୁଳକଇଜଙ୍ଗ ସମିତି ସଭ୍ୟ ରାଜକିଶୋର ଭୋଇ ଓ ପ୍ରକାଶ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଧାରଣାରେ ବୁଲୁ ଭୋଇ, ରଂଜନ ଭୋଇ, ଶଙ୍କର୍ଷଣ ଭୋଇ, ମୁନା ସିଂ, ନିରଞ୍ଜନ ସାମଲ, ସସ୍ମିତା ଭୋଇ, ସଞ୍ଜୟ ସିଂ, ସୀତା ସିଂ, ଲକ୍ଷ୍ମୀ ସିଂ, ଗୀତା ଭୋଇ, କୁନି ସାମଲ, ସେବ ଭୋଇ, କେଲୁଣି ଭୋଇ, ସଞ୍ଜୟ ଭୋଇ, ବାସନ୍ତୀସିଂଙ୍କ ସମେତ ଶତାଧିକ ଭୂମିହୀନ ଯୋଗଦେଇ କହିଥିଲେ ଯେ, ଦୀର୍ଘଦିନ ହେବ ତହସିଲ ପ୍ରଶାସନ ପକ୍ଷରୁ କେତେକ ଭୂମିହୀନଙ୍କୁ ଜମି ପଟ୍ଟା ଯୋଗାଇ ଦିଆଯାଇଥିଲା । ତେବେ ତାହା ଏବେ ଅନଲାଇନରେ ବାହାରୁ ନଥିବାରୁ ସେମାନଙ୍କର ପାଠପଢୁଥିବା ପିଲାମାନଙ୍କ ପାଇଁ ଘୋର ସମସ୍ୟା ସଷ୍ଟି କରୁଛି । ସେମାନେ ଜାତିଗତ, ଆବାସିକ ଓ ଆୟ ପ୍ରମାଣପତ୍ର ପାଇ ପରୁ ନାହାନ୍ତି । ଯାହା ଦ୍ୱାରା ସ୍କୁଲ କଲେଜରେ ପଢୁଥିବା ପିଲାମାନେ ଷ୍ଟାଇପେଣ୍ଡ ପାଇବାରୁ ବଞ୍ଚିତ ହୋଇଆସୁଛନ୍ତି । ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରି ଧାରଣାକାରୀମାନେ ତହସିଲଦାରଙ୍କୁ ଏକ ଲିଖିତ ଦାବି ପତ୍ର ପ୍ରଦାନ କରିଥିଲେ । ତେବେ ଏହା ଉପରେ ତହସିଲଦାର ତୁରନ୍ତ ପଦକ୍ଷପ ନେବେ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।