ଗରିବ ବାପା-ମା'ଙ୍କ ନିବେଦନ : ମୋ ପୁଅକୁ ବଂଚାଇଦିଅ

ସୁନ୍ଦରଗଡ : ଦୁଃସାଧ୍ୟ ରୋଗ ରକ୍ତ କର୍କଟରେ ଆକ୍ରାନ୍ତ ୭ ବର୍ଷର ଶିଶୁ ମହମ୍ମଦ ଅର୍ଥ ଅଭାବରୁ ଚିକିତ୍ସିତ ହୋଇପାରୁନାହାନ୍ତି । ପୁଅର ଏପରି ଅବସ୍ଥାରେ ଭାଙ୍ଗି ପଡ଼ିଛନ୍ତି ମା’ଓ ବାପା । ସରକାର ବହୁ ଲୋକଙ୍କୁ ବହୁତ ପ୍ରକାର ସହାୟତା କରୁଛନ୍ତି । ତାଙ୍କ କଅଁଳ ପିଲାଟି ମୃତ୍ୟୁ ମୁଖରୁ ଉଦ୍ଧାର ପାଇବା ପାଇଁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ମହମ୍ମଦର ବାପା ଓ ମା’ ।
ଚଟି ପକାଇ ବସିଥିଲା ୭ ବର୍ଷର ଶିଶୁ ମହମ୍ମଦ ରାଜା । ପାଖରେ ଥିଲା ବହି । ବହିରୁ ପଢି ଖାତାରେ କଅଁଳ ହାତର କଣ ସବୁ ଲେଖି ପକାଉଥିଲା ପଢାଲେଖାରେ ହିଁ ଭବିଷ୍ୟତ ଗଢିହୁଏ , ଏକଥା ବୁଝିବା ବୟସ ହୋଇ ନଥିଲା ତାର । ତଥାପି ସେ ପଢ଼ିବାରେ ମଗ୍ନ ରହିଥିଲା । ପାଖରେ ବସିରହି ଥିଲେ ମା’ନିଶା ଖାତୁନ ମୁହଁ ତାଙ୍କର ସୁଖି ଯାଇଥିଲା, ମମତା ତାଙ୍କର ଗୁମୁରି ଗୁମୁରି କାନ୍ଦୁଥିଲା । କାରଣ ଜାଣିଲେ ଆପଣ ବି ଥରି ଉଠିବେ । ସୁନ୍ଦରଗଡ ସହର ନିକଟ ସୁବଳୟାରେ ରହୁଥିବା ଆବିଦ ରାଜା ଓ ପତ୍ନୀ ନିଶା, ଦୁଇ କୁନି କୁନି ପୁଅ ୧୦ ବର୍ଷର ହମିଦ ରାଜା ୭ ବର୍ଷର ମହମ୍ମଦ ରାଜା ୪ ବର୍ଷର ସାନ ଝିଅ । ଆବିଦ ଜଣେ ମୁସଲିମ୍ ମୌଲବୀ । କୌଣସି ପୂଜାପର୍ବରେ କିଛି ପାରିଶ୍ରମିକ ମିଳେ ଓ କିଛି ଛୋଟ ପିଲାଙ୍କୁ ଟ୍ୟୁସନ କରନ୍ତି । ମାସକୁ ୪ରୁ ୫ହଲାର ଟଙ୍କା ମିଳେ ପଞ୍ଚାୟତରୁ ଟଙ୍କିକିଆ ଚାଉଳ ମିଳେ ସେଥିରେ ବହୁ କଷ୍ଟରେ ଚଳନ୍ତି ୫ ପ୍ରାଣୀ କୁଟୁମ୍ବ । ଦୁଇ ପୁଅଙ୍କ ପଢିବାରେ ଯଥେଷ୍ଟ ଆଗ୍ରହ । ଦୁହେଁ ପାଖ ପୋଡାଜଲଙ୍ଗା ସେବତିବାହଲ ପ୍ରାଥମିକ ବିଦ୍ୟାଳୟରେ ପଢନ୍ତି । ବଡ ପୁଅ ହମିଦ ଚତୁର୍ଥ ଓ ସାନ ପୁଅ ମହମ୍ମଦ ଦ୍ୱିତୀୟରେ ପଢନ୍ତି । ମହମ୍ମଦ ଶ୍ରେଣୀରେ ବରାବର ପ୍ରଥମ ସ୍ଥାନ ହାସଲ କରିବା ସହ ଶିକ୍ଷକ ଶକ୍ଷୟିତ୍ରୀ ସମସ୍ତଙ୍କ ପ୍ରିୟପାତ୍ର ହୋଇ ଯାଇଥିଲା । ବିଦ୍ୟାଳୟ ଠାରୁ ଘର ଯାଏ ସମସ୍ତେ ମହମ୍ମଦକୁ ଭଲପାଉ ଥିଲେ । ବୋଧହୁଏ ଗରିବ କୁଡିଆର ଏତେ ଖୁସିକୁ ସହିପାରିଲେନି ଈଶ୍ୱର, ମାଡିଆସିଲା ଦୁଃଖ । ଶିଶୁ ପାଇଁ ଦାରୁଣ ଭବିଷ୍ୟତଟେ ଲେଖି ଚାଲିଥିଲେ ଦଇବ । ଏତେ କଅଁଳ ବୟସରେ ରାଜା ମାରାତ୍ମକ ରକ୍ତ କର୍କଟରେ ଆକ୍ରାନ୍ତ ଥିଲା । ପ୍ରତିଟି ମୁହୂର୍ତ୍ତ ମରଣ ସହ ଯୁଝି ଚାଲିଥିଲା । ମହମ୍ମଦକୁ କିନ୍ତୁ ଜଣା ନଥିଲା ଯେ, ମୃତ୍ୟୁ ତା ଚାରିପଟେ ଘୂରି ବୁଲୁଛି । ଏତିକି କେବଳ ଜାଣି ଥିଲା, ତାକୁ କୌଣସି ଏକ ରୋଗ ହୋଇଛି । ତାର ଚିକିସ୍ଥା ଚାଲିଛି ଓ ଖୁବ୍ ଶୀଘ୍ର ଭଲ ହୋଇଯିବ । ଭଲ ହେଲାପରେ ସେ ପୂର୍ବ ପରି ବୁଦ୍ୟାଳୟକୁ ପଢିବାକୁ ଯିବ । ରୋଗାଗ୍ରସ୍ତ ହେବା ପରେ ମଧ୍ୟ ସେ ଠିକ୍ ଠାକ ଖାଉଥିଲା, ହସୁଥିଲା ଖେଳୁଥିଲା । ଘରେ ଏମିତି ଚଟି ପକାଇ ପଢୁଥିଲା ହେଲେ ବାପା ଆବିଦ ଓ ମା ନିଶାଙ୍କ ଆଖିରେ ନିଦ ନଥିଲା । ପାଖରେ ଏତେ ଅର୍ଥ ନଥିଲା । ଭାଙ୍ଗି ପଡୁଥିଲେ ଦୁହେଁ । ଏଠି ସେଠି ହାତପତାଇ ପୁଅର ଜୀବନ ବଞ୍ଚାଇବା ପାଇ ନେହୁରା ହୋଇ ଚାଲିଥିଲେ ବାପା ଓ ମା’ ।
ଗତ ୨୦୧୯ ଡିସେମ୍ବର ମାସରେ ହଠାତ ମହମ୍ମଦ ଅସୁସ୍ଥ ହୋଇପଡିଥିଲା । ବାପା ତୁରନ୍ତ ସୁନ୍ଦରଗଡ ମୁଖ୍ୟ ଡାକ୍ତରଖାନାକୁ ନେଲେ । ସେଠାରେ ଡାକ୍ତର ତାଙ୍କୁ ବୁର୍ଲା ସ୍ଥାନାନ୍ତର କରିଦେଲେ । ହାତ ପତାଇ ବୁର୍ଲା ଯିବା ପରେ ଡାକ୍ତର କର୍କଟ ରୋଗର ସନ୍ଦେହ କରିଥିଲେ । ଡିସେମ୍ବର ୩୧ ତାରିଖରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର ହୋଇଥିଲା ମହମ୍ମଦ । ସେଠାରେ ହେମାଟୋଲୋଜି ବିଭାଗରେ ଭର୍ତ୍ତି ହେଲା ମହମ୍ମଦ ଏବଂ ଡାକ୍ତରୀ ପରୀକ୍ଷାରେ ମାରାତ୍ମକ ରକ୍ତ କର୍କଟରେ ଆକ୍ରାନ୍ତ ଥିବା ଜଣାପଡିଲା । ଚିକିସ୍ଥା ପାଇ ବ୍ୟୟ ବହୁଳ ଟଙ୍କା ଦରକାର ହେବ କହିଲେ ଡାକ୍ତର । ପୁଅର ଏପରି ଅବସ୍ଥାରେ ସହଯୋଗର ହାତ ବଢ଼ାଇବାକୁ ଉଭୟ ମା’ଓ ବାପା ଆକୁଳ ନିବେଦନ କରିଛନ୍ତି ।