27.1 C
Bhubaneswar
Friday, March 29, 2024
HomeUncategorizedସରକାରୀ ଯୋଜନାରୁ ବଂଚିତ ଭଙ୍ଗା କୁଡିଆର ଗୋଟିଏ ବଖରା ଘରେ ରହୁଥିବା ବଶିଷ୍ଠଙ୍କ ପରିବାର

ସରକାରୀ ଯୋଜନାରୁ ବଂଚିତ ଭଙ୍ଗା କୁଡିଆର ଗୋଟିଏ ବଖରା ଘରେ ରହୁଥିବା ବଶିଷ୍ଠଙ୍କ ପରିବାର

ବୌଦ୍ଧ : ସରକାରୀ ଯୋଜନା ଏଠି ଯେମିତି କାଗଜପତ୍ରରେ ସୀମିତ ରହିଛି । ପ୍ରକୃତ ଓ ଯୋଗ୍ୟ ହିତାଧିକାରୀ ସମସ୍ତ ସୁବିଧାରୁ ବଞ୍ଚିତ ହେଉଥିବା ବେଳେ ଧନୀ ଲୋକେ ହାତଉଛନ୍ତି ଗରିବ ପାଇଁ ଉର୍ଦ୍ଦିଷ୍ଟ ଯୋଜନା । ଏହା ସରକାରଙ୍କ ପାଇଁ କିଛି ନୂଆ ଘଟଣା ନୁହେଁ । ଏପରି ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୧୫ କିଲୋମିଟର ଦୂରରେ ରହୁଥିବା ବଶିଷ୍ଠଙ୍କ ପରିବାରରେ । ବଶିଷ୍ଠଙ୍କ ଦୟନୀୟ ଅବସ୍ଥା ଦେଖିଲେ ଜିଲ୍ଲାରେ ଚାଲିଥିବା ସରକାରୀ ଯୋଜନାର ପୋଲ ଖୋଲିଯିବ । ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ବାମଣ୍ଡା ପଞ୍ଚାୟତର ଦେବଗଡ଼ ଗ୍ରାମରେ ରହନ୍ତି ବଶିଷ୍ଠଙ୍କ ପରିବାର । ଏକ ଝାଟିମାଟି ଭଙ୍ଗା କୁଡିଆର ଗୋଟିଏ ବଖରା ଘରେ ରୁହନ୍ତି ବଶିଷ୍ଠଙ୍କ ପରିବାରର ୮ ପ୍ରାଣୀ କୁଟୁମ୍ବ । ସେହି ଗୋଟିଏ ବଖରାରେ ରହିବା ଖାଇବା ସବୁକିଛି, ଖୋଲା ଆକାଶ ତଳେ ରୋଷେଇ । ମୌସୁମୀ ଆସନ୍ନ ହୋଇଥିବାବେଳେ ଜରିପାଲ ଘୋଡା ଝାଟିମାଟି କୁଡିଆଟି କେତେବେଳେ ଯେ ଧରାଶାୟୀ ହୋଇଯିବ କହିହେବନାହିଁ । ବଶିଷ୍ଠଙ୍କ ବୟସ ମାତ୍ର ୪୦ । ଭାଗ୍ୟର ବିଡ଼ମ୍ବନା ଯେ, ଏହି ବୟସରେ ସେ ଶଯ୍ୟାଶାୟୀ । ଘରେ ବୃଦ୍ଧ ପିତା ମାତାଙ୍କ ସହିତ ସ୍ତ୍ରୀ ଓ ୪ ଟି ସନ୍ତାନଙ୍କ ବୋଝ ବଶିଷ୍ଠଙ୍କ ଉପରେ । ଯେଉଁ ବୟସରେ ସେ ପରିବାରର ବୋଝ ଉଠାଇବା କଥା ଦୁଇବର୍ଷ ତଳେ ଏକ ସଡ଼କ ଦୁର୍ଘଟଣାର ଶୀକାର ହୋଇ ଦୁଇଗୋଡ ଅଚଳ ହୋଇଯିବା ପରେ ଶଯ୍ୟାଶାୟୀ ହୋଇ ଘରେ ପଡ଼ି ରହିବା ସହ ପରିବାର ଉପରେ ବୋଝ ପାଲଟି ଯାଇଛନ୍ତି । ବଶିଷ୍ଠଙ୍କ ପତ୍ନୀ ଜନନୀ ଦିନ ମଜୁରୀ ନଖଟିଲେ ପରିବାରର ଚୁଲି ଜଳିବା କଷ୍ଟକର । ବୃଦ୍ଧା ମାତା ଘରେ କଷ୍ଟେମଷ୍ଟେ ଖାଦ୍ୟ ପ୍ରସ୍ତୁତ କରୁଥିବାବେଳେ ପିତା ଭାସ୍କର ନାତି ନାତୁଣୀଙ୍କ ଦେଖାଶୁଣା କରନ୍ତି । ବୋହୁ ଜନନୀଙ୍କ ଶରୀର ଅସୁସ୍ଥ ହେଲେ ବୃଦ୍ଧା ଶାଶୂ ସୁଲୋଚନା ମାଗିଜାଚି ପରିବାର ଚଳାଇଥାନ୍ତି । ବିଦ୍ୟାଳୟ ଖୋଲାଥିଲେ ମଧ୍ୟାହ୍ନ ଭୋଜନରେ ପିଲାଙ୍କ ଗୋଟିଏ ଓଳି ଚଳିଯାଏ । କରୋନା ପାଇଁ ଲକଡାଉନରେ ଏବେ ବିଦ୍ୟାଳୟ ବନ୍ଦ । ପିଲାଙ୍କ ପାଖରେ ପିନ୍ଧିବାକୁ ଭଲ ପୋଷାକ ଖଣ୍ଡେନାହିଁ । ଫଳରେ ଗାଁ’ ଦାଣ୍ଡରେ ଫୁଙ୍ଗୁଳା ଦେହରେ ଖେଳି ବୁଲି ସମୟ କାଟୁଛନ୍ତି । ଆଗକୁ ବର୍ଷାଦିନ ଆସୁଛି । ଏହି ପରିବାର ନିକଟରେ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ନାହିଁ । ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟରେ ଗୁହାରି କରିଥିଲେ ମଧ୍ୟ ଏହି ପରିବାରର ଗୁହାରି ଶୁଣିବାକୁ କେହିନାହାନ୍ତି । ଗ୍ରାମ ରାଜନୀତିଆଙ୍କୁ ଧରି ଅନେକ ସ୍ୱଚ୍ଛଳବର୍ଗର ଲୋକ ଆବାସ ଯୋଜନାରେ ସାମିଲ ହୋଇଛନ୍ତି । କିନ୍ତୁ ବାରମ୍ବାର ବ୍ଲକ୍ ଓ ପଞ୍ଚାୟତ କାର୍ଯ୍ୟାଳୟକୁ ଧାଇଁ ଅଣ୍ଟାଗୁଞ୍ଜା ଦେଇ କାର୍ଯ୍ୟ କରାଇବାକୁ ନା ବଶିଷ୍ଠଙ୍କ ପରିବାର ପାଖରେ ସମ୍ବଳ ଅଛି ନା ସମୟ । ବଶିଷ୍ଠଙ୍କ ବଡ଼ ପୁଅ ନାବାଳକ ମାନସିକ ଓ ଶାରୀରିକ ଭିନ୍ନକ୍ଷମ । ପେଟ ପାଇଁ ଦାନା ଯୋଗାଡ଼ କରୁ କରୁ ତାଙ୍କୁ ଚିକିତ୍ସା କରାଇବାକୁ ପରିବାର ନିକଟରେ ସମ୍ବଳ ନାହିଁ । ପରିବାରର ଦାରିଦ୍ର‌୍ୟ ଓ ଅସହାୟତାରେ ୪ଶିଶୁଙ୍କ ଶୈଶବ ସମ୍ପୂର୍ଣ୍ଣ ଭାବରେ ଅବହେଳିତ । ପେଟର କ୍ଷୁଧା ଦୂର କରିବାରେ ଅକ୍ଷମ ପରିବାରର ୪ ଶିଶୁଙ୍କ ଭବିଷ୍ୟତ ଚିନ୍ତା ପିତା ମାତାଙ୍କ ପାଇଁ ମରିଚୀକା ମାତ୍ର । ଭିକ୍ଷାବୃତ୍ତି କରି ପରିବାରର ପେଟ ପୋଷିବୁ ସିନା ଖରାବର୍ଷାରେ ୮ ପ୍ରାଣୀଙ୍କ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ଯୋଗାଇଦେବାକୁ ଆକୁଳ ନିବେଦନ କରିଛନ୍ତି ବଶିଷ୍ଠଙ୍କ ପତ୍ନୀ ଜନନୀ । ଏ ସମ୍ପର୍କରେ ବାମଣ୍ଡା ସରପଞ୍ଚ ଲଳିତ ଥାଟିଙ୍କୁ ପଚାରିବାରେ ଆବାସ ଯୋଜନା ପାଇଁ ତାଙ୍କ ନମ୍ବର ଆସିନାହିଁ ଆସିଲେ ମିଳିବ କହି ନିଜ ଉପରୁ ଦାୟିତ୍ୱ ଖସାଇ ଦେଇଛନ୍ତି । ତେବେ ରାଜନୀତିର ନମ୍ବର ଖେଳରେ କେବେ ମୁଣ୍ଡ ଗୁଞ୍ଜିବାକୁ ଘର ମିଳିବ ଏହି ଅସହାୟ ପରିବାରକୁ ଏହାର ନିର୍ଦ୍ଦିଷ୍ଟ ଉତ୍ତର କାହା ପାଖରେ ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking